Odiapua.com

ଯଶସ୍ବୀ ନାଟ୍ୟକାର ଓ ସଂଳାପ ଲେଖକ ରଣଜିତ୍‌ ପଟ୍ଟନାୟକଙ୍କର ପରଲୋକ

କଟକ :୧୦/୮ (ଓଡ଼ିଆ ପୁଅ/ଅଭୟ ଜେନା) ବିଶିଷ୍ଟ ନାଟ୍ୟକାର, ଚଳଚ୍ଚିତ୍ର ସଂଳାପ ଲେଖକ ଓ ଗୀତିକାର ରଣଜିତ୍ ପଟ୍ଟନାୟକଙ୍କର ପରଲୋକ ଘଟିଛି। ତାଙ୍କ କଟକ ସିଡିଏ ସ୍ଥିତ ବାସଭବନରେ ହୃଦଘାତଯୋଗୁ ଗତକାଲି ବିଳମ୍ବିତ ରାତିରେ ପରଲୋକ ହୋଇଥିବା ଜଣାପଡିଛି। ସେ ବହୁ ଓଡ଼ିଆ ଚଳଚିତ୍ର ଓ ଟିଭି ଧାରାବାହିକରେ ସଂଳାପ ରଚନା କରିଛନ୍ତି।

ଏହା ବ୍ୟତୀତ ସେ ମଧ୍ୟ ଜଣେ ଅଭିନେତା, ନିର୍ଦ୍ଦେଶକ, ସଂଗୀତକାର ଓ ଚିତ୍ରନାଟ୍ୟ ଲେଖକ ଭାବେ ପରିଚିତ ଥିଲେ। ସେ ସଂଳାପ ଦେଇଥିବା ଲୋକପ୍ରିିୟ ଫିଲ୍ମ ମଧ୍ୟରେ ରହିଛି ‘ପ୍ରେମୀ ନମ୍ବର-୧’, ‘ବର୍ଷା ମାଇଁ ଡାର୍ଲିଂ’, ‘ପ୍ରେମ ଋତୁ ଆସିଲାରେ’, ‘ମୋତେ ତ ଲଭ୍‌ ହେଲାରେ’, ‘ମୁଁ ତତେ ଲଭ୍‌ କରୁଛି’ ‘ଡନ୍‌’ ଇତ୍ୟାତି। ପ୍ରାୟ ୭୦ଟି ଓଡ଼ିଆ ଚଳଚ୍ଚିତ୍ରରେ ସେ ସଂଳାପ ଲେଖିଥିବା ବେଳେ ତାଙ୍କର ଅଧିକାଂଶ ଚଳଚ୍ଚିତ୍ର ସୁପର୍‌ହିଟ୍‌ ହୋଇଛି। ରଣଜିତ୍‌ ଓଡ଼ିଶାର ବହୁ ଆଗ ଧାଡ଼ିର ଚଳଚ୍ଚିତ୍ର ନିର୍ଦ୍ଦେଶକ, ସାଧୁ ମେହେର, ବସନ୍ତ ସାହୁ, ସୁଧାଂସୁ ମୋହନ ସାହୁ, ଅଶୋକ ପତି, ସୁଧାକର ବସନ୍ତ, ପ୍ରଭାକର ଆଦିଙ୍କ ସହ କାମ କରିଛନ୍ତି। ସେ ମଧ୍ୟ ଆକାଶ ବାଣୀ ଓ ଦୂରଦର୍ଶନର ଜଣେ ସ୍ୱୀକୃତି ପ୍ରାପ୍ତ କଳାକାର ଥିଲେ। ସେ ସାହିତ୍ୟ ଏକାଡେ଼ମୀ, ସଂଗୀତ ନାଟକ ଏକାଡେ଼ମୀ, ପ୍ରଜାତନ୍ତ୍ର ପ୍ରଚାର ସମିତି, ଆଦି ନାଟ୍ୟକାର ଓ ବୈଷ୍ଣବ ପାଣି ନାଟ୍ୟ ସମ୍ମାନରେ ସମ୍ମାନିତ ହୋଇଥିଲେ।

ସେ କାନାରା ବ୍ୟାଙ୍କ୍‌ରେ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ। ତାଙ୍କ ପତ୍ନୀ ଓ ଜଣେ ପୁତ୍ର ସନ୍ତାନ ଅଛନ୍ତି। ତାଙ୍କ ବିୟୋଗରେ ଚଳଚ୍ଚିତ୍ର ଓ ନାଟ୍ୟ ଜଗତ ଓ କଳାକାରଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି।