Odiapua.com

ଯଦି ବାସ୍ତବରେ ନ୍ୟାୟ ପ୍ରଦାନ କରିବାକୁ ଇଛା ତେବେ ବିଜେଡ଼ି ଦଳ ସଭାପତି ବା ମୁଖ୍ୟମନ୍ତ୍ରୀ ପଦବୀ ମଧ୍ୟରୁ ଗୋଟିଏ ଓବିସି / ଏସ୍‌ଇବିସି ବର୍ଗର ଜଣେ ବ୍ୟକ୍ତିଙ୍କୁ ଦିଅନ୍ତୁ : କଂଗ୍ରେସ

ଓବିସି / ଏସ୍‌ଇବିସି ବର୍ଗର ଲୋକଙ୍କୁ ଚାକିରୀ ଓ ଶିକ୍ଷାରେ ସଂରକ୍ଷଣ ଦେବାପାଇଁ ସମ୍ବିଧାନ ଅଧିକାର ଦେଇଛି, ଦଳ ଭାଇଙ୍କୁ ଟିକେଟ ବାଂଟିବାକୁ ନୁହେଁ : କଂଗ୍ରେସ

ଭୁବନେଶ୍ୱର ୧୩.୮ (ଓଡ଼ିଆ ପୁଅ) – ଦୀର୍ଘ ୨୦ ବର୍ଷଧରି ରାଜ୍ୟରେ ୫୦ ପ୍ରତିଶତରୁ ଅଧିକ ଓବିସି / ଏସ୍‌ଇବିସି ବର୍ଗର ବ୍ୟକ୍ତିଙ୍କୁ ଶକ୍ଷା ଓ ଚାକିରୀ କ୍ଷେତ୍ରରେ ପ୍ରତାରଣା କରିବାପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଂଚାୟତ ନିର୍ବାଚନର ଫାଇଦା ପାଇଁ ହୀନ ରାଜନୀତି ଆରମ୍ଭ କରିଛନ୍ତି।

ଅଗଷ୍ଟ ୧୩ ତାରିଖ ଶୁକ୍ରବାର ଦିନ ବିଜୁ ଜନତା ଦଳ ପକ୍ଷରୁ ଘୋଷଣା କରାଯାଇଛି ଯେ ଆଗାମୀ ପଂଚାୟତ ନିର୍ବାଚନରେ ଦଳ ଓବିସି / ଏସ୍‌ଇବିସି ବର୍ଗର ବ୍ୟକ୍ତିଙ୍କୁ ୨୭ ପ୍ରତିଶତ ପ୍ରାର୍ଥୀ ଭାବରେ ଟିକେଟ ବଂଟନ କରିବ। ଏହି ନିଷ୍ପତି ବିଜୁଜନତା ଦଳ ଓ ମୁଖ୍ୟମନ୍ତ୍ରୀଙ୍କର ଓବିସି ଙ୍କ ପ୍ରତି ଚରମ ଉପହାସ। କଂଗ୍ରେସ ଭବନ ଠାରେ ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ିର ଏହି ନିଷ୍ପତିକୁ ଭର୍ତ୍ସନା କରାଯିବା ସହ ଓବିସି ବର୍ଗଙ୍କୁ ସମ୍ବିଧାନ ପ୍ରଦାନ କରିଥିବା ଅଧିକାରରୁ ବଂଚିତ କରି ନବୀନ ବାବୁ ଅତ୍ୟନ୍ତ ହୀନ ଓ ସଂକୀର୍ଣ୍ଣ ରାଜନୀତି କରୁଛନ୍ତି ବୋଲି ପିସିସି ଗଣମାଧ୍ୟମ ଆବାହକ ଶ୍ରୀ ସତ୍ୟପ୍ରକାଶ ନାୟକ ଅଭିଯୋଗ କରିଛନ୍ତି। ଦୁଇ ଦଶନ୍ଧି ଧରି ରାଜ୍ୟର ୫୨ ପ୍ରତିଶତ ଓବିସି ସଂପ୍ରଦାୟଙ୍କୁ ସେମାନଙ୍କର ନ୍ୟାର୍ଯ୍ୟ ଅଧିକାରରୁ ବଂଚିତ କରିବା ପରେ ଏବେ ୨୭ ପ୍ରତିଶତ ଦଳୀୟ ଟିକେଟ ବାଂଟିବା ନବୀନଙ୍କ କେଉଁ ସାମାଜିକ ନ୍ୟାୟର ନୀତିକୁ ଦର୍ଶାଉଛି ବୋଲି କଂଗ୍ରେସ ପ୍ରଶ୍ନ୍ କରୁଛି। ରାଜ୍ୟରେ ଯେତେବେଳେ ଲକ୍ଷାଧିକ ଛାତ୍ରଛାତ୍ରୀ ଓବିସିଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାରୁ ବଂଚିତ ହେଉଛନ୍ତି ସେତେବେଳେ ନବୀନ ବାବୁ ଚାକିରୀ ଓ ଶିକ୍ଷାରେ ସେମାନଙ୍କୁ ନ୍ୟାୟ ପ୍ରଦାନ ନକରି ଓବିସି ବର୍ଗର ବ୍ୟକ୍ତିଙ୍କୁ ବିଜେଡ଼ି ଦଳୀୟ ଟିକେଟ ପ୍ରଦାନ କରିବା ଘୋଷଣା ସମଗ୍ର ଓବିସି ବର୍ଗଙ୍କ ପ୍ରତି ଘୋର ଅନ୍ୟାୟ ବୋଲି ଶ୍ରୀ ନାୟକ ପ୍ରକାଶ କରିଛନ୍ତି।

