Odiapua.com

ମୋ’ସ୍କୁଲ୍ ମୋ’ ପାଠ ମା’ : ଜିଲ୍ଲାସ୍କୁଲ୍ ଭଦ୍ରକରେ ମୋ ସ୍କୁଲ୍ ଅଭିଯାନ

ଭଦ୍ରକ, ୨୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲାସ୍କୁଲ୍‌, ଭଦ୍ରକ ଠାରେ ମୋ’ ସ୍କୁଲ୍ ଅଭିଯାନ ଅନ୍ତର୍ଗତ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ବିଦ୍ୟାଳୟର ପ୍ରଧାନଶିକ୍ଷକ ନାରାୟଣ ଚନ୍ଦ୍ର ମଲ୍ଲିକଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ଜିଲ୍ଲା ଶିକ୍ଷାଧିକାରୀ,ଭଦ୍ରକ କପିଳେନ୍ଦ୍ର ମିଶ୍ର ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ପୂର୍ବତନ ପ୍ରଧାନଶିକ୍ଷକ ତଥା ବାସୁଦେବପୁର ବ୍ଲକ୍ ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ସଂସଦ ସଭାପତି ତଥା ଚରମ୍ପା ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ସୌରେଶ ଚନ୍ଦ୍ର ମହାନ୍ତି,ସମ୍ପାଦକ ଡଃ ପ୍ରଭାସ ମହାନ୍ତି,ପ୍ରାକ୍ତନ ଛାତ୍ର ତଥା ବରିଷ୍ଠ ଆଇନଜୀବୀ ପର୍ଶୁରାମ ଦ୍ୱିବେଦୀ,ବରିଷ୍ଠ ଆଇନଜୀବୀ ତଥା ଜିଲ୍ଲାସ୍ତରୀୟ ମୋ’ ସ୍କୁଲ୍ କମିଟି ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମହାନ୍ତି ପ୍ରମୁଖ ଅତିଥି ଆସନ ଅଳଙ୍କୃତ କରିଥିଲେ । ସଭା ପ୍ରାରମ୍ଭରେ ଶିକ୍ଷକ ଅଶୋକ କୁମାର ଶତପଥି ବିଦ୍ୟାଳୟରେ ମୋ’ସ୍କୁଲ୍ ଅଭିଯାନ ସମ୍ପର୍କିତ ସମସ୍ତ ବିକାଶମୂଳକ କାର୍ଯ୍ୟର ବିବରଣୀ ଦେବା ସହ ଏହି ପାଠ ମା’ ପ୍ରତି ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ସ୍ନେହ ଶ୍ରଦ୍ଧା ଅତୁଳନୀୟ ବୋଲି କହିଥିଲେ । ସମ୍ମାନିତ ଅତିଥି ଶ୍ରୀ ସାହୁ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କ ଅକୁଣ୍ଠ ସହଯୋଗ ଯୋଗୁ ବିଦ୍ୟାଳୟର ସର୍ବାଙ୍ଗୀନ ବିକାଶ ସମ୍ଭବ ହୋଇପାରିବା ସହ ଏହା ରାଜ୍ୟର ଶ୍ରେଷ୍ଠ ଦଶଟି ମୋ’ ସ୍କୁଲ୍ ମଧ୍ୟରେ ଅନ୍ତର୍ଭୁକ୍ତ ହୋଇପାରିଛି ବୋଲି ମତବ୍ୟକ୍ତ କରିଥିଲେ । ଛାତ୍ରସଂସଦର ସଭାପତି,ସମ୍ପାଦକ ଓ ଅନ୍ୟାନ୍ୟ ପ୍ରାକ୍ତନ ଛାତ୍ରଛାତ୍ରୀ ମାନେ ବିଦ୍ୟାଳୟର ବିଭିନ୍ନ ସମସ୍ୟା ସମ୍ପର୍କରେ ଜିଲ୍ଲାଶିକ୍ଷାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ମିଶ୍ର