Odiapua.com

ଯାଜପୁର ଜିଲ୍ଲାର କନିଷ୍ଠ ଯନ୍ତ୍ରୀ ହେଲେ ବିଡିସିଡିଏ ସଂପାଦକ, ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ସଭାପତିଙ୍କ ଘୋର ବିରୋଧ

ଭଦ୍ରକ, ୧୭ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ)- ଅନୈତିକ ଉପାୟରେ ରାଜ୍ୟ ସରକାରଙ୍କ ପଂଚାୟତରାଜ ବିଭାଗ ଅଧିନରେ କାର୍ଯ୍ୟରତ କନିଷ୍ଠ ଯନ୍ତ୍ରୀ ଦୀପକ କୁମାର ଆଚାର୍ଯ୍ୟ, ସରକାରଙ୍କ ଜ୍ଞାତସାରରେ ଚାକିରୀରେ ଥାଇ ଦୀର୍ଘ ୧୫ ବର୍ଷ ଧରି ଭଦ୍ରକ ଜିଲ୍ଲା ଔଷଧ ବ୍ୟବସାୟୀ ସଂଘ(ବିଡିସିଡିଏ)ର ସଂପାଦକ ଭାବେ କାର୍ଯ୍ୟ ତୁଲାଇ ଆସିବା ସହ ସଂଘର ଅର୍ଥ ହେରଫେର ମାମଲାରେ ଜଡ଼ିତ ଅଛନ୍ତି। ସରକାରୀ ନିୟମ ଅନୁସାରେ ସରକାରୀ ଚାକିରୀ କରୁଥିବା କୌଣସି ବ୍ୟକ୍ତି ଅର୍ଥ କାରବାର ହେଉଥିବା କୌଣସି ବେସରକାରୀ ସଂସ୍ଥାରେ କାମ କରି ପାରିବେ ନାହିଁ। କିନ୍ତୁ ଶ୍ରୀ ଆଚାର୍ଯ୍ୟ ସରକାରଙ୍କ ପଂଚାୟତରାଜ ବିଭାଗେରେ ଜଣେ କନିଷ୍ଠ ଯନ୍ତ୍ରୀ ଭାବେ କାର୍ଯ୍ୟରତ ଥାଇ ମଧ୍ୟ ଭଦ୍ରକ ଔଷଧ ବ୍ୟବସାୟୀ ସଂଘ(ବିଡିସିଡିଏ)ର ସଂପାଦକ ପଦବୀକୁ ମାଡ଼ି ବସିଛନ୍ତି ଓ ବହୁ ଆର୍ଥୀକ ଅନିମୟମିତାରେ ଲିପ୍ତ ରହିଛନ୍ତି ବୋଲି ଆଜି ସ୍ଥାନୀୟ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଡିସିଡିଏର ପୂର୍ବତନ ସଭାପତି ରଂଜନ ସ୍ୱାଇଁ ଅଭିଯୋଗ କରିଛନ୍ତି।

