Odiapua.com

ଯାଜପୁର ଜିଲ୍ଲାର ୨ ଟି ପୌରାଞ୍ଚଳ ଓ କେତେକ ଗ୍ରାମାଞ୍ଚଳକୁ ସଟ୍‌ଡାଉନ୍ କରିବାକୁ ଜିଲ୍ଲାପାଳ ଦେଲେ ନିର୍ଦ୍ଦେଶ

ଭୁବନେଶ୍ୱର୪ା୪(ଓଡିଆ ପୁଅ/ବିରଞ୍ଚିନାରାୟଣ ପତ୍ରୀ)ଯାଜପୁର ଜିଲ୍ଲାରେ କରୋନା ମୁକାବିଲ।ପାଇଁ ଯାଜପୁର ଜିଲ୍ଲାର ଯାଜପୁର ଟାଉନ୍ ଓ ବ୍ୟାସନଗର ପୌରାଞ୍ଚଳକୁ ଜିଲ୍ଲା ପ୍ରଶାସନ ସଟ୍‌ଡାଉନ୍ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଜିଲ୍ଲାର ବ୍ରହ୍ମପଦାର, ବିଭିନ୍ନ ଗ୍ରାମାଞ୍ଚଳ, ନେଉଳପୁର, ଚଣ୍ଡୀଖୋଲ ସଟ୍‌ଡାଉନ କରିବାକୁ ପ୍ରଶାସନ ନିର୍ଦ୍ଦେଶ ଦେଇଛି। ଏହି ନିର୍ଦ୍ଦେଶ ଅନୁଯାୟୀ ଆଜି ରାତି ୮ଟା ଠାରୁ କାର୍ଯକାରୀ ହୋଇ ସୋମବାର ରାତି ୮ଟା ପର୍ଯ୍ୟନ୍ତ ସଟ୍‌ଡାଉନ ବଳପତ୍ତର ରହିବ। ଗତ କାଲି କୋରୋନା ଟେଷ୍ଟ ପଜିଟିଭ ଚିହ୍ନଟ ପରେ ସିଲ୍ ପାଇଁ ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ଯାଜପୁର ଜିଲ୍ଲାର ସୁଲପୁର ବ୍ଲକର ବ୍ରହ୍ମବରଦାକୁ ସିଲ୍ କରାଯାଇଛି। ବ୍ରହ୍ମବରଦାର ୩ କିଲୋମିଟର ପରିଧି ଭିତରେ ଚଳାଚଳ ବନ୍ଦ ଲାଗି ନିର୍ଦ୍ଦେଶ ଦିଆଯାଇଛି। ଏବେ ସେଠାରେ ପୁଲିସ୍ ଛାଉଣୀ ଦେଖିବାକୁ ମିଳୁଛି।

ସୂଚନାଯୋଗ୍ୟ, ରସୁଲପୁର ବ୍ଲକ୍ ବ୍ରହ୍ମବରଦାର ଜଣେ ମୌଲବୀ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଫେରିବା ପରେ ନିଜ ଘରେ ଥିଲେ। ଏହା ଜଣାପଡ଼ିବା ପରେ ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଥିଲା। ଉକ୍ତ ଦିଲ୍ଲୀ ନିଜାମୁଦ୍ଦିନସ୍ଥିତ ମରକଜ ଠାରେ ଅନୁଷ୍ଠିତ ତବଲିଗ ଜମାତ୍ ରେ ଯୋଗଦାନ କରିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ଯାଜପୁର ଜିଲ୍ଲାର ୩ଜଣଙ୍କୁ ପ୍ରଶାସନ ଚିହ୍ନଟ କରିଛି।

ଏହି ଘଟଣାକୁ ନେଇ ସାରା ଜିଲ୍ଲାରେ ଆତଙ୍କ ଖେଳିଯାଇଥିବାବେଳେ ସମସ୍ତଙ୍କୁ ସଙ୍ଗରୋଧକରି ଗୃହରେ ରଖାଯାଇଛି। ୩ ଜଣଙ୍କ ମଧ୍ୟରୁ ଧର୍ମଶାଳା ବ୍ଲକ୍ ନଳୀପୁର ଅଞ୍ଚଳର ଜଣେ ରହିଥିବାବେଳେ ବିଂଝାରପୁର ବ୍ଲକ୍ ଶାସନ୍ଦା ଗ୍ରାମର ଜଣେ ଏବଂ ଅନ୍ୟ ଜଣେ ରସୁଲପୁର ବ୍ଲକ୍ ବ୍ରହ୍ମବରଦାର ଥିବା ଚିହ୍ନଟ କରଯାଇଛି।

ବିଂଝାରପୁର ବ୍ଲକ୍ ଶାସନ୍ଦା ଗ୍ରାମର ବ୍ୟକ୍ତି ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଫେରିବା ପରେ ଘରେ ରହିଥିଲେ। ଗତକାଲି ବିଳମ୍ଵିତ ରାତିରେ ବିଂଝାରପୁର ପୁଲିସ ଓ ପ୍ରଶାସନ ଶାସନ୍ଦା ଗ୍ରାମରେ ପହଞ୍ଚି ସନ୍ଦିଗ୍ଧ ବ୍ୟକ୍ତିକୁ ଉଠାଇ ଆଣି ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିବା ସହ ତାଙ୍କ ପରିବାର ଲୋକଙ୍କୁ କ୍ଵାରେଣ୍ଟାଇନ୍‌ରେ ରଖିଛନ୍ତି। ବିଂଝାରପୁର ବ୍ଲକ ଶାସନ୍ଦା ଗ୍ରାମର ଜଣେ ୫୦ବର୍ଷ ବୟସର ଲୋକ ଗତମାସ ୧୨ ତାରିଖ ରାଜଧାନୀ ଏକ୍ସପ୍ରେସ ଯୋଗେ ଦିଲ୍ଲୀ ଯାଇ ନିଜାମୁଦ୍ଦିନସ୍ଥିତ ଧର୍ମସଭାରେ ଯୋଗ ଦେଇଥିଲେ। ପରେ ମାର୍ଚ୍ଚ ୧୬ ତାରିଖରେ ସେହି ରାଜଧାନୀ ଏକ୍ସପ୍ରେସରେ ବାହାରି ୧୭ ତାରିଖ ଯାଜପୁରରୋଡରେ ପହଞ୍ଚି ଏକ ଗାଡ଼ିରେ ନିଜଘରେ ପହଞ୍ଚିଥିଲେ ଏବଂ ୧୮ ତାରିଖ କେନ୍ଦ୍ରାପଡା ଜିଲ୍ଲା ଆଳି ଅଞ୍ଚଳର ନିଜ ସଂପର୍କୀୟଙ୍କ ଘରକୁ ଯାଇ ୧୯ ତାରିଖରେ ଫେରିଥିଲେ। ପରେ ୨୦ ତାରିଖରେ ତାଙ୍କୁ ଜ୍ଵର ହୋଇଥିଲା। ସେ ବିଂଝାରପୁର ସ୍ଵାସ୍ଥ୍ୟକେନ୍ଦ୍ରକୁ ଯାଇ ଚିକିତ୍ସିତ ହୋଇ ଫେରିଥିଲେ। ଘରେ ନିଜ ପରିବାର ସମେତ ଗ୍ରାମର ବହୁ ଲୋକଙ୍କ ସହିତ ମିଳାମିଶା କରିବା ସହ ଗ୍ରାମର କିଛି ଛାତ୍ରଙ୍କୁ ଟିଉସନ କରାଉଥିଲେ ବୋଲି ପୁଲିସ ଓ ପ୍ରଶାସନକୁ କହିଛି।

ମଙ୍ଗଳବାର ବିଳମ୍ବିତ ରାତିରେ ବିଂଝାରପୁର ତହସିଲଦାର ଅସ୍ମିତା ଦାଶ, ଆଇଆଇସି ଶିବଚରଣ ବେହେରା ଓ ଗୋଷ୍ଠୀ ସ୍ଵାସ୍ଥ୍ୟ ଅଧିକାରୀ କ୍ଷୀତିଶ କୁମାର ନାୟକ ପ୍ରମୁଖ ଶାସନ୍ଦା ଗ୍ରାମରେ ପହଞ୍ଚି ଉକ୍ତ ବ୍ୟକ୍ତିଙ୍କୁ ଉଠାଇ ନେଇ ଯାଜପୁର ମୁଖ୍ୟ ଡାକ୍ତରଖାନାରେ ଥିବା କ୍ଵାରେଣ୍ଟାଇନ୍ କେନ୍ଦ୍ରକୁ ନେବା ସହ ତାଙ୍କ ପରିବାରର ୫ଜଣଙ୍କୁ ହୋମ୍ କ୍ଵାରେଣ୍ଟାଇନରେ ରହିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସଂଦିଗ୍ଧ ବ୍ୟକ୍ତିଙ୍କ ସ୍ଵାବ୍ ସଂଗ୍ରହ କରି ପରୀକ୍ଷା ପାଇଁ ପଠାଯାଇଛି। ସେହିପରି ଧର୍ମଶାଳା ଥାନା ଅଧୀନ ନଳୀପୁର ଅଞ୍ଚଳରୁ ଜଣେ ନିଜାମୁଦ୍ଦିନ ଧର୍ମ ସମ୍ମିଳନୀରୁ ଫେରିଥିବା ବ୍ୟକ୍ତିଙ୍କୁ ଆଜି ପ୍ରଶାସନ ଉଠାଇ ନେଇଛି। ସ୍ବାସ୍ଥ୍ୟ ପରୀକ୍ଷା ପରେ କ୍ବାରେଣ୍ଟାଇନ୍‌ରେ ରଖିବା ପାଇଁ ନିଷ୍ପତ୍ତି ନିଆଯାଇଛି। ସେ ହାଇଦ୍ରାବାଦରୁ ଯାଇ ନିଜାମୁଦ୍ଦିନ ଧର୍ମସଭାରେ ଯୋଗ ଦେଇ ଘରକୁ‌ ଫେରିଥିଲେ। କୌଣସି ପରୀକ୍ଷା କରି ନଥିଲେ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପରେ ଆଜି ପ୍ରଶାସନ ପକ୍ଷରୁ ପୁଲିସ ସହାୟତାରେ ତାଙ୍କୁ ଡାକ୍ତରଖାନାର ପରୀକ୍ଷା କରାଯାଇଥିଲା। ତାଙ୍କୁ କ୍ବାରେଣ୍ଟାଇନ୍‌ରେ ରଖାଯାଇଥିବାବେଳେ ପ୍ରଶାସନ କଡ଼ା ନଜର ରଖିଛି ବୋଲି ତହସିଲଦାର ସରୋଜ ପଣ୍ଡା କହିଛନ୍ତି।