Odiapua.com

ମୋଚି ଛକ-ମା’ ଭଦ୍ରକାଳୀ ପୀଠ ରାସ୍ତାର ପୁନରୁଦ୍ଧାର ଦାବି, ୭ଦିନ ମଧ୍ୟରେ ଦାବି ପୂରଣ ନହେଲେ କଂଗ୍ରେସର ରାସ୍ତାରୋକ ଚେତାବନୀ

ଭଦ୍ରକ, ୨୨ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – କଚେରୀ ବଜାର ମୋଚି ଛକ ଠାରୁ ନଙ୍ଘାମହଲ୍ଲା, ଶଙ୍କରପୁର, ପୁରୁଣାବଜାର, ବାଙ୍କାବଜାର ଏବଂ ସଙ୍ଗତ ଛକ ଠାରୁ ମା’ ଭଦ୍ରକାଳୀ ପୀଠ ଓ ଗୁଜିଦରଡ଼ା ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତାରେ ପ୍ରଶସ୍ତିକରଣ ସହିତ ପୁନରୁଦ୍ଧାର ପାଇଁ ଦାବି କରିଛି ଭଦ୍ରକ କଂଗ୍ରେସ। ୭ଦିନ ମଧ୍ୟରେ ଏହି ଦାବି ପୂରଣ ନହେଲେ, ରାସ୍ତରୋକ ପାଇଁ ଦଳ ଚେତାବନୀ ଦେଇଛି। ଏହି ଅବସରରେ ଏକ ସ୍ମାରକପତ୍ର ଭଦ୍ରକ ବିଧାନସଭା ସ୍ତରୀୟ କଂଗ୍ରେସ ନେତୃମଣ୍ଡଳୀଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି। ଦଳର ବିଧାନସଭାସ୍ତରୀୟ ନେତା ନଳିନୀ ମହାନ୍ତିଙ୍କ ଅଭିଯୋଗ ଅନୁଯାୟୀ ଭଦ୍ର୍ରକ ପୌରକାଳିକାର ୧୫ଟି ୱାର୍ଡ଼ର ପ୍ରାୟ ୬୦ହଜାର ଲୋକ ଓ ଗୁଜିଦରଡ଼ା, ଖଣ୍ଡତଡ଼ା, ବେନ୍ତାଳ ପଞ୍ଚାୟୟର ପ୍ରାୟ ୩୫ ହଜାର ଲୋକ ଏହିପରି ୧ଳକ୍ଷରୁ ଉର୍ଦ୍ଧ୍ୱ ଲୋକ ଉକ୍ତ ରାସ୍ତା ଉପରେ ନିର୍ଭରଶୀଳ। ଉକ୍ତ ରାସ୍ତା ଦେଇ ସ୍କୁଲ, କଲେଜ, ବସଷ୍ଟାଣ୍ଡ, ରେଲୱେ ଷ୍ଟେସନ, କୋର୍ଟ, ଡାକ୍ତରଖାନାକୁ ଉକ୍ତ ଅଞ୍ଚଳର ଲୋକମାନେ ଯାଆସ କରିଥାନ୍ତି। କିନ୍ତୁ ଉକ୍ତ ରାସ୍ତାଟି ଅଣ ଓସାରିଆ ଓ ବ୍ୟାପକ ଜବରଦଖଲ ମଧ୍ୟରେ ରହିଥିବାରୁ ଅତ୍ୟାବ୍ୟାକ ସେବାରେ ନିୟୋଜିତ ଅଗ୍ନିଶମ ବାହିନୀର ଦମକଳ, ଆମ୍ବୁଲାନ୍ସ ଯାତାୟାତ କ୍ଷେତ୍ରରେ ଗୁରୁତର ସମସ୍ୟା ସୃଷ୍ଟି ହେଉଛି। ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ ମଧ୍ୟ ଯାତାୟାତ କରିବା ପାଇଁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।

