Odiapua.com

ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଂପର୍କିତ ଜିଲାସ୍ତରୀୟ ସମୀକ୍ଷା ବୈଠକ

ଭଦ୍ରକ, ୨୯ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲାରେ ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ସଂପର୍କିତ ଏକ ଜିଲାସ୍ତରୀୟ ସମୀକ୍ଷା ବୈଠକ ଆଜି ସନ୍ଧ୍ୟାରେ ଜିଲାପାଳଙ୍କ କାର୍ଯ୍ୟାଳୟର ସାଳନ୍ଦୀ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ଜିଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଜିଲା ଶିକ୍ଷାଧିକାରୀ ଅକ୍ରୁର ବାରିକ, ତିନି ଅତିରିକ୍ତ ଜିଲା ଶିକ୍ଷାଧିକାରୀ ଦୀପକ ପାଢୀ, ମାୟାଧର ସାହୁ, ପ୍ରଣୟ କୁମାର ନାୟକଙ୍କ ସମେତ ୭ଟି ବ୍ଲକ୍‌ର ଶିକ୍ଷାଧିକାରୀ, ଶିକ୍ଷକ ତାଲିମ୍ ପ୍ରତିଷ୍ଠାନର ଅଧ୍ୟକ୍ଷ, ଜିଲା ମଂଗଳ ଅଧିକାରୀ, ଶିଶୁ ମଙ୍ଗଳ ଅଧିକାରୀ, ସମଗ୍ର ଶିକ୍ଷାର ସମସ୍ତ କର୍ମଚାରୀମାନେ ଯୋଗ ଦେଇଥିଲେ । ମୌଳିକ ସାକ୍ଷରତା ଓ ସଂଖ୍ୟା ଜ୍ଞାନ ବିଦ୍ୟାଳୟ ଶିକ୍ଷାର ମୂଳଦୁଆ । ପ୍ରଥମରୁ ତୃତୀୟ ଶ୍ରେରୀରେ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ପାଇଁ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ କାର୍ଯ୍ୟକ୍ରମ ପ୍ରତ୍ୟେକ ପ୍ରାଥମିକ ବିଦ୍ୟାଳୟରେ କିପରି ସୂଚାରୁ ରୂପେ କାର୍ଯ୍ୟକାରୀ ହେବ, ଏ ନେଇ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଗୁରୁତ୍ୱାରୋପ କରିଥିଲେ । ତୃତୀୟ ଶ୍ରେଣୀ ସମାପ୍ତ କରୁଥିବା ପ୍ରତ୍ୟେକ ଶିକ୍ଷାର୍ଥୀ ଯେଭଳି ସଠିକ୍ ଭାବେ କଥାବାର୍ତ୍ତା କରିପାରିବେ, ପଢିପାରିବ, ଲେଖିପାରିବ ଓ ମୌଳିକ ସଂଖ୍ୟାଜ୍ଞାନର ଦକ୍ଷତା ହାସଲ କରିବା ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ । ପ୍ରତ୍ୟେକ ଶିକ୍ଷାର୍ଥୀ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ଦକ୍ଷତା ହାସଲ କରିବା ପାଇଁ ସରକାର ବିବିଧ କାର୍ଯ୍ୟମାନ ହାତକୁ ନେଇଛନ୍ତି । ଜିଲାସ୍ତରରେ ଏହି କାର୍ଯ୍ୟକ୍ରମର ସଫଳତା ନେଇ ଜିଲାପାଳ ଶ୍ରୀ ବୋନ୍ଦର ଶିକ୍ଷାନୁଷ୍ଠାନ ଓ ସଂପୃକ୍ତ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି କାର୍ଯ୍ୟକ୍ରମ ସଂପର୍କିତ ସମସ୍ତ କାର୍ଯ୍ୟ ପୁସ୍ତିକା ଓ ସାମଗ୍ରୀ ଗୁଡିକୁ ସମସ୍ତ ବିଦ୍ୟାଳୟରେ ପହଞ୍ଚାଇବା ଓ ସେଗୁଡିକୁ ଛାତ୍ରଛାତ୍ରୀମାନେ ବ୍ୟବହାର କରୁଛନ୍ତି କି ନାହିଁ, ତାହାକୁ ତଦାରଖ କରିବା ପାଇଁ ଜିଲାପାଳ ଶିକ୍ଷାଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।