Odiapua.com

ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଧରା ପଡ଼ିଲା ଗୋରୁଗାଡି

ଭଦ୍ରକ, ୩୧ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ନଂ ଜାତୀୟ ରାଜପଥର ନେଉଳିଆ ଟୋଲ ଗେଟ ଦେଇ ଗୋରୁଗାଡି ଗୁଡିକ କଟକ ପଟୁ ବାଲେଶ୍ୱର ଅଭିମୁଖେ ଯାତାୟତ ବେଳେ ଧରା ପଡ଼ୁଥିବା ବେଳେ ଏବେ ବିକଳ୍ପ ରାସ୍ତାରେ ଯାତାୟାତ କରୁଛନ୍ତି ।ତେବେ ଯାନ୍ତ୍ରିକ ତ୍ରୁଟି ଯୋଗୁ ଗୋଟିଏ ବେଆଇନ ଭାବେ ଗୋରୁ ପରିବହନ କରୁଥିବା ଗାଡ଼ି ଧରାପଡିଛି । ଗତ ଶୁକ୍ରବାର ବିଳମ୍ବିତ ରାତ୍ରିରେ ଆଖୁଆପଦା ଆନିକଟ ନିକଟ ପରମାନନ୍ଦପୁର ରାସ୍ତା ଦେଇ ଯାଉଥିବା ବେଳେ ସେଥିମଧ୍ୟରୁ ଗୋଟିଏ ପିକଅପର ଯାନ୍ତ୍ରିକ ତ୍ରୁଟି ଦେଖାଦେଇଥିଲା । ଫଳରେ ଗାଡିଟିକୁ ଡ୍ରାଇଭର ସେଠାରେ ଛାଡ଼ିଦେଇ ଫେରାର ହୋଇଯାଇଥିଲା । ଶନିବାର ସ୍ଥାନୀୟ ଲୋକେ କେନାଲ ବନ୍ଧ ରାସ୍ତାରେ ଠିଆ ହୋଇଥିବା ଗାଡିରେ ଗୋରୁ ବୋଝେଇ ହୋଇଥିବା ଜାଣିବାକୁ ପାଇଥିଲେ । ଅତି ଅମାନୁଷିକ ଓ କ୍ଷତ ବିକ୍ଷତ ଭାବେ ଉକ୍ତ ପିକଅପରେ ପ୍ରାୟ ୧୦ଗୋଟି ଗୋରୁ ରହିଥିବା ଲୋକେ ଦେଖିବାକୁ ପାଇଥିଲେ । ଗୋରୁ ଗୁଡିକୁ ଗାଡିରୁ ଉଦ୍ଧାର କରାଯିବା ସହ ଏନେଇ ଥାନାକୁ ଖବର ଦିଆଯାଇଥିଲା । ପୁଲିସ ଘଟଣାସ୍ଥଳରେ ପହଂଚି ଗୋରୁ ଗୁଡିକୁ ଅନ୍ୟ ଗାଡିରେ ଭଦ୍ରକ ମଇତାପୁରସ୍ଥିତ ଗୋଶାଳାକୁ ପଠାଇଥିବା ଜଣାପଡିଛି । ଏହାଛଡା ଯାନ୍ତ୍ରିକ ତ୍ରୁଟି ଯୋଗୁ ଅଟକି ରହିଥିବା ପିକଅପକୁ ଜବତ କରାଯାଇଥିବା ବେଳେ ଏନେଇ ଥାନା ପକ୍ଷରୁ ୩୬୦/୨୪ରେ ମାମଲା ରୁଜ୍ଜୁ କରାଯାଇଥିବା ଜଣାପଡିଛି ।