Odiapua.com

ମୟୁରଭଞ୍ଜ ଜିଲ୍ଲା : ଆଦିବାସୀମାନଙ୍କ ବିକାଶରେ ବାଧକ ବାରିପଦା ପିଏଆଇଟିଡ଼ିଏ – ରବର ଚାଷୀ

ବାରିପଦା ୦୬/୧୧ (ଓଡ଼ିଆ ପୁଅ/ସନ୍ତୋଷ ବରଜ)- ୨୦୧୧ ଜନଗଣନା ଅନୁସାରେ ମୟୁରଭଞ୍ଜ ଜିଲ୍ଲାର ଜନସଂଖ୍ୟା ୨୫, ୧୯, ୭୩୮ ରହିଥିଲା ଏବଂ ଗ୍ରାମାଞ୍ଚଳରେ ବସବାସ କରୁଥିବା ଜନସଂଖ୍ୟା ୨୩, ୨୬, ୮୪୨ ଥିଲା। ଏହି ଜନ ସଂଖ୍ୟା ମଧ୍ୟରୁ ଆଦିବାସୀ ସମ୍ପ୍ରଦାୟଙ୍କ ସଂଖ୍ୟା ୫୮.୭୨ ପ୍ରତିଶତ ହାରରେ ୧୪, ୭୯, ୫୭୬ ରହିଥିବା ବେଳେ ଗ୍ରାମାଞ୍ଚଳର ଜନସଂଖ୍ୟା ୬୧.୮୪ ପ୍ରତିଶତ ହାରରେ ୧୪, ୩୯, ୦୦୨ ରହିଥିଲା। ବର୍ତ୍ତମାନ ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ ସଂସ୍ଥା ଅଧୀନରେ ରହିଥିବା ଆଦିବାସୀ ସମ୍ପ୍ରଦାୟର ରବର ଚାଷୀମାନେ ସେମାନଙ୍କ ଅର୍ଥନୈତିକ ବିକାଶରେ ବାରିପଦା ପିଏ ଆଇଟିଡ଼ିଏ ବିଜନ କୁମାର ଥମ୍ବ ବାଧକ ସାଜିଥିବାର ଅଭିଯୋଗ ବାଢ଼ିଛନ୍ତି। କେବଳ ଏତିକି ନୁହେଁ ସେମାନଙ୍କୁ ଜାତିଆଣା ଆକ୍ଷେପ କରିଥିବା ସହ ଥାନା କଚେରୀର ଭୟ ଦେଖାଇଥିବାର ସଙ୍ଗୀନ ଅଭିଯୋଗ ଆଣିଥିବା ବେଳେ ଏହାକୁ ସିଧାସଳଖ ଭାବେ ଖଣ୍ଡନ କରିଛନ୍ତି ବାରିପଦା ସମନ୍ୱିତ ଆଦିବାସୀ ଉନ୍ନୟନ କାର୍ଯ୍ୟାଳୟର ପ୍ରକଳ୍ପ ପ୍ରଶାସକ ଶ୍ରୀଥମ୍ବ।

ମୟୁରଭଞ୍ଜ ଜିଲ୍ଲାରେ ଆଦିବାସୀମାନେ ଏବେ ମଧ୍ୟ ପାଇନାହାନ୍ତି ସେମାନଙ୍କ ଅଧିକାର। ସରକାରୀ ବ୍ୟବସ୍ଥା ମଧ୍ୟରେ ସେମାନଙ୍କ ହକ୍କୁ ସରକାର ଭେଳିକି ବନାଇ ଦେଇଛନ୍ତି। ଆଦିବାସୀମାନଙ୍କର ଆର୍ଥିକ, ସାମାଜିକ କ୍ଷେତ୍ରରେ ସାମଗ୍ରୀକ ବିକାଶ ନାମରେ ଯୋଜନା ପରେ ଯୋଜନା ପ୍ରଣୀତ ହେଉଥିଲେ ମଧ୍ୟ ସେମାନଙ୍କ ବିକାଶ ରଥର ଚକ ଆଗକୁ ଆଗେଇବା ପରିବର୍ତ୍ତେ ପଛକୁ ଠେଲି ହେବାରେ ଲାଗିଛି। ଅନୁସୂଚିତ ଜାତି ଓ ଜନଜାତିକୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ରାଜକୋଷରୁ ପ୍ରତ୍ୟେକ ବର୍ଷ କୋଟି କୋଟି ଟଙ୍କା ବ୍ୟୟ ବରାଦ କରିଆସୁଥିବା ବେଳେ କେବଳ ପରିସଂଖ୍ୟାନ ଭିତରେ ଉନ୍ନତିର ବାସ୍ତବ ଚିତ୍ର ରହିଯାଉଛି ଏବଂ ଆଦିମ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ସାମଗ୍ରୀକ ବିକାଶ ଲକ୍ଷଚ୍ୟୁତ ହୋଇଥିବାର ଅଭିଯୋଗ ଆସିଛି।

