Odiapua.com

ଯାତ୍ରୀବାହୀ ବସ ଦୁର୍ଘଟଣା, ୩ ଗୁରୁତର ସହ ୨୦ ଆହତ

ଭଦ୍ରକ, ୨୩ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ୧୬ ନଂ ଜାତୀୟ ରାଜପଥର ପାଳଦାବାଙ୍କ ନିକଟରେ ଗତକାଲି ବିଳମ୍ବିତ ରାତ୍ରରେ ଦୂରଗାମୀ ଯାତ୍ରୀବାହୀ ବସ ଦୁର୍ଘଟଣାର ଶିକାର ହୋଇଛି। ଏହି ଦୁର୍ଘଟଣାରେ ୨୦ ଯାତ୍ରୀ ଆହତ ହେବା ସହ ୩ଜଣ ଗୁରୁତର ଆହତ ହୋଇଥିବା ଜଣାଯାଇଛି। ଦୁର୍ଘଟଣାଗ୍ରସ୍ତ ଓଡି ୨୨ ୫୭୮୩ ନଂ ବସ୍ କଲିକତାରୁ ଭୁବନେଶ୍ୱର ଆସୁଥିଲା। ରାତ୍ର ପ୍ରାୟ ୩.୩୦ମି. ସମୟରେ ସଂପୃକ୍ତ ସ୍ଥାନରେ ଥିବା ହମ୍ପସ ଉପରେ ସମ୍ମୁଖରେ ଯାଉଥିବା ଡମ୍ଫରର ବେଗ ହ୍ରାସ ହୋଇଯାଇଥିଲା। ବସ ଚାଳକ ନିୟନ୍ତ୍ରଣ ହରାଇ ସମ୍ମୁଖସ୍ଥ ଅଜଣା ଡମ୍ଫରକୁ ପଛରୁ ଧକ୍କା ଦେଇ ରାସ୍ତା ତଳକୁ ଗଡିଯାଇଥିଲା। ଅନ୍ଧାରର ସୁଯୋଗ ନେଇ ଡମ୍ଫର ଖସି ପଳାଇଥିଲା। ଏହା ଦ୍ୱାରା ବସ୍‌ର କେବିନ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଥିଲା। ସ୍ଥାନୀୟ ପୁଲିସ, ଦମକଳକେନ୍ଦ୍ର କର୍ମଚାରୀ ଓ ଲୋକେ ମିଳିତ ଭାବେ ଯାତ୍ରୀମାନଙ୍କୁ ଉଦ୍ଧାର କରିଥିଲେ। ଶେଖ ରାଜେଶ ଅଲ୍ଲୀ, ସୁନିତା ପାତ୍ର, ଅନ୍ତର୍ଯ୍ୟାମୀ, ତପନ ସାମନ୍ତ, ଅଶୋକ ବେରା, ଶହୀଦ ଖାନ, ଅନ୍ତର୍ଯ୍ୟାମୀ ବାରିକ, ଅନିମେଶ ହଜରା, ଅଣ୍ଟାନି ବିଶ୍ୱାସ, ସଞ୍ଜୟ ଦାସ, ରାଧାରାଣୀ ବେରା, କାର୍ତ୍ତିକ ଖଟୁଆ, ଉତ୍ତମ ଜେନା, ବର୍ଣ୍ଣାଳି ଜେନା, ସିଜାନି ଖଟୁଆ ଆଦି ୨୦ ଜଣ ଆହତମାନଙ୍କୁ ଭଣ୍ଡାରିପୋଖରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଥିଲା। ସେମାନଙ୍କ ମଧ୍ୟରୁ ସଞ୍ଜୟ ଦାସ, ଶହୀଦ ଖାନ ଓ ଅଶୋକ ବେରାଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭଦ୍ରକ ଚିକିତ୍ସା ପାଇଁ ପଠାଯାଇଛି। ବସର ଚାଳକ ମଧ୍ୟ ଆହତ ହୋଇଛି। ସହକାରୀ ସବଇନିସପେକ୍ଟର ସବିତା ଧଳଙ୍କ ଏତାଲା କ୍ରମେ ଥାନାରେ ୧୧୭/୨୨ନଂ ମାମଲା ଋଜୁ କରାଯାଇଛି। ପୁଲିସ ବସ୍‌କୁ ଜବତ କରିଛି।