ଶ୍ରୀ ଆଚାର୍ଯ୍ୟ ଗତ ସେପ୍ଟେମ୍ବର ୪ ତାରିଖ ଦିନ ଜିଲ୍ଲା ବିଡିସିଡିଏ ସଂଘ ଗୃହରେ ଏକ ବୈଠକ ଆହୂତ କରିଥିଲେ। ଯେଉଁ ବୈଠକରେ ଶ୍ରୀ ଆଚାର୍ଯ୍ୟଙ୍କ ବିଭିନ୍ନ ଅନୈତିକ କାର୍ଯ୍ୟକୁ ଶ୍ରୀ ସ୍ୱାଇଁ ବିରୋଧ କରିଥିଲେ। ଉକ୍ତ ବୈଠକ ଡାକିବାର କୌଣସି ଅଧିକାର ତାଙ୍କର ନାହିଁ ବୋଲି ସେ କହିଥିଲେ। ବର୍ତ୍ତମାନ ଶ୍ରୀ ଆଚାର୍ଯ୍ୟଙ୍କର କୌଣସି ଔଷଧ ଦୋକାନ ଓ ଭେଲିଡ ଡ୍ରଗ ଲାଇସେନ୍ସ ନାହିଁ। ଏହା ସତ୍ୱେ କେତେକ ଅନୁଗତ ସଭ୍ୟମାନଙ୍କୁ ହାତବାରିସି କରି ନିଜକୁ ପୁନର୍ବାର ସଂଘର ସଂପାଦକ ଭାବେ ଅଧିଷ୍ଠିତ କରିବାକୁ ମସୁଧା କରିଥିଲେ। ସେହି ଅନୁଯାୟୀ ଆସନ୍ତା ଅବଧି ୨୦୨୨ରୁ ୨୫ ପାଇଁ ସଂଘର ନାମକୁ ମାତ୍ର ନିର୍ବାଚନ କରାଇ ନିଜକୁ ପୁନର୍ବାର ସଂପାଦକ ଭାବେ ଉପସ୍ଥାପିତ କରି ଏଥିରେ ସଫଳ ହୋଇଛନ୍ତି। ନିଜର କେତେକ ଅନୁଗତ ଓ ବାହୁବଳୀ ସମର୍ଥକଙ୍କ ସହାୟତାରେ ଶ୍ରୀ ଆଚାର୍ଯ୍ୟ ଅନ୍ୟ କୌଣସି ସଭ୍ୟଙ୍କୁ ପ୍ରତିଦ୍ୱନ୍ଦିତାର ସୁଯୋଗ ନ ଦେଇ ନିଜକୁ ପୁନର୍ବାର ସଂପାଦକ ପଦବୀରେ ଅଧିଷ୍ଠିତ କରିଛନ୍ତି। ଏଠାରେ ଶ୍ରୀ ସ୍ୱାଇଁ ଗଣମାଧ୍ୟମ ପ୍ରତିନିଧିମାନଙ୍କ ମାଧ୍ୟମରେ ଶ୍ରୀ ଆଚାର୍ଯ୍ୟ ଦୀର୍ଘ ବର୍ଷ ଧରି ସଂଘର ସଂପାଦକ ରହି ସଂଘର ଅର୍ଥ ଆତ୍ମସାତ ଓ ହେରଫେର କରିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ଯାହାକି ଏବେ ମଧ୍ୟ ଭଦ୍ରକ କୋର୍ଟରେ ବିଚାରାଧିନ ରହିଛି। ଶ୍ରୀ ଆଚାର୍ଯ୍ୟ ଚାକିରି କରି ମଧ୍ୟ ନିଜ ନାମରେ ସରକାରଙ୍କ ଠାରୁ ଲାଇସେନ୍ସ ନେଇ ପୂର୍ବରୁ ଔଷଧ ବ୍ୟବସାୟ କରୁଥିଲେ। ଯାହାକୁ ଶ୍ରୀ ସ୍ୱାଇଁ ବିରୋଧ କରି ମାନ୍ୟବର ହାଇକୋର୍ଟଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ମାନ୍ୟବର କୋର୍ଟ ଆଚାର୍ଯ୍ୟଙ୍କ ଲାଇସେନ୍ସ ରଦ୍ଦ କରିବା ପାଇଁ ଡ୍ରଗ୍ସ କଂଟ୍ରୋଲରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଡ୍ରଗ୍ସ କଂଟ୍ରୋଲର ଆଚାର୍ଯ୍ୟଙ୍କ ପାର୍ଟନରସିପ ଲାଇସେନ୍ସରୁ ତାଙ୍କ ନାମକୁ ସସପେଣ୍ଡ କରିଥିଲେ। ଯାହାକି ଶ୍ରୀ ସ୍ୱାଇଁ ଲିଖିତ ଭାବରେ ରାଜ୍ୟ ସଂଘ ସଂପାଦକ ଓ ସଭାପତିଙ୍କୁ କୋର୍ଟଙ୍କ ରାୟର ଅବିକଳ ନକଲ ସହିତ ଅବଗତ କରାଇଥିଲେ। କିନ୍ତୁ ରାଜ୍ୟ ସଂଘ(ୟୁସିଡିଏ)ର ସମ୍ବିଧାନ ବର୍ହିଭୂତ ଅବୈଧ କାର୍ଯ୍ୟକୁ ରାଜ୍ୟ ସଂଘ କର୍ମକର୍ତାଙ୍କ ନିକଟରୁ ଅନୁମୋଦନ ଲାଭ କରିବାର ଅଭିପ୍ରାୟ ରଖି ଗତ ୨୦୨୨ ଅକ୍ଟୋବର ତା ୧୬ ରିିଖ ଦିନ ଭଦ୍ରକ ସହିଦ ସ୍ମୃତି ଭବନ ଠାରେ ଏକ ସାଧାରଣ ପରିଷଦ ଆୟୋଜନ କରି ସଭ୍ୟମାନଙ୍କ ଅଗୋଚରରେ ଅଡିଟ ବାଲାନ୍ସ ସିଟ ସଭାରେ ଆଗତ କରିଥିଲେ। ଏବଂ ଚଂଚକତା ପୂର୍ବକ ସେମାନଙ୍କ ସ୍ୱାକ୍ଷର ନେଇ ନିଜ କାର୍ଯ୍ୟ ହାସଲ କରିବାରେ ସଫଳ ହୋଇଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ସ୍ୱାଇଁ ଯେଉଁ ସଭ୍ୟଙ୍କର ନିଜର ଲାଇସେନ୍ସ ନାହିଁ ଅର୍ଥାତ୍‌, ସଂଘର ସମ୍ବିଧାନ ଅନୁଯାୟୀ ସଭ୍ୟ ହେବାର ଯୋଗ୍ୟତା ନାହିଁ, ସେ କିପରି ସାଧାରଣ ପରିଷଦ ବୈଠକ ଡାକିଲେ ଓ ଜିଲ୍ଲା ସଂଘ ଗଠନ କଲେ ତାହା ଏକ ପ୍ରଶ୍ନବାଚୀ ବୋଲି କହିଛନ୍ତି। ଏହି କ୍ରମରେ ସଂଘର ସଦସ୍ୟ ହେବାକୁ ଅଯୋଗ୍ୟ ଶ୍ରୀ ଆଚାର୍ଯ୍ୟ କେଉଁ ନୈତିକତା ଆଧାରରେ ସଂଘରୁ ଶ୍ରୀ ସ୍ୱାଇଁଙ୍କୁ ବହିଷ୍କାର କଲେ, ତାହା ସେ ସ୍ପଷ୍ଟ କରିବା ଆବଶ୍ୟକ ବୋଲି ଆଜିର ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।