୨୦୧୩ରେ ମୟୁରଭଞ୍ଜ ଜିଲ୍ଲାର ତକ୍ରାଳୀନ ଲୋକପ୍ରିୟ ଜିଲ୍ଲାପାଳ ରାଜେଶ ପ୍ରଭାକର ପାଟିଲ ଆଦିମ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡକୁ ସୁଦୃଢ଼ କରାଇବା ସଂଗେସଂଗେ ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରାଇବା ନିମନ୍ତେ ମୟୁରଭଞ୍ଜ ଜିଲ୍ଲାର ଜଳବାୟୁ, ପରିବେଶ ଆଦିକୁ ନଜରକୁ ନେଇ ଆମ୍ବ, ମକା, ରବର, ପିଜୁଳି, କଦଳୀ ଓ କାଜୁ ଆଦି ଚାଷକୁ ଗୁରୁତ୍ୱ ଦେଇ ଥିଲେ। ଉକ୍ତ ଚାଷରେ ମୟୁରଭଞ୍ଜ ଜିଲ୍ଲାର ବିଭିନ୍ନ ବ୍ଲକରେ ବସବାସ କରୁଥିବା ହଜାର ହଜାର ଆଦିବାସୀ ବିଶେଷ ଭାବେ ଉପକୃତ ହୋଇଥିବା ବେଳେ ମୟୁରଭଞ୍ଜ ଜିଲ୍ଲାର ବାରିପଦା ପିଏ ଆଇଟିଡିଏଙ୍କ ଅଧୀନରେ ଥିବା ବଡ଼ସାହି, ବାରିପଦା, ଖୁଣ୍ଟା ଆଦି ବ୍ଲକରେ ଶହ ଶହ ରବର ଚାଷୀ ଆଜି ପୂର୍ବତନ ଜିଲ୍ଲାପାଳ ଶ୍ରପାଟିଲ ଏବଂ ପୂର୍ବତନ ପିଏ ଆଇଟିଡ଼ିଏ ତୁଷାରକାନ୍ତି ମହାନ୍ତିଙ୍କୁ ଝୁରିବାରେ ଲାଗିଛନ୍ତି।