ସେହିପରି ଉକ୍ତ ରାସ୍ତା ଦେଇ ଭଦ୍ରକର ଆରାଧ୍ୟ ଦେବୀ ମା’ ଭଦ୍ରକାଳୀଙ୍କ ଦର୍ଶନ ପାଇଁ ଜିଲ୍ଲା ତଥା ସମଗ୍ର ରାଜ୍ୟ ଏପରିକି ରାଜ୍ୟ ବାହାରୁ ଆସୁଥିବା ଶ୍ରଦ୍ଧାଳୁ ମଧ୍ୟ ଅନୁରୂପ ସମସ୍ୟାର ସମ୍ମୁଖୀନ ହୋଇ ଚାଲିଛନ୍ତି। ତେଣୁ ୭ଦିନ ମଧ୍ୟରେ ଏହି ରାସ୍ତାର ପୁନରୁଦ୍ଧାର କରାନଗଲେ ଦଳ ପକ୍ଷରୁ ରାସ୍ତାରୋକ କରାଯିବ ବୋଲି ଚେତାବନୀ ଦିଆଯାଇଛି। ସୂଚନାଯୋଗ୍ୟ ୨୦୧୮ ମସିହା ଅଗଷ୍ଟ ମାସ ୧ ତାରିଖ ଉକ୍ତ ରାସ୍ତାର ପୁନରୁଦ୍ଧାର ଦାବିରେ ହଳଦିଡିହ ବାଇପାସ ଛକ ଠାରେ ଏକ ରାସ୍ତାରୋକ ଆନ୍ଦୋଳନ ହୋଇଥିଲା। କଂଗ୍ରେସର ଉକ୍ତ ଆନ୍ଦୋଳନକୁ ସମର୍ଥନ ଜଣାଇ କେତେକ ସାମାଜିକ ସଂଗଠନ, ପୁରୁଣାବଜାର ଅଞ୍ଚଳର ବରିଷ୍ଠ ନାଗରିକ ଓ ଭଦ୍ରକ ମୁସଲିମ୍ ଜମାତ ମଧ୍ୟ ଉକ୍ତ ରାସ୍ତାର ପୁନରୁଦ୍ଧାର ପାଇଁ ଦାବି ଜଣାଇଥିଲା। ତେବେ ପ୍ରଶାସନ ପକ୍ଷରୁ ଏହାର ପୁନରୁଦ୍ଧାର ପାଇଁ ବିଭିନ୍ନ ସମୟରେ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା ପୂରଣ ହୋଇ ନାହିଁ। ଆଜି ଏହି ଦାବିପତ୍ରର ନକଲ ପୂର୍ତ ଓ ଗୃହ ନିର୍ମାଣ ବିଭାଗ ନିର୍ବାହୀ ଯନ୍ତ୍ରୀ, ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କୁ ପ୍ରଦାନ କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ଅନ୍ୟମାନଙ୍କ ମଧ୍ୟରେ ଅଶ୍ରଫ ଅଲ୍ଲୀ ଖାଁ, ରାଜନ ଲାହା, ଡା. ରବି ମହାପାତ୍ର, ଜିଲ୍ଲା ଛାତ୍ର ସଭାପତି ସେକ୍ ସାହିଲ, ପାରିଷଦ ହେମନ୍ତ ସାହୁ, ସେକ୍ ଜଫିରୁଦ୍ଦିନ, ମିର୍ଜା ଏକରାମ୍‌, ଇଲିୟାସ ଅଲ୍ଲୀ ଖାନ, ବିଜୟ ବାରିକ, ରଂଜନ ଜେନା, ସେକ୍ ସୁଲେମାନ, ଉଜ୍ୱଳ ନାୟକ, ସେକ୍ କାଲୋ, ସେକ୍ ତୋବରକ, ସଂଗ୍ରାମ ସାହୁଙ୍କ ସମେତ ବହୁ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।