ପ୍ରାକ୍ତନ ଛାତ୍ରଛାତ୍ରୀ ତଥା ବୁଦ୍ଧିଜୀବୀଙ୍କ ସହଯୋଗରେ ଭଦ୍ରକ ଜିଲ୍ଲାର ସମସ୍ତ ବିଦ୍ୟାଳୟକୁ ସର୍ବାଙ୍ଗ ସୁନ୍ଦର କରି ଗଢି ତୋଳିବା ସହ ଅଗଣିତ ପ୍ରତିଭାଙ୍କ ପ୍ରସୂତିଶାଳା ଜିଲ୍ଲାସ୍କୁଲ୍‌,ଭଦ୍ରକର ସମସ୍ତ ଅସୁବିଧାକୁ ଅତି ଶୀଘ୍ର ଦୂର କରିବେ ବୋଲି ପ୍ରତିଶ୍ରୁତି ରଖିଥିଲେ । ସଭାର ସଭାପତି ତଥା ପ୍ରଧାନଶିକ୍ଷକ ଶ୍ରୀ ମଲ୍ଲିକ ବିଦ୍ୟାଳୟ ପ୍ରତି ଅକୁଣ୍ଠ ସମର୍ଥନ ଓ ସେବା ନିମନ୍ତେ ସମସ୍ତ ପ୍ରାକ୍ତନ ଛାତ୍ରଛାତ୍ରୀଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ବିଦ୍ୟାଳୟର ପ୍ରାକ୍ତନ ଛାତ୍ର ତଥା ଭଦ୍ରକର ମାନ୍ୟବର ବିଧାୟକ ଶ୍ରୀ ସଞ୍ଜିବ ମଲ୍ଲିକ ବିଦ୍ୟାଳୟର ମୁଖ୍ୟ ସମସ୍ୟା ଗୁଡିକୁ ଶିଘ୍ର ସମାଧାନ କରିବା ପାଇଁ ପ୍ରଧାନଶିକ୍ଷକଙ୍କୁ ପ୍ରତିଶ୍ରୁତି ଦେଇଥିବାରୁ ସଭା ତରଫରୁ ତାଙ୍କୁ ମଧ୍ୟ ଧନ୍ୟବାଦ ଅର୍ପଣ କରାଯାଇଥିଲା । ସନ୍ତୋଷ କୁମାର ଦାଶ,ଇନ୍ଦ୍ରମଣି ପଣ୍ଡା,ଶଙ୍କର୍ଷଣ ମହାନ୍ତି,ଅଶୋକ କୁମାର ଜେନାଙ୍କ ସମେତ ବହୁ ପ୍ରାକ୍ତନ ଛାତ୍ରଛାତ୍ରୀ ଏହି ଅବସରରେ ଉପସ୍ଥିତ ରହିଥିଲେ । ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ତପସ୍ୱିନୀ ଦାସ,ମନୋଜ କୁମାର ରାୟ,ସମରେନ୍ଦ୍ରନାଥ ମିଶ୍ର,ମିନତୀ ପଣ୍ଡା,ଅକ୍ଷୟ କୁମାର ନାୟକ,ଗୀତାରାଣୀ ସ୍ୱାଇଁ,ମିଲି ପରିଡା,ସୁଷମା ବେହେରା,ମୁରାଦ୍ ଅଳ୍ଲୀ ଖାନ୍‌,ଲିପ୍‌ସିତା ବିଶ୍ୱାଳ,ସୁବାସିନୀ ମିଶ୍ର,ବିକ୍ରମ ଦାଶ,ପ୍ରତିମା ପଣ୍ଡା,ନମିତା ବେହେରା,ସଇଦୁନ୍ ନିଶା,ସ୍ମିତାବାଳା କର,ସ୍ୱର୍ଣ୍ଣପ୍ରଭା ପ୍ରଧାନ ଓ କର୍ମଚାରୀ ଅମରେନ୍ଦ୍ର ରାଉତ,ରମାକାନ୍ତ ଜେନା ଓ ସ୍ମରଜିତ୍ ମହାନ୍ତି ପ୍ରମୁଖ ସଭାକୁ ପରିଚାଳନା କରିଥିଲେ । ଚଳିତବର୍ଷ ବିଦ୍ୟାଳୟର ମାଟ୍ରିକ ପରୀକ୍ଷା ଫଳ ଶତ ପ୍ରତିଶତ ହୋଇଥିବାରୁ ଓ ବିଦ୍ୟାଳୟ ‘ସ୍କୁଲ୍ ଅଫ୍ ଏକ୍ସିଲେନ୍ସ’ ବିବେଚିତ ହୋଇଥିବାରୁ ସମସ୍ତଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଥିଲା । ଶେଷରେ ଶିକ୍ଷକ ନରେନ୍ଦ୍ର ପ୍ରସାଦ ସାହୁ ସମସ୍ତ ଅତିଥି ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।