ବାରିପଦା ପିଏ ଆଇଟିଡ଼ିଏଙ୍କ କାର୍ଯ୍ୟାଳୟ ଅଧୀନରେ ଆସୁଥିବା ବାରିପଦା, ଖୁଣ୍ଟା, ବଡ଼ସାହି ଆଦି ବିଭିନ୍ନ ବ୍ଲକରେ ବସବାସ କରୁଥିବା ଆଦିମ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜନସାଧାରଣଙ୍କ ଶହ ଶହ ଏକର ଜମିରେ ହଜାର ହଜାର ସଂଖ୍ୟାରେ ରବର ଗଛ ରୋପଣ କରାଯାଇଥିଲା ଏବଂ ଉକ୍ତ ଗଛର ନିୟମିତ ଯତ୍ନ ନେବା, ପ୍ରତ୍ୟେକ ବର୍ଷ ମୂଳକୁ କୋଡ଼ାଖୋସା କରି ସାର, ଔଷଧ ଓ ପାଣି ଆଦି ଦେବା ନିମନ୍ତେ ଅର୍ଥ, ସାର ଓ ଔଷଧ ଯୋଗାଇ ଦେଇ ଆସୁଥିଲେ। ଫଳରେ ଆଦିମ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜନସାଧାରଣଙ୍କ ଜମିରେ ରବର ଗଛର ସବୁଜିମାର ଲହଢ଼ି ଭାଙ୍ଗୁଥିଲା। ଆଦିମ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜନସାଧାରଣ ରବର ଉତ୍ପାଦନ ମାଧ୍ୟମରେ ସେମାନଙ୍କ ପରିବାରର ମୁହଁରେ ଦୁଇ ଓଳି ଭଲ ଆହାର ଯୋଗାଇ ଦେବା ସାଙ୍ଗକୁ ବସବାସ ନିମନ୍ତେ ଭଲ ସ୍ଥାୟୀ ଘରର ନିର୍ମାଣ, ଯାତାୟତର ସୁବିଧା ପାଇଁ ଗାଡ଼ି ଏବଂ ପିଲାମାନଙ୍କୁ ଡ଼ାକ୍ତର, ଇଞ୍ଜିନିୟର, କଲେକ୍ଟର ଆଦି କରାଇବା ନିମନ୍ତେ ସ୍ୱପ୍ନ ଦେଖିଥିଲେ। ଜିଲ୍ଲାପାଳ ଶ୍ରୀପାଟିଲଙ୍କ ବଦଳିର ପରବର୍ତ୍ତି ସମୟରେ ରବର ଚାଷୀମାନେ ଦେଖି ଆସୁଥିବା ସ୍ୱପ୍ନ ଦିବା ସ୍ୱପ୍ନରେ ପରିଣତ ହେବାକୁ ବସିଛି। ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ପିଏ ଆଇଟିଡ଼ିଏ ବିଜନ କୁମାର ଥମ୍ବ କାର୍ଯ୍ୟଭାର ସମ୍ଭାଳିବା ପରେ ହଠାତ୍ ପୂର୍ବରୁ ରବର ଚାଷୀମାନଙ୍କୁ ମିଳୁଥିବା ସମସ୍ତ ଆର୍ଥିକ ଅନୁଦାନକୁ ବନ୍ଦ କରିଦିଆ ଗଲା। ସରକାରୀ ଆର୍ଥିକ ସହାୟତା ବନ୍ଦ ହେବା ଫଳରେ ଆଦିମ ଅନୁସୂଚିତ ଜାତି ଓ ଜନଜାତି ବର୍ଗର ଜନସାଧାରଣଙ୍କ ଜମିରେ ଲାଗିଥିବା ଲକ୍ଷାଧିକ ରବର ଗଛ ଉପଯୁକ୍ତ ଯତ୍ନ ଓ ରକ୍ଷଣାବେକ୍ଷଣର ଅଭାବରୁ ଧ୍ୱଂସ ପଥରେ ମୁହାଁଇବା ଆରମ୍ଭ କରିଛି। ଜମିଗୁଡ଼ିକ ଘାସ, ଲଟାବୁଦାରେ ପରିପୂର୍ଣ୍ଣ ହୋଇ ଜଙ୍ଗଲରେ ପରିଣତ ହେବାରେ ଲାଗିଛି। ୨/୩ ବର୍ଷ ମଧ୍ୟରେ ଯେଉଁ ରବର ଗଛରୁ ରବରର କ୍ଷୀର ଉତ୍ପାଦନ ଆରମ୍ଭ ହୋଇଥାନ୍ତା ତାହା ସରକାରୀ ଓ ଜିଲ୍ଲାପ୍ରଶାସନର ଅପାରଗତା, ଆନ୍ତରିକତାର ଅଭାବ, ଦାୟିତ୍ୱ ହୀନତା କାରଣରୁ ମରିବା ଆରମ୍ଭ କରିଛି। ଏହା ଦେଖି ଚାଖୀମାନେ ହତାଶ ହୋଇପଡ଼ିଛନ୍ତି। ସେମାନେ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଓ ବାରିପଦା ପିଏ ଆଇଟିଡ଼ିଏଙ୍କୁ ବାରମ୍ବାର ସାକ୍ଷାତ କରିବା ସହ ସେମାନଙ୍କ ସମସ୍ୟାଗୁଡ଼ିକୁ ନେଇ ଗୁହାରୀ ଜଣାଇ ଆସୁଥିଲେ ମଧ୍ୟ ପ୍ରଶାସନ ନୀରବ ଦ୍ରଷ୍ଟା ସାଜିଥିବାର ରବର ଚାଷୀମାନେ ଅଭିଯୋଗ କରିଛନ୍ତି। ପୂର୍ଣ୍ଣଚନ୍ଦ୍ରପୁର ଗ୍ରାମର ରାଜକିଶୋର ସିଂ ଓ ରଇବାରୀ ସିଂ ବଷେ ପୂର୍ବରୁ ଏକ ମାସରୁ ଅଧିକ ଦିନ ରବର ପ୍ଲାଣ୍ଟେସନରେ କାର୍ଯ୍ୟକରିଥିଲେ ମଧ୍ୟ ଅଦ୍ୟାବଧି ମଜୁରୀ ପାଇ ନାହାନ୍ତି ବୋଲି କହିଥିଲେ।

