Odiapua.com

ମୟୁରଝାଲିଆରେ ହାତୀ ମାତିଲେ ଧାନ ଦଳିଲେ

ନୟାଗଡ଼ ୦୪/୦୯ (ଓଡ଼ିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ) – ପ୍ରତିବର୍ଷ ଧାନ ଥୋଡ ହେବା ଓ ପାଚିଲା ସମୟରେ ବିଶେଷତଃ ହାତୀ ଦଳ ଗାଁ ମୁହାଁ ହୋଇ ଧାନ ଖାଇଯାନ୍ତି। ଯାହାଫଳରେ ଧାନଚାଷୀ ମାନେ ବ୍ୟାପକ କ୍ଷତି ସହିଥାନ୍ତି। ବନ ବିଭାଗ ତରଫରୁ ଯାହା କ୍ଷୟକ୍ଷତି ମିଳିଥାଏ ତାହା ସମୁଦ୍ରକୁ ଶଙ୍ଖେ ଭଳି। କିନ୍ତୁ ଚଳିତ ବର୍ଷ ହାତୀ ଦଳ ଧାନ ଥୋଡ ହେବା ପୂର୍ବରୁ ସେମାନଙ୍କର ଉତ୍ପାତ ଆରମ୍ଭ କଲେଣି। ସେଭଳି ଦେଖିବାକୁ ମିଳୁଛି ନୟାଗଡ଼ ଜିଲ୍ଲା ମୟୁରଝାଲିଆ ଅଂଚଳରେ। ଗତ ସେପ୍ଟେମ୍ବର ୩ ତାରିଖ ରାତ୍ରିରେ ବୋରବରଝର ଧାନ ଜମିରେ ୫ ଟି ହାତୀ ଧାନ ବିଲରେ ପଶି ଦଳିଚକଟି ନଷ୍ଟ କରିଦେଇଥିବା ଜଣାପଡ଼ିଛି।

ସୁରେନ୍ଦ୍ରନାଥ କଳସ, ଆରତ କଳସ, ସୁବାଷ କଳସ, ଶରତ କଳସ ଆଦିଙ୍କ ୩ ଏକର ଧାନ ଜମି ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି। ଟାଙ୍ଗୀ ବନ ବିଭାଗ ହାତୀ ଦଳଙ୍କୁ ଘଉଡାଇ ରଣପୁର ବନାଂଚଳକୁ ଛାଡୁଥିବା ବେଳେ ରଣପୁର ବନାଂଚଳ ରେ ଥିବା ହାତୀ ସୁରକ୍ଷା ବାହିନୀ ଘଟଣାସ୍ଥଳରେ ପହଂଚୁନଥିବା ଅଭିଯୋଗ ହେଉଛି। ଅନୁକମ୍ପା ଆପ୍ ରେ ଅଭିଯୋଗ କଲେ ବନ ବିଭାଗ କ୍ଷୟକ୍ଷତିର ଆକଳନ କରିବ ଓ ହାତୀ ଘଉଡେଇବା ପାଇଁ ନିଯୁକ୍ତ ସୁରକ୍ଷା କର୍ମୀ ମାନେ କାର୍ଯ୍ୟ କରିବେ ବୋଲି ରଣପୁର ବନାଂଚଳ ଅଧିକାରୀ ସୁବ୍ରତ କୁମାର ବେହେରା କହିଛନ୍ତି।