ହାଟଡିହି- ୭ / ୧୧ : (ଓଡିଆପୁଅ / ବିକାଶ ବିଶ୍ୱାଳ) ଢ଼େଙ୍କା ଓ ସଢ଼ା ଅଞ୍ଚଳରେ ଥିବା ପରିତ୍ୟକ୍ତ ମୋରମ ଖାଣିଆରେ ପଡି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି । ଖବରରୁ ଜଣାଯାଇଛି ଯେ ସଢ଼ା ଗ୍ରାମର ବାବନ ସାହୁ (୪୫) ନାମକ ଜଣେ ବ୍ୟକ୍ତି ଢ଼େଙ୍କା ଛକ ଆଡେ ନିଜ ସାନପୁଅ ସହିତ ପରିବାପତ୍ର ପାଇଁ ଯାଇଥିଲେ । ପରିବାପତ୍ର ପୁଅ ହାତରେ ଘରକୁ ପଠାଇଦେଇ ସେ ରହିଯାଇଥିଲେ । ମାତ୍ର ରାତିସୁଦ୍ଧା ଆଉ ଘରକୁ ଫେରି ନଥିଲେ । ପରିବାର ଲୋକେ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ଆଜି ସକାଳୁ ନିକଟସ୍ଥ ଏକ ମୋରମ ଖାଣିଆରେ ତାଙ୍କର ମୃତଦେହ ଭାଷୁଥିବାବେଳେ ଚପଲଟି ଆଡି ନିକଟରେ ରଖାଯାଇଥିବା ଦେଖିବାକୁ ମିଳିଥିଲା । ଶୌଚ ହେବାପାଇଁ ଯାଇଥିବାବେଳେ ଗୋଡ ଖସିଯିବାରୁ ଖାଣିଆରେ ବୁଡିଯାଇ ତାଙ୍କର ମୃତ୍ୟୁ ଘଟିଥିବା ଅନୁମାନ କରାଯାଉଛି । ଖବରପାଇ ସୋସୋ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବଦକରି ପୋଷ୍ଟମଟମ ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାକୁ ପଠାଇ ତଦନ୍ତ ଚଳାଇଛନ୍ତି । ଖାଲି ଏହି ମୋରମ ଖାଣିଆ ନୁହଁ ସଢ଼ା ଓ ଢ଼େଙ୍କା ଅଞ୍ଚଳରେ ଥିବା ଏହିପରି ଅନେକ ମୋରମ ଖାଣିଆରେ ପଡି ଅନେକ ଲୋକ ମୃତ୍ୟୁବରଣ କରିଥିବା ନଜିର ରହିଛି । ମୋରମ ଖାଣିଆ ଗୁଡିକର ହୁଡା ନଥିବାରୁ ଏପରି ପରିସ୍ଥିତି ଉପୁଜୁଥିବା ଅଭିଯୋଗ ହେଉଛି ।