ବଡ଼ସାହି ବ୍ଲକର ବେତନଟା ଗ୍ରାମର ରୁହିଆ ସିଂଙ୍କ ଅଭିଯୋଗ ଆଧାରରେ ୨୦୧୩-୧୪ରେ ତାଙ୍କ ଗ୍ରାମରେ ୮୪ ଆଦିବାସୀ ପରିବାରଙ୍କ ୧୨୪ ଏକର ଜମିରେ ରବର ଗଛ ଲଗାଯାଇଥିଲା। ୨୦୧୮ରେ ସରକାରୀ ସହାୟତା କିଛି ମାତ୍ରାରେ ମିଳିଥିବା ସମୟରେ ୨୦୧୯ରେ ଗୋଟାଏ ପଇସା ପାଇପାରି ନାହାନ୍ତି। କାର୍ଯ୍ୟକରିଥିବା ଶ୍ରମିକମାନେ ସେମାନଙ୍କର ପ୍ରାପ୍ୟ ପାଇପାରି ନାହାନ୍ତି। ୨୦୧୩ ପୂର୍ବରୁ ଜମିରେ ବିଭିନ୍ନ କିସମର ଚାଷ କରି ପରିବାର ଭରଣପୋଷଣ କରିଆସୁଥିଲେ। ବର୍ତ୍ତମାନ ଜମି ଗଲା ଓ ରୋଜଗାରର ପନ୍ଥା ମଧ୍ୟ ଗଲା। ଜମି ଅର୍ଦ୍ଧମୃତ ଅବସ୍ଥାରେ ରହିଛି। ଜିଲ୍ଲାପାଳ ଓ ପିଏ ଆଇଟିଡ଼ିଏଙ୍କୁ ଦେଖାକରି ଆମର ବିଲୁପ୍ତ ପ୍ରାୟ ରବର ପ୍ଲାଣ୍ଟେସନ ଉପରେ ଅବଗତ କରାଇବା ପରେ ଆମକୁ ସହଯୋଗର ହାତ ବଢ଼ାଇବା ପରିବର୍ତ୍ତେ ଦୁର୍ବ୍ୟବହାର ଓ ପୁଲିସର ଭୟ ଦେଖାଇ ଥିଲେ ବୋଲି ଅଭିଯୋଗ କରିଛନ୍ତି।

ସେହିପରି ପିଏ ଆଇଟିଡ଼ିଏ ବିଜନ କୁମାର ଥମ୍ବ ରବର ଗଛ ସବୁ ଖାଇ ଦେଇ ମୋର ଚାକିରୀ ଖାଇବା ନିମନ୍ତେ ତୁମେ ସବୁ ଆଦିବାସୀ ଚାଲିଆସିଛ ବୋଲି କହିଥିଲେ। ଯାହା ଆମର ସ୍ୱାଭିମାନ ଉପରେ ଆଘାତ ପହଁଞ୍ଚାଇଛି। ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ବ୍ରହ୍ମାନନ୍ଦ ବେହେରା ପିଏ ଆଇଟିଡ଼ିଏ ଥିବା ପର୍ଯ୍ୟନ୍ତ ସବୁ କିଛି ଠିକ୍ଠାକ୍ ରହିଥିଲା। ଶ୍ରୀଥମ୍ବ ଆସିବାର ପରବର୍ତ୍ତି ସମୟରୁ ୪୩ ହଜାର ରବର ପ୍ଲାଣ୍ଟେସନରେ ଶ୍ରମିକମାନେ ଗତ ଦୁଇ ବର୍ଷ ୨ ଶହ ଦିନରୁ ଅଧିକ କାର୍ଯ୍ୟ କରିଥିବା ବେଳେ ୧୮ ଦିନର ମଜୁରୀ ମିଳିଛି। ସାର ଓ ଔଷଧ ଯୋଗାଇ ଦେଇ ନାହାନ୍ତି। ରବର ଚାଷୀମାନଙ୍କ ନିମନ୍ତେ ଆସୁଥିବା ସାର ଓ ଔଷଧଗୁଡ଼ିକୁ ଦିଆନଯାଇ ହୁଏତ କଳାବଜାରୀ କରାଯାଇପାରିଥଏ ବୋଲି ବଡ଼ସାହି ବ୍ଲକର ମଧୁପୁର ଗ୍ରାମର କରମ ସିଂ ଅଭିଯୋଗ କରିଛନ୍ତି।