ଉକ୍ତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ପକ୍ଷରୁ ବିଜୁଜନତା ଦଳକୁ ତିନିିଗୋଟି ପ୍ରଶ୍ନ୍ ପଚରା ଯାଇଛି।

୧. ଓବିସିଙ୍କୁ ୨୭ ପ୍ରତିଶତ ସଂରକ୍ଷଣ ପ୍ରଦାନ ପାଇଁ କେନ୍ଦ୍ର ସରକାର ନିୟମ କରିସାରିଥିବା ବେଳେ ରାଜ୍ୟ ସରକାର କାହିଁକି ଏହାକୁ ଲାଗୁ କରୁନାହାନ୍ତି?

୨. ୨୭ପ୍ରତିଶତ ଓବିସି ପ୍ରାର୍ଥୀଙ୍କୁ ଟିକେଟ ଦେବା ନେଇ ବିଜେଡ଼ିକୁ କଂଗ୍ରେସର ପ୍ରଶ୍ନ – ଏ ହିସାବର ଆଧାରଟି କ’ଣ?

୩. ସୁପ୍ରିମକୋର୍ଟର ୫୦ ପ୍ରତିଶତ କ୍ୟାପିଂକୁ ବଢ଼ାଇବା ପାଇଁ କାହିଁକି ଏଯାଏ ବିଜେଡ଼ି ସରକାର ବିଧାନ ସଭାରେ ସଂକଳ୍ପ ପାରିତ କରି କେନ୍ଦ୍ର ସରକାରଙ୍କୁ ପଠାଉ ନାହାନ୍ତି?

ଏକମାତ୍ର ଭାରତୀୟ ଜାତୀୟ କଂଗ୍ରେସ ସାମାଜିକ ନ୍ୟାୟରେ ବିଶ୍ୱାସକରେ ଓ କାର୍ଯ୍ୟକରିଥାଏ। ଓଡ଼ିଶାରେ କଂଗ୍ରେସ ଏକମାତ୍ର ଦଳ ଯାହାର ରାଜନୈତିକ ଇତିହାସରେ ଦଳିତ, ଆଦିବାସୀ, ମହିଳା, ଓବିସି, ଏସ୍‌ଇବିସି ଓ ସାଧାରଣ ବର୍ଗର ସମସ୍ତଙ୍କୁ ନେତୃତ୍ୱ ଦେବାର ସୁଯୋଗ ପ୍ରଦାନ କରିଛି। ଯଦି ବିଜେଡ଼ି ବାସ୍ତବରେ ସାମାଜିକ ନ୍ୟାୟରେ ବିଶ୍ୱାସ ରଖିଥାଏ ତେବେ ବିଜେଡ଼ିର ସଭାପତି ଓ ମୁଖ୍ୟମନ୍ତ୍ରୀ ଉଭୟ ପଦରେ ୨୪ ବର୍ଷ ଧରି ଜଣେ ଉଚ୍ଚବର୍ଗର ବ୍ୟକ୍ତିଙ୍କୁ କାହିଁକି ରଖାଯାଇଛି ବୋଲି କଂଗ୍ରେସ ଦଳ ପ୍ରଶ୍ନ କରିବା ସହିତ ଯଦି ଓବିସି ଓ ଏସ୍‌ଇବିସି ଙ୍କ ପ୍ରତି ଦରଦ ଅଛି ତେବେ ପଂଚାୟତ ନିର୍ବାଚନ ପୂର୍ବରୁ ବିଜେଡ଼ି ସଭାପତି କିମ୍ବା ମୁଖ୍ୟମନ୍ତ୍ରୀ ପଦବୀରୁ ଗୋଟିଏ ପଦବୀ ଓବିସି ଓ ଏସ୍‌ଇବିସି ବର୍ଗରୁ ଦିଅନ୍ତୁ ବୋଲି କଂଗ୍ରେସ ଆହ୍ୱାନ କରିଛି।

ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ଶ୍ରୀ ଜ୍ଞାନଦେବ ବେଉରା ଓ ମନୋଜ ମହାପାତ୍ର ଉପସ୍ଥିତ ଥିଲେ।