Odiapua.com

ମ୍ୟାଡାମ୍ ଠିକ୍ କହିଲେ

Photo Credit - In stock

ଭିତରକନିକାର ବିଶ୍ଵ ପ୍ରସିଦ୍ଧ କୁମ୍ଭୀର, ଡ଼ଲଫିନ, ଅଳିଭ୍ ରିଡ଼ଲେ କଇଁଛ, ହେନ୍ତାଳବଣ, ବିସ୍ତୃତ ବେଳାଭୂମି ସହିତ ଜୀବଜନ୍ତୁ ଭରା ସବୁଜ ସୁନ୍ଦର ପରିବେଶ ଦେଶ ବିଦେଶର ପର୍ଯ୍ୟଟକ ଓ ଗବେଷକଙ୍କୁ ଆକୃଷ୍ଟ କରିଥାଏ। ବିଗତ ଏକ ଦଶନ୍ଧି ହେଲା, ମୁଁ ପ୍ରତି ବର୍ଷ ଭିତରକନିକା ଭ୍ରମଣ କରିବାକୁ ଯାଇଛି। ଏମିତି ଯିବା ଆସିବା ଭିତରେ ଅନେକ ଅନୁଭୂତିର କଥା ମଧ୍ୟ ଅଛି। ଚଳିତ ବର୍ଷ ମୁଁ ଓ ମୋର ଛଅ ଜଣ ବନ୍ଧୁ ଭିତରକନିକା ବୁଲିବାକୁ ଯାଇଥିଲୁ। ଭିତରକନିକା ଅଭୟାରଣ୍ୟ ମଧ୍ୟରେ ବୋଟରେ ବୁଲିକି କୁମ୍ଭୀର, ପଶୁପକ୍ଷୀ ତଥା ହେନ୍ତାଳ ବଣ ଦେଖିବା ଅତି ଆକର୍ଷଣୀୟ। ବୋଟ ଚାଳକ କହିଲେ ବୋଟର କ୍ଷମତା ୨୦ ଜଣ, ଜଣେ ଲୋକ ଗଲେ ଯେତିକି ଟଙ୍କା ପଡିବ, ୨୦ ଜଣ ଗଲେ ମଧ୍ୟ ସେତିକି ଟଙ୍କା ଲାଗିବ। ତେଣୁ ଆମେ ଚିନ୍ତା କଲୁ ଯଦି ଆଉ କିଛି ପର୍ଯଟକ ଆମ ସହିତ ମିଶିକି ବୁଲନ୍ତେ ତେବେ ଟଙ୍କା ଭାଗକରି ଦେଲେ ଆମର ଖର୍ଛ ପରିମାଣ କମିଯାଆନ୍ତା। ଯାହା ହେଉ ଆଉ ତିନି ଜଣ ପର୍ଯ୍ୟଟକ ମିଳିଗଲେ। ସେମାନଙ୍କ ମଧ୍ୟରେ ୨ ଜଣ ପୁରୁଷ ଓ ଜଣେ ମ୍ୟାଡାମ୍ ଥିଲେ।

