Odiapua.com

ଯାବତୀୟ ଅସୁବିଧା ଭିତରେ କଲେଜକୁ ଆସିପାରୁନାହାନ୍ତି ଷ୍ଟାଫ – କରୋନା ଆତଙ୍କ ସମୟରେ କଲେଜ ଖୋଲାକୁ ନାପସନ୍ଦ

ନୟାଗଡ଼, ୧୭ା୬: (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ)ସରକାର ଜୁନ ୧୭ରେ କଲେଜ ଓ ବିଶ୍ୱ ବିଦ୍ୟାଳୟ ଖୋଲିବା ସହିତ ଅଧ୍ୟାପକ ଓ କର୍ମଚାରୀମାନେ କଲେଜକୁ ଆସିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ତାହା ବହୁ ସ୍ଥାନରେ ଆଜି ବ୍ୟତିକ୍ରମ ଦେଖିବାକୁ ପଡ଼ିଛି। ସରକାରଙ୍କ ନିୟମକୁ ମାନି କୌଣସି ପ୍ରକାରେ ଅଧ୍ୟାପକ ଓ କର୍ମଚାରୀ କଲେଜକୁ ଆସିବାକୁ ଚେଷ୍ଟା କରିଥିଲେ ମଧ୍ୟ କଲେଜରେ ବହୁ ଅଧ୍ୟାପକ ଓ କର୍ମଚାରୀ ଯୋଗଦେବାକୁ ସଫଳ ହୋଇପାରିନାହାନ୍ତି। ଗାଡ଼ି ମୋଟର ଚଳାଚଳ କରିବା ବନ୍ଦ ହୋଇଯାଇଥିବାବେଳେ ଦୂର ଦୂରାନ୍ତରୁ ବାଇକ୍ ବା ଭଡ଼ା ସୂତ୍ରରେ ଗାଡ଼ି ଆଣି ଗନ୍ତବ୍ୟ ସ୍ଥଳରେ ପହଂଚିବା ସମ୍ଭବପର ହୋଇପାରିନାହିଁ। ବିଭିନ୍ନ ସ୍ଥାନରୁ ଆସି ଗାଁ ଗହଳିରେ ଭଡ଼ାକୁ ନେଇ ରହିଥିବା ଅଧ୍ୟାପକ ଓ କର୍ମଚାରୀମାନଙ୍କୁ ଘର ମାଲିକମାନେ ଘରେ ଭର୍ତ୍ତି କରାଇନଦେବାକୁ ଆଗୁଆ ସତର୍କ କରାଇ ଦେଲେଣି। କେତେକ ବିଦ୍ୟାଳୟ ଓ ମହାବିଦ୍ୟାଳମାନଙ୍କରେ ସଙ୍ଗରୋଧ କେନ୍ଦ୍ର ହୋଇଥିବାବେଳେ ପ୍ରବାସୀମାନେ ଏବେବି ରହିଛନ୍ତି। ଯେଉଁ କେତେକ ବିଦ୍ୟାଳୟ ବା ମହାବିଦ୍ୟାଳୟରୁ ପ୍ରବାସୀମାନେ ୧୪ଦିନିଆ କ୍ୱାରେଂଟାଇନରେ ରହି ଗଲେଣି ସେହି ଗୃହ ଗୁଡ଼ିକ ମଧ୍ୟ ଏଯାଏଁ ବିଶୋଧନ ହୋଇପାରିନଥିବା କୁହାଯାଉଛି। କଲେଜକୁ ଗଲେ ବିଭିନ୍ନ ଅଂଚଳରୁ ଆସିଥିବା ଷ୍ଟାଫମାନେ କେମିତି ସାମାଜିକ ଦୂରତ୍ୱ ରକ୍ଷାକରି ଷ୍ଟାଫ କମନ୍‌ରୁମ୍‌ରେ ଏକାଠି ମୁହଁକୁ ମୁହଁ ଦେଇ ବସିବେ ତାହାକୁ ନେଇ ମଧ୍ୟ ସେମାନଙ୍କ ମନରେ ସଂଶୟ ସୃଷ୍ଟି ହୋଇଛି। ଯାହାକି ଗୋଡ଼େ ଗୋଡ଼େ ବିପଦର ସମ୍ମୁଖୀନ ହେବାର ଭୟ ଥିବାରୁ ସେମାନେ ମହାବିଦ୍ୟାଳୟକୁ ଆସିବା ନିରାପଦ ମଣୁନାହାନ୍ତି। ସରକାରଙ୍କ ନିୟମ ମାନି ଜିଲାର ବହୁ ମହାବିଦ୍ୟାଳୟ ଖୋଲିଥିଲେ ମଧ୍ୟ ଷ୍ଟାଫଙ୍କ ସଂଖ୍ୟା ୧୦ ପ୍ରତିଶତ ବି ହୋଇନଥିବା ଦେଖାଦେଇଛି। କରୋନା ଆତଙ୍କୁ ଆଖି ଆଗରେ ରଖି ସରକାର ଜୁଲାଇ ୩୧ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିବାବେଳେ କେନ୍ଦ୍ର ସରକାର ଅଗଷ୍ଟ ମାସ ୧୫ ତାରିଖ ପରେ ସମସ୍ତ ଶିକ୍ଷାନୁଷ୍ଠାନ ଖୋଲିବାକୁ ନିର୍ଦ୍ଦେଶ ଦେଇଥିଲେ। ଏପରିକି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜୁନମାସ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୋଲି କହିବା ସହିତ ଜୁନମାସଟିକୁ ଟିକେ ଅଧିକ ଜଗି ରଖି ଚଳିବାକୁ ପରାମର୍ଶ ଦେଇଥିଲେ। ଏପରି ଘଡ଼ିସନ୍ଧି ମୁହୁର୍ତ୍ତରେ କରୋନା ଦିନକୁ ଦିନ ତା’ର କାୟା ବିସ୍ତାର କରି ଚାଲିଥିବାବେଳେ ମହାବିଦ୍ୟାଳୟର ଅଧ୍ୟାପକ ଓ କର୍ମଚାରୀମାନେ ଜାଣିଶୁଣି କେମିତି ବିପଦକୁ ସାମ୍‌ନା କରି  ମହାବିଦ୍ୟାଳକୁ ଆସିବେ ଏବେ ଦୋଛକିରେ ପଡ଼ିଛନ୍ତି। ଏପରି ମହାବିଦ୍ୟାଳୟ ଖୋଲା ନିଷ୍ପତିକୁ ସାଧାରଣରେ ମଧ୍ୟ ନାପସନ୍ଦ କରାଯାଇଛି। ଏହାର ପୁନର୍ବିଚାର କରିବାକୁ ବୁଦ୍ଧିଜୀବୀ ମହଲରେ ମଧ୍ୟ ଆଲୋଚନା ହେଉଛି।