Odiapua.com

ମୌଳିକ ଦାବି ନେଇ ଓଷ୍ଟାର ଗଣଧାରଣା ଓ ଦାବିପତ୍ର ପ୍ରଦାନ

ଭଦ୍ରକ, ୧୮ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଂଘ (ଓଷ୍ଟା) ଭଦ୍ରକ ଜିଲ୍ଲା ପକ୍ଷରୁ ବିଭିନ୍ନ ମୌଳିକ ଦାବି ନେଇ ଜିଲ୍ଳାପାଳଙ୍କ ମାଧ୍ୟମରେ ଏକ ଦାବିପତ୍ର ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି। ଓଡ଼ିଶାରେ ନୂତନ ଅନୁଦାନପ୍ରାପ୍ତ ବିଦ୍ୟାଳୟମାନଙ୍କୁ ସପ୍ତମ ବେତନ ପ୍ରଦାନ ନାମରେ ଯେଉଁ ନୂତନ ଅନୁଦାନ ନୀତି-୨୦୨୧ ପ୍ରଣୟନ କରାଗଲା ଏବଂ ତାକୁ ଲାଗୁ କରିବା ପାଇଁ ଗତ ତା୧୩.୫.୨୦୨୨ ରିଖରେ ଯେଉଁ ମୋଡାଲିଟି ବା ପଦ୍ଧତି ନର୍ଦ୍ଧାରଣ କରାଗଲା ତାହା ଓଡ଼ିଶାର ପଚାଶ ହଜାରରୁ ଉର୍ଦ୍ଧ୍ୱ ଶିକ୍ଷକ, ଶିକ୍ଷାକର୍ମଚାରୀଙ୍କୁ ହତାଶ ଓ ନିରାଶ କରିଛି ବୋଲି ଦାବିପତ୍ରରେ ଦର୍ଶାଯାଇଛି। ଏହାଛଡ଼ା ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁଯାୟୀ ନୂତନ ବେତନ ନିର୍ବାରଣ ନିମନ୍ତେ ଥିବା ସ୍ପଷ୍ଟ ନୀତିକୁ ଏଥିରେ ବାଦ୍ ଦେଇ ସମ୍ପୂର୍ଣ୍ଣ ଭିନ୍ନ ଏବଂ ଅବାସ୍ତବ ପଦ୍ଧତିକୁ ଗ୍ରହଣ କରାଯାଇଛି। ଏହା ଓଡ଼ିଶାର ହଜାର ହଜାର ଶିକ୍ଷକ ଶିକ୍ଷାକର୍ମଚାରୀଙ୍କୁ ଆର୍ôଥକ ଭାବରେ କ୍ଷତିଗ୍ରସ୍ତ କରିବା ସହିତ ସେମାନଙ୍କର ସ୍ୱାଭିମାନ ଓ ପଦମର୍ଯ୍ୟାଦାକୁ ବ୍ୟାହତ କରିବ।

୨୦୧୭ ଅନୁଦାନ ଆଇନରେ ପର୍ଯ୍ୟବେଶିତ ବାର୍ଷିକ ଦରମା ବୃଦ୍ଧି, ଯାହାକୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସର୍ବୋଚ୍ଚ ଅଦାଲତରେ ଆଫିଡେଭିଟ୍ କରି ଦାଖଲ କରିଛନ୍ତି ତାହାର ମଧ୍ୟ ଖୋଲାଖୋଲି ଉଲ୍ଲଙ୍ଘନ କରାଯାଇଛି। ଉକ୍ତ ୨୦୧୭ ଅନୁଦାନ ଆଇନ୍‌କୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କଲାବେଳେ ବ୍ଲକଗ୍ରାଣ୍ଡ ବ୍ୟବସ୍ଥା ପରିବର୍ତ୍ତନ କରାଯାଇ ଅନୁଦାନ ଆଇନ୍ ପୁନଃ ପ୍ରଚଳନ କରାଗଲା ବୋଲି ଘୋଷଣା କରିଥିଲେ। ୦୧.୦୧.୨୦୨୨ ତାରିଖରୁ ସିଧାସଳଖ ଭାବେ ମଧ୍ୟ ସପ୍ତମ ବେତନ ନଦେଇ ୦୧.୦୧.୨୦୧୮ ରୁ ୦୧.୦୧.୨୦୨୨ ପର୍ଯ୍ୟନ୍ତ ନୋସ୍‌ନାଲ ଭାବେ ପ୍ରଦାନ କରି ଉଦ୍ଦେଶ୍ୟମୂଳକ ଭାବେ ନ୍ୟାଯ୍ୟ ବେତନରୁ ବଞ୍ଚିତ କରାଯାଉଛି ବୋଲି କ୍ଷୋଭ ପ୍ରକଟ କରି ଜିଲ୍ଳା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଗଣଧାରଣାରେ ବସିଥିଲେ। ଷଷ୍ଠ ବେତନରେ ୬୦%, ୭୫% ପାଉଥିବା ଶିକ୍ଷକ ଶିକ୍ଷାକର୍ମଚାରୀଙ୍କୁ ଅନୁପାତ ଭିଭିକ ଭାବେ ସପ୍ତମ ବେତନ ପ୍ରଦାନର ବ୍ୟବସ୍ଥା, ଯେଉଁ ବିଦ୍ୟାଳୟଗୁଡ଼ିକ ୦୧.୦୧.୨୦୨୨ ରେ ୧୦୦% ଅନୁଦାନ ନିମନ୍ତେ ଯୋଗ୍ୟ ବିବେଚିତ ହେଲେ ସେମାନଙ୍କୁ ସପ୍ତମ ବେତନରେ ଅନ୍ତର୍ଭୁକ୍ତ କରିବା, ସମସ୍ତ ବିଦ୍ୟାଳୟମାନଙ୍କରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ପାଇଁ ସପ୍ତମ ବେତନ ନିର୍ଦ୍ଧାରଣର ସର୍ବନିମ୍ନ ଗ୍ରେଡ୍ ପେ ୧୭୦୦/- ପ୍ରଦାନ ଦାବି କରି ଓଷ୍ଟା ଜିଲ୍ଲା ସଭାପତି ରମାକାନ୍ତ ପରିଡ଼ା, ରାଜ୍ୟ ନେତ୍ରୀ ସୁରଜିତା ନାୟକ, ରାଜ୍ୟ ସହସମ୍ପାଦକ ପୂର୍ଣ୍ଣଚନ୍ଦ୍ର ଦାଶ, ଜିଲ୍ଳା ଉପସଭାପତି ସନ୍ତୋଷ କୁମାର ଜେନା, ପର୍ଶୁରାମ ପାତ୍ର, ସୁବଳ ପତ୍ରୀ, ପ୍ରଭାତ ପାଣିଗ୍ରାହୀ, ହେମନ୍ତ ସୂତାର, କେଶବ ସାହୁ, ପ୍ରହଲ୍ଲାଦ ସାହୁ, ବୈକୁଣ୍ଠ ବିଶ୍ୱାଳ, ଇନ୍ଦୁମତୀ ନାୟକ ପ୍ରମୁଖ ଦାବିପତ୍ର ପ୍ରଦାନ କରିଛନ୍ତି।