Odiapua.com

ଯଶସ୍ୱୀ ଗାଳ୍ପିକ ରେଣୁବାଳାଙ୍କ ଶ୍ରାଦ୍ଧୋତ୍ସବ

ଭଦ୍ରକ, ୨୫ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଆମ ମାତୃଭାଷା ପରିଷଦ, ଭଦ୍ରକ ଓ ଗାଳ୍ପିକା ରେଣୁବାଳା ସ୍ମୃତି କମିଟି ଆନୁକୁଲ୍ୟରେ ଯଶସ୍ୱୀ ଗାଳ୍ପିକା ରେଣୁବାଳା ନାୟକଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଚରମ୍ପା ନିକଟସ୍ଥ କଣ୍ଟାପାଳରେ ଅନୁଷ୍ଠିତ ହୋଇଯାଇଛି। ଭଦ୍ରକ ଡେପୁଟି କଲେକ୍ଟର କାର୍ତିକ ନାଥ ମଣ୍ଡଳ ମୁଖ୍ୟ ଅତିଥି ଭାବେ ସ୍ମୃତିଚାରଣ ସଭାକୁ ଉଦ୍‌ଘାଟନ କରିବା ପରେ ପ୍ରଖ୍ୟାତ ଗାଳ୍ପିକାଙ୍କ ସ୍ମୃତିରେ ପ୍ରକାଶିତ ସ୍ମରଣିକା “ମନେ ଅଛି ଯେତିକି”କୁ ଉନ୍ମୋଚନ ସହ ତାଙ୍କ ଲିଖିତ ଗଳ୍ପପୁସ୍ତକ ‘ସମୟର ଅନ୍ୱେଷଣ’, ‘ମାଟିଫୁଲ’, ‘ତୁମ ବିନା’ ଓ ‘ଅକୁହା କଥା’ର ସାମାଜିକ ମୂଲ୍ୟବୋଧ ଉପରେ ଶତାଧିକ କବିକୁ ଉଦ୍‌ବୋଧନ ଦେଇଥିଲେ। ଶିଶୁ ସାହିତ୍ୟିକ ତଥା କବୀ ମମତାରାଣୀ ଦାଶମିଶ୍ର ବୌଦ୍ଧିକ ଚେତନା ସମ୍ପର୍କିତ କବିତାଗୁଡ଼ିକୁ ସଂଯୋଜନା କରିଥିଲେ। ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ, ବରିଷ୍ଠ କବି ଉମାକାନ୍ତ ନାୟକ, ଅବସରପ୍ରାପ୍ତ ଅଧ୍ୟକ୍ଷ ପ୍ରଫେସର ରାମଚନ୍ଦ୍ର ପଣ୍ଡା, ବିଶିଷ୍ଟ ଶିଶୁ ସାହିତ୍ୟ ଡକ୍ଟର ସୁରେନ୍ଦ୍ର ନାଥ ତ୍ରିପାଠୀ, ନୂଆଯୁଗର ନୂଆ ସକାଳ ସମ୍ପାଦକ ଇଂ ଅବନୀ ମଲ୍ଲିକ, ଶିକ୍ଷାବିତ୍ ମନୋଜ କୁମାର ରାଉତ, ସାହିତ୍ୟିକ ଅମରେଶ ବିଶ୍ୱାଳ, ଗୀତିକାର ପୀତାମ୍ବର ମିଶ୍ର, ପ୍ରାଧ୍ୟାପକ ଡକ୍ଟର ଅଜୟ କୁମାର ମଲ୍ଲିକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ପ୍ରଖ୍ୟାତ ଗାଳ୍ପିକ ରେଣୁବାଳାଙ୍କ କଥା ସାହିତ୍ୟରେ ମାନବିକତା ସମ୍ପର୍କରେ ଆଲୋକପାତ କରିଥିଲେ। ସ୍ମୃତି କମିଟିର ସଭାପତି ଇଂ ଅଭୟ ସୂତାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ଅବସରପ୍ରାପ୍ତ ପ୍ରାଧ୍ୟାପିକା ଭାନୁମତୀ ମାଟିଆଙ୍କୁ ‘ଗାଳ୍ପିକ ରେଣୁବାଳା ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା। ସଂପାଦକ ଡାକ୍ତର ଅନୀଲ କୁମାର ଦାଶ ବାର୍ଷିକ ବିବରଣୀ ପ୍ରଦାନ କରିବା ପରେ ଭଜନ ଗାନ କରି ସାରସ୍ୱତ ସାଧକମାନଙ୍କୁ ମୁଗ୍ଧ କରିଥିଲେ। କବୀ ରୂପଶ୍ରୀ ରାଉତ ମଞ୍ଚ ଆହ୍ୱାନ, ପ୍ରଧାନ ଶିକ୍ଷକ ବୈକୁଣ୍ଠ ନାଥ ଓଝା ମାନପତ୍ର ପାଠ, ପ୍ରାଧ୍ୟାପକ ଶିବଚରଣ ଖାମୁରାଇ, ଡକ୍ଟର ରମାକାନ୍ତ ନାୟକ, କବି ଶୀତଳ କୁମାର ବେହେରା ଓ ଶିକ୍ଷାବିତ୍ ପୂର୍ଣ୍ଣଚନ୍ଦ୍ର ମହାଳିକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଗାଳ୍ପିକାଙ୍କ ଦୁଇ ପୁତ୍ର ରଶ୍ମିକାନ୍ତ ନାୟକ ଓ ରଜତ କୁମାର ନାୟକ ବିଭିନ୍ନ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ଏବଂ ସୁଶ୍ରୀ ଶିଖା ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।