ବୋଟରେ ଯାତ୍ରା କରୁଥିବା ସମୟରେ ବିଭିନ୍ନ କଥା ଆଲୋଚନା ଚାଲିଥାଏ କିନ୍ତୁ ସେ ମ୍ୟାଡାମ୍ ଜଣକ ଚୁପଚାପ ଥାଅନ୍ତି। କିଛି ସମୟ ପରେ ମୋର ଜଣେ ବନ୍ଧୁ କହିଲେ ସମସ୍ତେ ମିଶିକି ଗୋଟେ ଫଟୋ ଉଠେଇବା। ତା’ପରେ ବନ୍ଧୁ ପଚାରିଲେ ମ୍ୟାଡାମ୍ ଆପଣ କେଉଁଠାରୁ ଆସିଛନ୍ତି ? କ’ଣ କରନ୍ତି ଆପଣ ? ମ୍ୟାଡାମ୍ ଟିକେ ରାଗିଲା ଭଳି କହିଲେ ମୋ ବିଷୟରେ ଜାଣିବାକୁ ଆପଣ କାହିଁକି ଏତେ ବ୍ୟସ୍ତ ? ଖବର କାଗଜ ଓ ଟିଭି ମାଧ୍ୟମରେ ଜାଣିବାକୁ ମିଳୁଛି। ପ୍ରତିଦିନ ଠକ ଓ ଚୋରମାନେ ନୂଆ ନୂଆ ପ୍ରକାରର କୌଶଳ ଅବଲମ୍ବନ କରି ଅନେକ ଝିଅ ଓ ମହିଳା ମାନଙ୍କୁ ଅସୁବିଧାରେ ପକାଉଛନ୍ତି। ତେଣୁ ଅଜଣା ଲୋକଙ୍କ ସହିତ ବେଶି ମିଶିବା, ସେମାନଙ୍କ ସହିତ ଫଟୋ ଉଠେଇବା ଓ ବ୍ୟକ୍ତିଗତ କଥା ସେୟାର କରିବା ଠିକ ନୁହେଁ। ଏପ୍ରକାର କଥା ଶୁଣି ମୁଁ କହିଲି ମ୍ୟାଡାମ୍ ଆପଣଙ୍କୁ ଆମେ ସବୁ ଚୋର ଆଉ ଠକ ଭଳି ଦେଖାଯାଉଛୁ କି ? ମାଡାମ କହିଲେ ଅନେକ ଅଛନ୍ତି ଭଦ୍ରଲୋକ ପରି କଥା କୁହନ୍ତି କିନ୍ତୁ ପରବର୍ତ୍ତୀ ସମୟରେ ସେମାନଙ୍କର ପ୍ରକୃତ ରୂପ ଜଣାପଡେ, ସେତେବେଳକୁ ସେମାନଙ୍କ କବଳରୁ ରକ୍ଷା ପାଇବାର ଉପାୟ ନଥାଏ। ଆଜିକାଲି ଦୁନିଆରେ ଏମିତ ସବୁ ଘଟୁଛି ଯେ ଠକମାନେ ବିଭିନ୍ନ ଉପାୟରେ ବିଶ୍ୱାସ ଜିତିବାକୁ ଚେଷ୍ଟା କରିଥାନ୍ତି ତା’ପରେ ବ୍ଲାକମେଲ୍ କରିଥାନ୍ତି। ମନ୍ଦ ଉଦେଶ୍ୟ ରଖିଥିବା ବ୍ୟକ୍ତି ଯଦି କୌଣସି ଫଟୋ ପାଇଗଲେ ତାକୁ କମ୍ପୁଟର ମାଧ୍ୟମରେ ପରିବର୍ତ୍ତନ କରି ଫେକ ଆକାଉଣ୍ଟ ଖୋଲି ପୋଷ୍ଟିଂ କରିଥାନ୍ତି, ଆଜିକାଲି ଏଗୁଡା ନିତି ଦିନିଆ ହୋଇଗଲାଣି। ମୁଁ କହୁନି ଯେ ଆପଣମାନେ ଚୋର ଆଉ ଠକ, ଦୟାକରି ମୋ କଥାକୁ ଖରାପ ଭାବନ୍ତୁନି। ମୁଁ ଯାହା କହିଲି ଆଜିକାଲିର ପରିସ୍ତିତିକୁ ଦେଖିକି କହିଛି, କିଛି ମନ୍ଦ ଲୋକଙ୍କ କାର୍ଯ୍ୟ ପାଇଁ ଭଲ ଲୋକମାନଙ୍କୁ ମଧ୍ୟ ବିଶ୍ୱାସ କରି ହଉନି। ଅବିଶ୍ୱାସର ବାତାବରଣ ମଧ୍ୟରେ ସବୁ କିଛି ଚାଲିଛି। ଆମେ ନାରୀମାନେ ଠକ ମାନଙ୍କ ଦ୍ୱାରା ବିଭିନ୍ନ ପ୍ରକାର ଅସୁବିଧାରେ ପଡୁଛୁ। ମୁଁ କହିଲି ଆପଣ ଯାହା କହିଲେ ଠିକ୍ କଥା, ଆଜିକାଲିକା ପରିସ୍ଥିତି ବି ସେମିତି ହୋଇଗଲାଣି। ନିଜେ ସଚେତନ ହେଲେ, ଠକ ମାନଙ୍କ କବଳରୁ ବହୁ ପରିମାଣରେ ରକ୍ଷା ପାଇପାରିବା।

ମ୍ୟାଡାମ୍ କହିଲେ କିଛି ଦିନ ତଳେ ଟିଭିରେ ଦେଖିଥିଲି ଜଣେ ପୁରୁଷ ୧୫ ଜଣ ନା ୧୭ ଜଣ ଝିଅଙ୍କୁ ଠକି ବାହା ହୋଇଛି। ସେ ଝିଅ ମାନଙ୍କ ଅବସ୍ଥା ଏବେ କ’ଣ ହେବ ? ଏତେ ଖରାପ ଲୋକ ବି ଦୁନିଆରେ ଅଛନ୍ତି ? ଛି ଛି ଏଗୁଡା ଲଜ୍ୟାକର ଘଟଣା। ମୁଁ କହିଲି ଆପଣ ଠିକ୍ କହୁଛନ୍ତି ଯେ ପୁରୁଷଟି ଦୋଷୀ କିନ୍ତୁ ସେ ଝିଅମାନଙ୍କର କ’ଣ କିଛି ଦୋଷ ନାହିଁ କି ? ବାହାଘର ପୂର୍ବରୁ ଝିଅ ଘର ତରଫରୁ କେତେ କ’ଣ ବୁଝନ୍ତି ଓ ଦେଖନ୍ତି। ଯେମିତିକି ପୁଅଟି ଦେଖିବାକୁ କେମିତିକା, ତା’ର ବ୍ୟବହାର, ପୁଅର ଘରେ ସବୁ କିଏ କିଏ ଅଛନ୍ତି, ସେମାନେ କଣ କରୁଛନ୍ତି, ସେମାନଙ୍କ ବ୍ୟବହାର କେମିତିକା, ପୁଅ କେଉଁ ସାଙ୍ଗମାନଙ୍କ ସହିତ ମିଶୁଛି, ନିଶା ଖାଉଛି କି ନାହିଁ, କେଉଁ ଅନୁଷ୍ଠାନରେ ପଢୁଥିଲା, ଚାକିରି କରିଥିବା ଅନୁଷ୍ଠାନରେ ବୁଝନ୍ତି ପୁଅ ଚାକିରି କରିଛି କି ନାହିଁ, ସ୍ଥାୟୀ କି ଅସ୍ଥାୟୀ, କେତେ ଦରମା ପାଉଛି, ଏମିତି କେତେ କ’ଣ। ପୁଅଟି ସତ କହୁଛି କି ମିଛ କହୁଛି ତାହା ଜାଣିବା ପାଇଁ ଅନେକ ପ୍ରକାର ମାଧ୍ୟମ ଅବଲମ୍ବନ କରାଯାଇଥାଏ। ସେ ଝିଅମାନେ ସେ ବାବୁଙ୍କ ବିଷୟରେ ଏମିତି କ’ଣ ସବୁ ବୁଝିଲେ ଯେ ଗୋଟେ ପରେ ଗୋଟେ ବାହା ହୋଇପଡିଲେ ? ସାଧାରଣତଃ ଜଣେ ପରିବା କିଣିଲା ବେଳେ ପରିବାକୁ ହାତରେ ନେଇ ବାରମ୍ବାର ଦେଖିଥାଏ। ତା’ପରେ ମନ ନବୁଝିଲେ ଦୋକାନୀକୁ ପଚାରେ ବାଇଗଣ କେଉଁଠାରୁ ଆଣିଛ, ଶୁଖିଗଲାଣି, ଦେଶୀ ନା ବିଦେଶୀ ଏମିତି କେତେ କ’ଣ। ଯଦି ପରିବା କିଣିବାବେଳେ ଏତେ ସଚେତନ ତେବେ ଜୀବନସାଥୀ ବାଛିଲା ବେଳେ କେତେ ସଚେତନ ହେବା କଥା ? ମ୍ୟାଡାମ୍ କହିଲେ ଆପଣ ଯାହା କହୁଛନ୍ତି ସତ କଥା କିନ୍ତୁ ବଡ଼ ଦୁଃଖ ଓ ପରିତାପର ବିଷୟ ମହିଳା ଜଣକ ନା ଘରେ ନା ବାହାରେ ନା କର୍ମକ୍ଷେତ୍ରରେ, ସେ କେଉଁଠି ବି ସୁରକ୍ଷିତ ନୁହେଁ। ସମାଜିକ ହିଂସା, ବଳାତ୍କାର, ଦୁଷ୍କର୍ମ, ଯୌତୁକ ହତ୍ୟା ଓ ଘରୋଇ ହିଂସାର ଶିକାର ହେଉଛନ୍ତି। ଆଜିବି ଜଣେ ଝିଅ ଦିନରେ ହେଉ ବା ରାତିରେ ହେଉ ରାସ୍ତାରେ ସୁରକ୍ଷିତ ନୁହେଁ। ମହିଳାଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାରର ଆଇନ ରହିଛି ତା’ପରେ ମଧ୍ୟ ଅନେକ ମହିଳା ବିଭିନ୍ନ ପ୍ରକାରର ଶୋଷଣର ଶିକାର ହେଉଛନ୍ତି। ଏଥିପାଇଁ ଲୋକଙ୍କ ମାନସିକତାରେ ପରିବର୍ତ୍ତନ ଆସିବା ଦରକାର ଏବଂ ଦୋଷୀ ମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ଯାହା ଫଳରେ ଜଣେ ଖରାପ କାର୍ଯ୍ୟ କରିବା ପୂର୍ବରୁ ବାରମ୍ବାର ଚିନ୍ତା କରିବ।

ପରିସ୍ଥିତି ଏମିତି ହୋଇଗଲାଣି ଯେ ପ୍ରତିଦିନ ନୂଆ ନୂଆ ପ୍ରକାରର ଘଟଣା ଘଟୁଛି। ପ୍ରଥମେ ନିଜେ ସଚେତନ ହେଲେ ଓ ସତର୍କତା ଅବଲମ୍ବନ କଲେ, ବହୁ ପରିମାଣରେ ଆମେ ନିଜକୁ ସୁରକ୍ଷିତ ରଖିପାରିବା। ଆଜିକାଲିକା ପରିସ୍ତିତିକୁ ନେଇ ମ୍ୟାଡାମ୍ ଯାହା କହୁଥିଲେ ଠିକ୍ କଥା।

ଡ. ଗଣେଶ ଚନ୍ଦ୍ର କୁଣ୍ଡ
ପଟାମୁଣ୍ଡାଇ, କେନ୍ଦ୍ରାପଡା