Odiapua.com

ଯୁକ୍ତଦୁଇ ଫରୀକ୍ଷାଫଳ ବାହାରିଲା ହେଲେ ହବ୍‌ରେ ପ୍ରଶ୍ନପତ୍ର ଏଯାଏ ଜଗିରହିଛି ପୁଲିସ

ଭଦ୍ରକ, ୧୫ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଯୁକ୍ତଦୁଇ ବିଜ୍ଞାନ ପରୀକ୍ଷାଫଳ ପ୍ରକାଶ ପାଇଛି। ଗତ ମାର୍ଚ୍ଚ ୨୨ ତାରିଖଠାରୁ ଜନତାକର୍ଫ୍ୟ ଘୋଷଣା ଓ ତା’ ପରଠାରୁ ଦେଶବ୍ୟାପୀ ଲକ୍‌ଡାଉନ ଜାରିହେବା ଯୋଗୁଁ ଅବଶିଷ୍ଟ ୨/୩ଟି ପେପର୍‌ର ପରୀକ୍ଷା ହେବାକୁ ଥିଲେ ମଧ୍ୟ ତାହା ଆଉ ସମ୍ଭବ ହୋଇପାରିଲା ନାହିଁ। ବିଭିନ୍ନ ମୂଲ୍ୟାୟନ କେନ୍ଦ୍ରଗୁଡ଼ିକରେ ପ୍ରଥମେ ପ୍ରବାସୀମାନଙ୍କର ରହିବା ବ୍ୟବସ୍ଥା କରାଯାଇଥିଲା। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୁଦ୍ଧକାଳୀନ ଭିତ୍ତିରେ ମୂଲ୍ୟାୟନ ପ୍ରକ୍ରିୟା କରାଇବାକୁ ନିଷ୍ପତ୍ତି ହେବା ପରେ ତୁରନ୍ତ ସେମାନଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇ ପରୀକ୍ଷା ହୋଇଯାଇଥିବା ପେପର୍‌ଗୁଡ଼ିକର ମୂଲ୍ୟାୟନ ପ୍ରକ୍ରିୟା ଚୂଡ଼ାନ୍ତ କରାଗଲା ଓ ସେହି ପେପର୍‌ଗୁଡ଼ିକର ମାର୍କ ଆଧାରରେ ପରୀକ୍ଷା ହୋଇନଥିବା ପେପର୍‌ର ମାର୍କ ଦିଆଯାଇ ଫଳପ୍ରକାଶନ କରିଦିଆଗଲା। କଳା ଓ ବାଣିଜ୍ୟରେ ମଧ୍ୟ ସେହି ନୀତି ଅବଲମ୍ବନ କରାଯାଇ ଖୁବ୍‌ଶୀଘ୍ର ଫଳପ୍ରକାଶ ପାଇବ ବୋଲି ଜଣାପଡ଼ିଛି। ହେଲେ, ସବୁଠୁ ଆଶ୍ଚର୍ଯ୍ୟ କଥା ହେଉଛି, ହବ୍ ସେଣ୍ଟରଗୁଡ଼ିକରେ ଏଯାଏ ପରୀକ୍ଷା ହୋଇନଥିବା ପ୍ରଶ୍ନପତ୍ରଗୁଡ଼ିକ ପଡ଼ିରହିଛି ଓ ତାହାକୁ ଜଗିବାକୁ ଦୁଇଜଣ ଲେଖାଏଁ ପୁଲିସ କର୍ମଚାରୀ ନିୟୋଜିତ ଅଛନ୍ତି। ଭଦ୍ରକ ଜିଲ୍ଲାରେ ମୋଟ ୫ଟି ପ୍ରଶ୍ନପତ୍ର ହବ୍ ସେଣ୍ଟର ରହିଛି। ସେହିପରି ରାଜ୍ୟରେ ମୋଟ ୮୮୯ଟି