Odiapua.com

ଯାତ୍ରା ଶ୍ରମିକଙ୍କ ବକେୟା ଅର୍ଥ ପ୍ରଦାନ ଦାବି – ଯାତ୍ରା କଳାକାର ସଂଘ ପକ୍ଷରୁ ସ୍ମାରକପତ୍ର

ବାଲେଶ୍ୱର, ୭ା୮(ଓଡ଼ିଆ ପୁଅ/ଅଭୟ ଦାସ): ଯାତ୍ରାପାର୍ଟିରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ଯୁବକଙ୍କ ବକେୟା ଦରମା ପ୍ରଦାନ ଦାବି କରି ଯାତ୍ରା କଳାକାର ସଂଘ ପକ୍ଷରୁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରପତ୍ର ପ୍ରଦାନ କରାଯାଇଛି। ବିର୍ସମୁଣ୍ଡା ଲେବର ସପ୍ଲାୟର ସଂସ୍ଥା ଜରିଆରେ ବିଭିନ୍ନ ପ୍ରତିଷ୍ଠାନ ସମେତ ନ୍ୟୁ ସଚ୍ଚଦାନନ୍ଦ ଗଣନାଟ୍ୟ ଓ ରାଜଧାନୀ ଅପେରାରେ ୩ ଶହରୁ ଊର୍ଦ୍ଧ୍ୱ ଯୁବକ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। କଳାକାରଙ୍କ ତୁଳନାରେ ଅତ୍ୟନ୍ତ ସ୍ୱଳ୍ପ ବେତନରେ ଚୁକ୍ତି ସହ ଶତାଧିକ ଯୁବକ ଏହି ଦୁଇ ଅପେରା ପାର୍ଟିରେ କାର୍ଯ୍ୟ ଆରମ୍ଭ କରିଥିଲେ। ଚୁକ୍ତି ସମୟରେ କିଛି କିଛି ଅଗ୍ରୀମ ନେଇଥିବା ବେଳେ ବକେୟା ଅର୍ଥ ପରବର୍ତ୍ତୀ ସମୟରେ ଦିଆଯିବ ବୋଲି ପାର୍ଟିର ମାଲିକମାନେ ପ୍ରତିଶ୍ରୁତି ଦେଇଥିଲେ। ତେବେ ମହାମାରୀ କରୋନା ସଂକ୍ରମଣ ଆଶଙ୍କାରେ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଗତ ମାର୍ଚ୍ଚମାସ ୧୫ ତାରିଖରୁ ଯାତ୍ରା ପରିବେଷଣ ବନ୍ଦ ରହିଥିଲା। ଏହି ସମୟରେ କିଛି କିଛି ଅର୍ଥ ଦେଇ ଯାତ୍ରା ମାଲିକମାନେ ଶ୍ରମିକମାନଙ୍କୁ ଘରକୁ ପଠାଇ ଦେଇଥିଲେ। ଏକ ସପ୍ତାହ ମଧ୍ୟରେ ସେମାନଙ୍କର ବକେୟା ଦରମା ଅର୍ଥ ଦେଇ ଦିଆଯିବ ବୋଲି ଯାତ୍ରା ମାଲିକ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଇତିମଧ୍ୟରେ ୫ ମାସ ବିତି ଯାଇଥିବା ବେଳେ ନ୍ୟୁ ସଚ୍ଚିଦାନନ୍ଦ ଗଣନାଟ୍ୟର ପ୍ରଯୋଜକ ପର୍ଶୁରାମ ମଲ୍ଲିକ ଓ ରାଜଧାନୀ ଅପେରାର ପ୍ରଯୋଜକ ପ୍ରଦୀପ ପାତ୍ର ବକେୟା ଅର୍ଥ ପ୍ରଦାନର ନାଆଁ ଧରୁ ନଥିବା କଳାକାର ସଂଘର କର୍ମକର୍ତ୍ତମାନେ କହିଛନ୍ତି। ବାରମ୍ବାର ଫୋନ୍ କରି ନିରାଶ ହେବା ପରେ ଏହି ଶ୍ରମିକମାନେ ପ୍ରଥମେ ଯାତ୍ରାପାର୍ଟି ମାଲିକ ସଂଘ ଓ ପରେ ଯାତ୍ରା କଳାକାର ସଂଘ ନିକଟରେ ଫେରାଦ ହୋଇଥିଲେ। ଏହି କ୍ରମରେ ଯାତ୍ରା କଳାକାର ସଂଘର କର୍ମକର୍ତ୍ତମାନେ ଆଜି ଜିଲ୍ଲାପାଳଙ୍କୁ ସାକ୍ଷାତ ସହ ଶ୍ରମିକଙ୍କ ବକେୟା ପାଉଣା ଦାବିରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସ୍ମାରକପତ୍ର ପ୍ରଦାନ କରିଥିଲେ। ସ୍ମାରକପତ୍ର ପ୍ରଦାନ ବେଳେ ଯାତ୍ରା କଳାକାର ସଂଘର ରାଜ୍ୟ ସଭାପତି ଦୈତାରୀ ପଣ୍ଡା, ଉପଦେଷ୍ଟା ବାପି ପଣ୍ଡା ଓ ବସନ୍ତ କୁମାର ବେହେରା, ଜିଲ୍ଲା ସଂଘ ସମ୍ପାଦକ ରାଜେନ୍ଦ୍ର ରାଉତ, ମନୋଜ ପାତ୍ର, ହେମନ୍ତ ବେହେରା, ସୁମନ୍ତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ।