Odiapua.com

ଯଦୁପୁର ପରିହତ୍ୟା ଘଟଣା: ଜନ୍ମ ପ୍ରମାଣ ପତ୍ର ଯାଂଚ ପାଇଁ ଗତୀଶ୍ୱର ଡିଗ୍ରୀ କଲେଜରେ ପହଂଚିଲେ କ୍ରାଇମବ୍ରାଂଚ

ନୟାଗଡ଼, ୧୯ା୧ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ବହୁ ଚର୍ଚ୍ଚିତ ନୟାଗଡ଼ ଯଦୁପୁର ପରିହତ୍ୟା ଘଟଣାର ଦବ୍‌ଦବା ଏବେବି ଦବିନି। ଯଦୁପୁର ଗାଁ ସିନା ଶୂନଶାନ୍ ହୋଇଯାଇଛି। ହେଲେ ପରିହତ୍ୟା ଚର୍ଚ୍ଚା ଏଯାଏଁ ବି କମିନି। ଏସଆଇଟି ଅଭିଯୁକ୍ତ ଛାତ୍ରକୁ ଗିରଫ କରିବା ପରେ ସବୁ କଳ୍ପନା ଜଳ୍ପନା ଅନ୍ତଃ ହୋଇଯାଇଥିଲେ ମଧ୍ୟ ଅଭିଯୁକ୍ତକୁ ଗିରଫ କରିବା ପରେ ଅଭିଯୁକ୍ତ ସାବାଳକ ନା ନାବାଳକ ଏହାକୁ ନେଇ ଏବେବି ଖୋଳତାଡ଼ ଚାଲିଛି। ହେଲେ ପୋକ୍ସୋ କୋର୍ଟ ଅଭିଯୁକ୍ତ ସବୁ ପ୍ରମାଣ ପାଇ ନାବାଳକ କହି ଅଭିଯୁକ୍ତକୁ ଜୁଭେନାଇଲ କୋର୍ଟକୁ ପଠାଇ ଦେଇଥିଲେ ମଧ୍ୟ ଅଭିଯୁକ୍ତର ଜନ୍ମ ପ୍ରମାଣକୁ ଆଧାର କରି କ୍ରାଇମବ୍ରାଂଚ ତନାଘନା ଚଳାଇଛି। ମଙ୍ଗଳବାର ମଧ୍ୟାହ୍ନରେ କ୍ରାଇମବ୍ରାଂଚ ପୁଲିସ ଅଭିଯୁକ୍ତ ପଢୁଥିବା ନୟାଗଡ଼ ଜିଲା ନୂଆଗାଁ ବ୍ଳକର ମାଳିସାହି ଗତୀଶ୍ୱର ଡିଗ୍ରୀ କଲେଜରେ ପହଂଚି ଅଭିଯୁକ୍ତର ଜନ୍ମ ପ୍ରମାଣପତ୍ର ନେଇଛି। କ୍ରାଇମବ୍ରାଂଚ ଏସ୍‌ପି ଆର କେ ଦୋରା ଓ ଇନ୍ସପେକ୍ଟର ନରେନ୍ଦ୍ର କୁମାର ବେହେରା ଗତୀଶ୍ୱର ଡିଗ୍ରୀ କଲେଜରେ ପହଂଚି କଲେଜର ଅଧ୍ୟକ୍ଷ ସୁଶାନ୍ତ କୁମାର କରଙ୍କୁ ଭେଟି ଅଭିଯୁକ୍ତ ଛାତ୍ରର ନାମ ଲେଖାଇଥିବା ଜନ୍ମ ପ୍ରମାଣ ପତ୍ର ସାର୍ଟିଫିକେଟ କପି ନେଇଥିବା ଜଣାପଡ଼ିଛି। ତେବେ ବିଶ୍ୱସ୍ତ ସୂତ୍ରରୁ ଯାହା ଜଣାପଡ଼ିଛି ଅଭିଯୁକ୍ତର ମାଟ୍ରିକ ସାର୍ଟିଫିକେଟରେ ଜନ୍ମ ତାରିଖ ୦୬.୦୨.୨୦୦୩ ଥିଲାବେଳେ ନୟାଗଡ଼ର ଚଣ୍ଡି ହାଇସ୍କୁଲ ବାଲୁଗାଁରେ ପଢୁଥିବା ତା’ର ମାଟ୍ରିକ ସାର୍ଟିଫିକେଟରୁ ଜଣାପଡ଼ୁଛି। ଏପରିକି ସେ ନୟାଗଡ଼ ଏନଏସିରୁ ତା.୩୦.୦୧ ୨୦୧୪ରେ ପାଇଥିବା ଜନ୍ମ ସାର୍ଟିଫିକେଟରେ ମଧ୍ୟ ତା’ର ଜନ୍ମ ତାରିଖ ତା.୦୬.୦୨.୨୦୦୩ ରହିଛି। ଏମିତି ଅଭିଯୁକ୍ତର ଉଭୟ ଜନ୍ମ ତାରିଖକୁ ଦେଖିଲେ ଏବେବି ଅଭିଯୁକ୍ତ ନାବାଳକ ଥିବା ସୂଚୀତ ହେଉଛି। ତେଣୁ ଅଭିଯୁକ୍ତ ନାବାଳକ ନା ସାବାଳକ ତା’ର ବିଭିନ୍ନ ଦିଗକୁ ନେଇ ସସ୍‌ପେନ୍ସ ଲାଗି ରହିଥିବାବେଳେ ପୋକ୍ସୋ କୋର୍ଟ ଅଭିଯୁକ୍ତ ନାବାଳକ ବୋଲି ପୂର୍ବରୁ ସୂଚନା ଦେଇସାରିଛନ୍ତି। ତେବେ ଅଭିଯୁକ୍ତର ଜନ୍ମ ପ୍ରମାଣ ପତ୍ର ଗତୀଶ୍ୱର ଡିଗ୍ରୀ କଲେଜରୁ କ୍ରାଇମବ୍ରାଂଚ ନେବା ପରେ ଏହାକୁ ଅତି ଗୁରୁତ୍ୱର ସହ ବିଚାର କରାଯାଉଥିବାବେଳେ ଅଭିଯୁକ୍ତ ସାବାଳକ ନା ନାବାଳକ ସବୁ ସ୍ପଷ୍ଟ ହୋଇଯିବ ବୋଲି ଅନୁମାନ କରାଯାଉଛି।