Odiapua.com

ଯାଜପୁର ଜିଲ୍ଲା ଲୁହା ଉତ୍ପାଦନରେ ରାଜ୍ୟ ଓ ଦେଶର ନେତୃତ୍ବ ନେବ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ଯାଜପୁର ଜିଲ୍ଲା ହାଣ୍ଡବଲ ଆସୋସିଏସନର ରୌପ୍ୟ ଜୟନ୍ତୀରେ ଯୋଗ ଦେଲେ କେନ୍ଦ୍ରମନ୍ତ୍ରୀ
ଛତିଆ / ଭୁବନେଶ୍ୱର, ୧୨ ଅକ୍ଟୋବର (ଓଡ଼ିଆ ପୁଅ) – ଆଗାମି ୧୦ ବର୍ଷ ଭିତରେ ଯାଜପୁର ଜିଲ୍ଲାର କଳିଙ୍ଗନଗର ୩୦ ମିଲିଅନ ମେଟ୍ରିକ ଟନ ଲୁହା ଉତ୍ପାଦନ ସହ ଭାରତରେ ଏକ ନମ୍ବର ସ୍ଥାନରେ ରହିବ। ଯାଜପୁର ଜିଲ୍ଲା ହାଣ୍ଡବଲ ଆସୋସିଏସନର ରୌପ୍ୟ ଜୟନ୍ତୀ ଅବସରରେ ଛତିଆଠାରେ ଆୟୋଜିତ ଜାତୀୟ ସ୍ତରର ହାଣ୍ଡବଲ ପ୍ରତିଯୋଗୀତାର ଉଦଯାପନି ଉତ୍ସବରେ ଯୋଗ ଦେଇ ଏକଥା କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ସେ କହିଛନ୍ତି, ଭାରତରେ ପ୍ରତିବର୍ଷ ପ୍ରାୟ ଦେଢ ଶହ ମିଲିଅନ ମେଟ୍ରିକ ଟନ ଲୁହା ଉତ୍ପାଦନ ହେଉଛି। ଯାଜପୁରର କଳିଙ୍ଗ ନଗରରେ ଥିବା ବିଭିନ୍ନ ଇସ୍ପାତ ପ୍ରକଳ୍ପ ଦେଶର ମୋଟ ଇସ୍ପାତ ଉତ୍ପାଦନର ଏକ ବଡ଼ ଭାଗ ଉତ୍ପାଦନ କରୁଛନ୍ତି। ଆଗାମି ୧୦ ବର୍ଷ ଭିତରେ ଭାରତରେ ବାର୍ଷିକ ତିନି ଶହ ମିଲିଅନ ମେଟ୍ରିକ ଟନ ଲୁହା ଉତ୍ପାଦନ ହେବ। କଳିଙ୍ଗନଗର ଏଠୁ ମଧରୁ ୩୦ ମିଲିଅନ ମେଟ୍ରିକ ଟନ ଲୁହା ଉତ୍ପାଦନ ସହ ଏକ ନମ୍ବର ସ୍ଥାନରେ ରହିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଇସ୍ପାତ କ୍ଷେତ୍ରରେ ଅଭିବୃଦ୍ଧି ସହ ଏହି ଅଞ୍ଚଳରେ ଆନୁସଙ୍ଗିକ ଶିଳ୍ପ ମଧ୍ୟ ବୃଦ୍ଧି ପାଇବ। ସ୍ଥାନୀୟ ବ୍ୟବସାୟ ସହ ଓଡ଼ିଶାର ଅର୍ଥନୀତି ତଥା ରାଜସ୍ବ ମଧ୍ୟ ଏହା ଦ୍ବାରା ବୃଦ୍ଧି ପାଇବ। ଭାରତରେ ଅନେକ ପ୍ରଧାନମନ୍ତ୍ରୀ କ୍ଷମତା ଆରୋହଣ କରିଛନ୍ତି। କିନ୍ତୁ ନରେନ୍ଦ୍ର ମୋଦି ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଯାହାଙ୍କର ପ୍ରାଥମିକତାରେ ପୂର୍ବ ଭାରତ ରହିଛି ବୋଲି କେନ୍ଦ୍ରମନ୍ତ୍ରୀ ପ୍ରଧାନ କହିଛନ୍ତି।

ଯାଜପୁର ଜିଲ୍ଲା ହାଣ୍ଡବଲ ଆସୋସିଏସନର ରୌପ୍ୟ ଜୟନ୍ତୀ ଅବସରରେ ଛତିଆଠାରେ ଆୟୋଜିତ ଜାତୀୟ ସ୍ତରର ହାଣ୍ଡବଲ ପ୍ରତିଯୋଗୀତାର ଉଦଯାପନୀ ଉତ୍ସବରେ ଯୋଗ ଦେଇ ଥିଲେ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ୧୦ ଅକ୍ଟୋବରରୁ ଆରମ୍ଭ ହୋଇଥିବା ଏହି ଟୁର୍ଣାମେଣ୍ଟରେ ମୋଟ ୧୨ଟି ଟିମ ଅଂଶ ଗ୍ରହଣ କରିଥିଲେ। ଆଜି ଟୁର୍ଣ୍ଣାମେଣ୍ଟର ଉଦଯାପନୀ ସମାରୋହ ଥିଲା। ଛତିଆଠାରେ ଶ୍ରୀଜଗନ୍ନାଥ ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ କରିବା ପରେ ଏକ ଶୋଭାଯାତ୍ରାରେ କେନ୍ଦ୍ରମନ୍ତ୍ରୀ ହାଡିଦାସ ମହାବିଦ୍ୟାଳୟ ପଡିଆଠାରେ ସଭାସ୍ଥଳକୁ ଯାଇଥିଲେ। କାର୍ଯ୍ୟକ୍ରମ ଶେଷରେ ପ୍ରଧାନ କୃତୀ ଖେଳାଳୀ ମାନଙ୍କୁ ଟ୍ରଫି ଓ ମେଡାଲ ପ୍ରଦାନ କରିଥିଲେ।