Odiapua.com

ଯାତ୍ରୀ ବିଶ୍ରାମଗାରା ରେ ତାଲା ଓ ପରିଶ୍ରାଗାରା ସର୍ବସାଧାରଣଙ୍କ କାମରେ ଆସୁନି

ଭଦ୍ରକ, ୪ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସରକାର ଗ୍ରାମାଞ୍ଚଳର ବିକାଶ ନିମନ୍ତେ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ କୋଟି କୋଟି ଟଙ୍କା ବେୟବରାଦ କରାଯାଉଥିବାବେଳେ ତଳସ୍ଥରର ନେତା ଓ କର୍ମୀମାନେ ଏହି ବିକାଶର ବାଧାଦେଇ ଅନେକ ସମୟରେ ସରକାରୀ ଅର୍ଥକୁ ହରିଲୁଟ୍ କରନ୍ତି ଏବଂ ବହୁ ଉନ୍ନୟନ କାର୍ଯ୍ୟକୁ ହାତକୁନେଇ ନିମ୍ନମାନର କାର୍ଯ୍ୟକରି ସରକାରୀ ଅର୍ଥକୁ ହାତେଇ ଥାଆନ୍ତି । ଏମିତି ଅନେକ ଘଟଣା ଧାମନଗର ବିଜ୍ଞାପିତ ଅଂଚଳରେ ଘଟିଛି । ନିକଟରେ ଧାମନଗର ତିନୋଟି ପଂଚାୟତକୁ ନେଇ ଧାମନଗର ବିଜ୍ଞାପିତ ଅଂଚଳ ଗଠିତ ହୋଇଥିବାବେଳେ ଏହି ବିଜ୍ଞାପିତ ଅଂଚଳକୁ କୋଟିକୋଟି ଟଙ୍କା ସରକାରୀ ଅନୁଦାନ ଆସିସାରିଛି । ଏନେଇ ବିଭିନ୍ନ ୱାର୍ଡ଼ରେ ମଧ୍ୟ ରାସ୍ତା, ପାନୀୟ, ବିଦ୍ୟୁତ୍ ଇତ୍ୟାଦି ଉନ୍ନୟନ ମୂଳକ କାର୍ଯ୍ୟ ହାତକୁ ନିଆଯାଇଛି ଏବଂ ଅଧିକାଂଶ ସ୍ଥାନରେ ମଧ୍ୟ କାର୍ଯ୍ୟ ସରିଛି । ହେଲେ କେତେକ ସ୍ଥାନରେ ନିମ୍ନମାନର କାର୍ଯ୍ୟ କରାଯାଇ ଠିକାଦାର ମାନେ ଭାଗ ବଣ୍ଟରା କରି ନେଇଯାଉଛନ୍ତି । ଏପରିକି ଅନେକ ସ୍ଥାନରେ ଅଧପନ୍ତରିଆ କାର୍ଯ୍ୟକରି ଛାଡ଼ି ଦେଉଛନ୍ତି । ଧାମନଗର ଡ଼ାକ୍ତରଖାନା ପାଖରେ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ଏକ ଯାତ୍ରୀ ବିଶ୍ରାମ ଗାରା ୨୦୧୯ ମସିହାରେ ଆରମ୍ଭ ହୋଇଥିଲା ।

ଏଠାରେ ଧାମନଗର- ଦୋବଲ ଭାୟା ଭଦ୍ରକ ରାସ୍ତାରେ ଯାଉଥିବା ଲୋକମାନେ ଏହି ବିଶ୍ରାମଗ୍ରାରାରେ ବସ କିମ୍ବା ଗାଡ଼ି କୁ ଅପେକ୍ଷା କରିବା ପାଇଁ ନିର୍ମାଣ କରାଯାଇଥିଲା । ମାତ୍ର ଉକ୍ତ ବିଶ୍ରାମାଗାରାଟି ପ୍ରାୟ ୨ବର୍ଷ ହେବ ସମ୍ପୁର୍ଣ୍ଣ ନିର୍ମାଣ ସରିଥିଲେ ମଧ୍ୟ ଏବେ ଉକ୍ତ ବିଶ୍ରାମାଗାରାରେ ତାଲା ଝୁଲୁଛି । ଯେଉଁ ଯୋଜନାରେ ଏବଂ ଯେଉଁ ଲକ୍ଷ୍ୟନେଇ ଉକ୍ତ ବିଶ୍ରାମାଗାରାଟି ନିର୍ମାଣ କରାଯାଇଥିଲା ତାହା ସାଧାରଣ ଲୋକଙ୍କ ସେବାରେ ଆସୁନାହିଁ । ସେହିପରି ଉକ୍ତ ମେଡ଼ିକାଲ ପୋଖରି ଛକଠାରେ ସହରାଂଚଳ ବେତନଭିତ୍ତିକ ନିଯୁକ୍ତି ଯୋଜନାରେ ବିଜ୍ଞାପିତ ଅଂଚଳ ପରିଷଦ ପକ୍ଷରୁ ପରିଶ୍ରାଗାରା ନିର୍ମାଣ କରାଯାଇଥିଲା । ହେଲେ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇସାରିଥିଲେ ମଧ୍ୟ ନିର୍ମାଣର କେହିଦିନ ପରେ ଉକ୍ତ ପରିଶ୍ରାଗାରଟି ଏବେ ଜରାଜିର୍ଣ୍ଣ ଅବସ୍ଥାରେ ରହିଛି । ପରିଶ୍ରାଗାରା ସମ୍ମୁଖରେ ଅନାମନା ଗଛ ଉଠିବା ସହିତ ବ୍ୟବହୃତ କବାଟ ମଧ୍ୟ ଭାଙ୍ଗିଗଲାଣି । ତେବେ ଏଠାରେ ପ୍ରଶ୍ନ ଉଠୁଛି ଧାମନଗର ବିଜ୍ଞାପିତ ପରିଷଦ ଅଂଚଳରେ ନିର୍ମାଣ ହୋଇଥିବା କାର୍ଯ୍ୟଗୁଡ଼ିକ ନିର୍ମାଣ ସରିଥିଲେ ମଧ୍ୟ ରକ୍ଷଣାବେକ୍ଷଣ ଅଭାବରୁ ତାହା ଏବେ ନଷ୍ଟହେଉଛି । ଏ ଦୀଗରେ ବିଭାଗୀୟ ଅଧିକାରୀ ସ୍ୱତନ୍ତ୍ର ଦୃଷ୍ଟିଦେବା ସହିତ ବନ୍ଦପଡ଼ିଥିବା ଯାତ୍ରୀ ବିଶ୍ରାମାଗାରାଟି ସର୍ବସାଧାରଣ ବ୍ୟବହାର ପାଇଁ ଉନ୍ମୁକ୍ତ କରିବା ସହ ଜରାଜିର୍ଣ୍ଣ ହୋଇପଡ଼ିଥିବା ପରିଶ୍ରାଗାରାକୁ ପୁନଃ ମରାମତି କରିବାପାଇଁ ଧାମନଗର ବିଜ୍ଞାପିତ ପରିଷଦର ଅଂଚଳବାସୀ ଦାବିକରିଛନ୍ତି ।