ଭଦ୍ରକ, ୪ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ, ଓଡ଼ିଶା ସରକାରଙ୍କ ପକ୍ଷରୁ “ମୋ ଗାଁ ମୋ ତହସିଲ” କାର୍ଯ୍ୟକ୍ରମ ଅନ୍ତର୍ଗତ ବାସୁଦେବପୁର ତହସିଲ ଅଧୀନ ତେନ୍ତୁଳିଆ ଗ୍ରାମ ପଂଚାୟତ ଓ ବନ୍ତ ତହସିଲ୍ ଅଧିନ ଛୁଆଳସିଂଗ ଗ୍ରାମ ପଂଚାୟତରେ ଏକ ରାଜସ୍ୱ ମହାସମାଧାନ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ ଜନସାଧାରଣଙ୍କୁ ବିଭିନ୍ନ ରାଜସ୍ୱ ସେବା ଯୋଗାଇ ଦିଆଯାଇଥିଲା। ଆର.ଓ.ଆର. (ରେକର୍ଡ ଅଫ୍ ରାଇଟସ୍)ର ୨ ଖାନା ସଂଶୋଧନ ପାଇଁ ଦରଖାସ୍ତ ଗ୍ରହଣ, ସଂଶୋଧିତ ନୂତନ ପଟ୍ଟା ବଂଟନ, ବସୁନ୍ଧରା ଯୋଜନା ଅଧୀନରେ ଆବେଦନ ଗ୍ରହଣ, ବିଭିନ୍ନ ରାଜସ୍ୱ ସମ୍ବନ୍ଧୀୟ ଅଭିଯୋଗ ଗ୍ରହଣ ଓ ତାହାର ସମାଧାନ କରାଯାଇଥିଲା। ଏହା ସହିତ ଜମିଜମା ସମ୍ବନ୍ଧୀୟ ବିବାଦ, ରାଜସ୍ୱ ମାମଲା ଏବଂ ଅନ୍ୟାନ୍ୟ ଆବେଦନଗୁଡ଼ିକର ଶୁଣାଣି କରାଯାଇ ସମ୍ଭବପର ସ୍ଥଳେ ତୁରନ୍ତ ସମାଧାନ କରାଯାଇଥିଲା। ଶିବିରରେ ବହୁ ସଂଖ୍ୟକ ଲୋକ ଯୋଗଦେଇ ସରକାରଙ୍କ ବିଭିନ୍ନ ରାଜସ୍ୱ ସେବାର ସୁବିଧା ଗ୍ରହଣ କରିଥିଲେ। ସରକାରଙ୍କ ଏହି ଜନମୁଖୀ ପଦକ୍ଷେପ ମାଧ୍ୟମରେ ରାଜସ୍ୱ ସେବାକୁ ଗ୍ରାମାଞ୍ଚଳର ଲୋକଙ୍କ ଦ୍ୱାରପ୍ରାନ୍ତରେ ପହଞ୍ଚାଇବା ସହ ସେମାନଙ୍କ ସମସ୍ୟାର ଶୀଘ୍ର ସମାଧାନ କରାଯାଉଥିବା ବାସୁଦେବପୁର ଓ ବନ୍ତ ତହସିଲ ପକ୍ଷରୁ ପ୍ରକାଶ କରାଯାଇଛି।