ପୁଣି ରେଣ୍ଟାସାହି ଗ୍ରାମ ଓ ରେଣ୍ଟାସାହି ପ୍ରୋଜେକ୍ଟର ଉଦ୍ୟାନ ସାଥୀ ସମାୟ ଟୁଡ଼ୁଙ୍କ ଅଭିଯୋଗ ଦୁଇ ବର୍ଷ ପୂର୍ବରୁ ସବୁ କିଛି ଠିକ୍ରେ ଚାଲିଆସୁଥିଲା। ପିଏ ଆଇଟିଡ଼ିଏ ଭାବେ ବିଜନ କୁମାର ଥମ୍ବ ଓ ଏସଏମଏସ ଭାବେ ହରିଶ୍ଚନ୍ଦ୍ର ବେହେରା କାର୍ଯ୍ୟଭାର ଗ୍ରହଣ କରିବା ପରଠାରୁ ସବୁକିଛି ଓଲଟପାଲଟ ହୋଇଗଲା। ଆମକୁ ଡ଼ାକି ଆମ ପ୍ରତି କରିଥିବା ଜାତିଆଣା ଆକ୍ଷେପ ଆମର ସ୍ୱାଭିମାନ ଉପରେ ଆଘାତ ପହଁଞ୍ଚାଇଛି। କେବଳ ଏତିକି ନୁହେଁ ଘରେ ଘରେ ପଶି ସମସ୍ତଙ୍କୁ ଆରେଷ୍ଟ କରିଦେବାର ଧମକ ମଧ୍ୟ ଦେଇଛନ୍ତି। ତେଣୁ ହିତାଧିକାରୀମାନଙ୍କ ବୃହତ୍ତ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପିଏ ଆଇଟିଡ଼ିଏ ଶ୍ରୀଥମ୍ବ ଓ ଏସଏମଏସ ଶ୍ରୀବେହେରାଙ୍କୁ ତୁରନ୍ତ ବଦଳି ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି ରେଣ୍ଟାସାହି ରବର ପ୍ରୋଜେକ୍ଟର ଉଦ୍ୟାନ ସାଥୀ ସାମାୟ ଟୁଡ଼ୁ। ମଧୁପୁର ଗ୍ରାମର ଗୌରମୋହନ ସିଂଙ୍କ କହିବା ଅନୁସାରେ ଆମେ ଗରୀବ ଆଦାବାସୀ। ଆମକୁ ସରକାର ପଇସା ଯୋଗାଉ ନାହାନ୍ତି। ରବର ଗଛକୁ ବଞ୍ଚାଇ ରଖିବା ନିମନ୍ତେ ସଂଘର୍ଷ ଚଳାଇ ଆସୁଛେ। ପଇସା ମାଗିବାରୁ ଆମ୍ଭମାନଙ୍କୁ ଡ଼ାକି ଜାତିଆଣା ଆକ୍ଷେପ କରାଯାଇଛି, ଯାହା ଆମ୍ଭ ହୃଦୟରେ ଗଭୀର ଆଘାତ ପହଁଞ୍ଚାଇଛି ବୋଲି ଅଭିଯୋଗ କରିଛନ୍ତି।

ଏବିଷୟରେ ପିଏ ଆଇଟିଡ଼ିଏଙ୍କ ପ୍ରତିକ୍ରିୟା ଜାଣିବା ନିମନ୍ତେ ଫୋନରେ ଯୋଗାଯୋଗ କରିବାରୁ ଗଣମାଧ୍ୟମକୁ ଷ୍ଟେଟମେଣ୍ଟ ଦେବାର କ୍ଷମତା ତାଙ୍କୁ ମିଳିନାହିଁ। ତଥାପି ଅଭିଯୋଗକୁ ଖଣ୍ଡନ କରିବା ସହ ଭିତରକୁ ପଶିବାକୁ ପରାମର୍ଶ ଦେଇଥିଲେ।