Odiapua.com

ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ, ସେମିରେ ବାସୁଦେବପୁର ଉତ୍କଳିକା

ଭଦ୍ରକ, ୯ା୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅନ୍ତର୍ଗତ ନେରଡା ଗ୍ରାମର ଯଶୋଟିକିରି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆଜି ଉଦ୍‌ଘାଟିତ ହୋଇଛି । ନେରଡା ସରପଞ୍ଚ ବଦ୍ରୀନାରାୟଣ ରାଉତ ମୁଖ୍ୟଅତିଥି ଭାବେ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟନ କରିଥିଲେ । ବୈତରଣୀ ନଦୀକୂଳ ବୈତରଣୀ କ୍ରିକେଟ ପଡିଆରେ ଆଜି ଅନୁଷ୍ଠିତ ଉତ୍କଳିକା ବାସୁଦେବପୁର ଦଳ ସହ ଆର.ସି.ସି. ୟଙ୍ଗଷ୍ଟାର କଟକ ଦଳର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ଉତ୍କଳିକା ଟସ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଏହି ଦଳ ନିର୍ଦ୍ଧାରିତ ୨୫ ଓଭରରେ ୮ ଉଇକେଟ ବିନିମୟରେ ୨୭୩ ରନ ସ୍କୋର କରିଥିଲା । ଦଳର ବ୍ୟାଟ୍ସମ୍ୟାନ ରଶ୍ମିରଞ୍ଜନ ମହାକୁଡ ୪୪ ବଲ ରୁ ୭୩ ରନ ଓ ଦିବ୍ୟଜ୍ୟୋତି ପଣ୍ଡା ୪୧ ବଲ ରୁ ୬୮ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ବୋଲର ସାଗର ପଟ୍ଟନାୟକ ୫ ଓଭର ବୋଲିଂ କରି ୪୮ ରନ ଦେଇ ୩ ଉଇକେଟ ହାସଲ କରଥିଲେ । ଜବାବରେ ୟଙ୍ଗଷ୍ଟାର ଦଳ ୨୦ ଓଭରରେ ସମସ୍ତ ଉଇକେଟ ହରାଇ ୧୬୮ ରନ କରି ପରାଜିତ ହୋଇଥିଲା । ଦଳର ବ୍ୟାଟ୍ସମ୍ୟାନ ରୂପେଶ ଦାସ ୩୮ ବଲ ରୁ ୫୬ ରନ ଓ ଶୁଭ୍ରାଂଶୁ ସାମଲ ୧୨ ବଲ ରୁ ୩୧ ରନ ସ୍କୋର କରିଥିଲେ । ବିପକ୍ଷ ଦଳର ପ୍ରଣବ ଦାସ ୪ ଓଭର ବୋଲିଂ କରି ୨୮ ରନ ବିନିମୟରେ ୪ ଉଇକେଟ ହାସଲ କରିଥିଲେ । ଉତ୍କଳିକା ଦଳର ଖେଳାଳି ପ୍ରଣବ ଦାସ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ । ଦୁର୍ଗାପ୍ରସାଦ ପଟ୍ଟନାୟକ ଓ ସତ୍ୟବ୍ରତ ଜେନା ମ୍ୟାଚର ଅମ୍ପାୟାର ଦାଇତ୍ୱ ତୁଲାଇଥିଲେ । କିଶାନ ମନୋହର ଓ ସଚ୍ଚିନ ରଥ ମ୍ୟାଚ ସ୍କୋରର ଏବଂ ମ୍ୟାଚ ରେଫରୀ ମାନସ ରଞ୍ଜନ ପଣ୍ଡା ଥିଲେ । ଦିପ୍ତି ଦାସ, ପ୍ରତ୍ୟୁଷ ସାହୁ ଓ ପ୍ରଦୀପ ଜେନା ଧାରାବିବରଣୀ ଦେଇଥିଲେ । ସୋମବାର ବାଲେଶ୍ୱର ମର୍ଣ୍ଣିଂ କ୍ଲବ ଓ କଟକ ଜୁଭେନାଇଲ କ୍ଲବ ମଧ୍ୟରେ ଦ୍ୱିତୀୟ କ୍ୱାଟର ଫାଇନାଲ ମ୍ୟାଚ ଅନୁଷ୍ଠିତ ହେବ ।