ହବ୍ କେନ୍ଦ୍ର କରାଯାଇଛି। ପ୍ରତି କେନ୍ଦ୍ରରେ ଦୁଇଜଣ ଲେଖାଏଁ ହିସାବ କଲେ, ମୋଟ ୧୭୭୮ ଜଣ ପୁଲିସ କର୍ମଚାରୀ ବିଗତ ୬ମାସ ହେଲା ଏହି ପ୍ରଶ୍ନପତ୍ର ଜଗିବା କାର୍ଯ୍ୟରେ ରହିଛନ୍ତି, ଯାହାର କୌଣସି ଆବଶ୍ୟକତା ନାହିଁ। ଯେବେଠାରୁ କାଉନସିଲ ନିଷ୍ପତ୍ତି କଲା ଯେ ଆଉ ପରୀକ୍ଷା ହେବନାହିଁ, ସେବେଠାରୁ ହବ୍ ସେଣ୍ଟରରୁ ପ୍ରଶ୍ନପତ୍ର ହଟେଇ ନେବା କଥା ଓ ପୁଲିସ୍ କର୍ମଚାରୀଙ୍କୁ ଏ କାର୍ଯ୍ୟରୁ ଅବ୍ୟାହତି ଦେବା କଥା। କରୋନା ମହାମାରୀ ସମୟରେ ପୁଲିସ୍ କର୍ମଚାରୀଙ୍କର ଅଭାବ ଥିବାବେଳେ ଅଯଥାରେ ଦୁଇଜଣ ଲେଖାଏଁ ପ୍ରତି ହବ୍ କେନ୍ଦ୍ରରେ ଦିନରାତି ପଡ଼ିରହିବା ନିହାତି ଆଶ୍ଚର୍ଯ୍ୟଜନକ କଥା। ଏପଟେ ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ନିୟମିତ ବ୍ୟବଧାନରେ ଗ୍ରୁପ୍ କରାଯାଇ କଲେଜ ଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଛାତ୍ରଛାତ୍ରୀ ନଆସିଲେ ବି ସେମାନେ ଅନ୍‌ଲାଇନ ମାଧ୍ୟମରେ କ୍ଲାସ୍ କରୁଛନ୍ତି। ହେଲେ ପୁଲିସ କର୍ମଚାରୀ କମନ୍‌ରୁମ୍‌ରେ ରୋଷେଇ ସାମଗ୍ରୀ ଓ ବିଛଣାଶେଯ ରଖି ଏହାକୁ ନିଜର ବାସସ୍ଥାନ ଭାବେ ବ୍ୟବହାର କରୁଥିବାରୁ ଅଧ୍ୟାପକମାନେ ବସିବାକୁ ଜାଗା ନପାଇ କଲେଜ ପରିସରରେ ଏଣେତେଣେ ଅନେକ ସମୟରେ ବୁଲାବୁଲି କରୁଥିବାର ଦୃଷ୍ଟିଗୋଚର ହେଉଛି। ସରକାରଙ୍କଠାରୁ କୌଣସି ଆଦେଶ ନଆସିବା ଯାଏ, ଏମାନେ ଏଇମିତି ଜଗିବା କାମରେ ନିୟୋଜିତ ହେଉଥିବେ ବୋଲି ଆମ ପ୍ରତିନିଧିଙ୍କ ପ୍ରଶ୍ନରେ ସ୍ଥାନୀୟ ପାଳିଆବିନ୍ଧା ସ୍ଥିତ ବିଏନଏମ୍‌ଏ କଲେଜ ଅଧ୍ୟକ୍ଷ ତଥା ହବ୍ ସେଣ୍ଟର କର୍ତ୍ତୁପକ୍ଷ ଓ ଜଗିରହିଥିବା ପୁଲିସ କର୍ମଚାରୀ ଦ୍ୱୟ ମତବ୍ୟକ୍ତ କରିଛନ୍ତି।