Odiapua.com

ମୋଚି ଛକ-ଭଦ୍ରକାଳୀ ରାସ୍ତା ନିର୍ମାଣ ପ୍ରସଙ୍ଗ, ପ୍ରଥମେ ରାସ୍ତାର ଉଭୟ ପାର୍ଶ୍ୱ ସରକାରୀ ଜମିରୁ ଜବରଦଖଲ ଉଛେଦ ଦାବି କଲା କଂଗ୍ରେସ

ଭଦ୍ରକ, ୧୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ କଚେରୀ ବଜାର ମୋଚି ଛକ ଠାରୁ ନଙ୍ଘାମହଲ୍ଲା, ଶଙ୍କରପୁର, ପୁରୁଣାବଜାର, ବାଙ୍କାବଜାର, ସଙ୍ଗତ ଛକ ଠାରୁ ଗୁଜିଦରଡ଼ା ପଞ୍ଚାୟତ ପର୍ଯ୍ୟନ୍ତ ରାସ୍ତାର ପ୍ରଶସ୍ତିକରଣ ଓ ସ୍ଥାୟୀ ନିର୍ମାଣ ପାଇଁ ଇତିମଧ୍ୟରେ ବିଭାଗୀୟ ଟେଣ୍ଡର ଆହ୍ୱାନ କରାଯାଇଛି। ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ଆମେ ଏହି ପ୍ରକ୍ରିୟାକୁ ପୂର୍ଣ୍ଣପ୍ରାଣରେ ସମର୍ଥନ କରିବା ସହିତ ସ୍ୱାଗତ କରୁଛୁ ବୋଲି ମତପୋଷଣ କରିଛନ୍ତି ଭଦ୍ରକ ବିଧାନସଭା କଂଗ୍ରେସର ନେତୃମଣ୍ଡଳୀ। କାରଣ ଦଳ ପକ୍ଷରୁ ଦର୍ଶାଯାଇଛି ଯେ; ଏହି ରାସ୍ତାର ପୁନରୁଦ୍ଧାର ସହିତ ସ୍ଥାୟୀ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେଲେ ଭଦ୍ରକ ପୌରପାଳିକାର ୧୫ଟି ୱାର୍ଡ଼ର ୬୦ହଜାରରୁ ଉର୍ଦ୍ଧ୍ୱ ସମେତ ଗୁଜିଦାରଡ଼ା, ଖଣ୍ଡଡ଼ତଡ଼ା, ବେନ୍ତାଳ, ପଞ୍ଚାୟତର ୪୦ ହଜାର ଏହିପରି ମୋଟ ଏକ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଉପକୃତ ହେବେ। କାରଣ ଏସମସ୍ତ ଅଞ୍ଚଳର ଜନ ସାଧାରଣ ଏହି ରାସ୍ତା ଉପରେ ଦେଇ ପ୍ରତ୍ୟେକ ଦିନ ଯିବା ଆସିବା କରିଥାନ୍ତି। ଉକ୍ତ ରାସ୍ତା ଦେଇ ସ୍କୁଲ କଲେଜ, ବସଷ୍ଟାଣ୍ଡ, ରେଳ ଷ୍ଟେସନ, କୋର୍ଟକୁ ଯିବା ନିମନ୍ତେ, ସମାନେ ଏହି ରାସ୍ତାକୁ ବ୍ୟବହାର କରିଥାନ୍ତି। ଉକ୍ତ ରାସ୍ତାର ନିର୍ମାଣ ତଥା ପୁନରୁଦ୍ଧାର ପାଇଁ ଭଦ୍ର୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ବିଗତ ବର୍ଷମାନଙ୍କରେ ବାରମ୍ବାର ଦାବି ହୋଇ ଆସିଛି। ୨୦୧୮ ମସିହା ଅଗଷ୍ଟ ମାସ ୧ ତାରିଖ ସ୍ଥାନୀୟ ଜନସାଧାରଣଙ୍କ ଏପରି ସମସ୍ୟାକୁ ନେଇ ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ହଳଦୀଡିହ ବାଇପାସ ଠାରେ ରାସ୍ତାରୋକ ଆନ୍ଦୋଳନ ହୋଇଥିଲା। ଏହି ସମୟରେ ତତ୍କାଳୀନ ଜିଲ୍ଲାପାଳ ଜ୍ଞାନ ଦାସ କଂଗ୍ରେସର ଏକ ପ୍ରତିନିଧି ମଣ୍ଡଳୀଙ୍କ ସହ ଆଲୋଚନା କରି ୨ ମାସ ମଧ୍ୟରେ ଉକ୍ତ ରାସ୍ତାର ଏଷ୍ଟିମେଟ କରି ଅର୍ଥ ମଞ୍ଜୁରୀର ପ୍ରତିଶ୍ରୁତି ଦେଇଥିଲେ।

ସେହି ପ୍ରତିଶ୍ରୁତି ଅନୁଯାୟୀ ୨୦୧୮ ମସିହା ସେପ୍ଟେମ୍ବର ମାସ ଉକ୍ତ ରାସ୍ତାର ନିର୍ମାଣ ପାଇଁ ୫କୋଟି ୨୦ ଲକ୍ଷ ଟଙ୍କା ମଞ୍ଜୁର କରାଇ ଜିଲ୍ଲାପାଳ ଟେଣ୍ଡର ପ୍ରକ୍ରିୟା ସମ୍ପନ୍ନ କରିଥିଲେ। କିନ୍ତୁ ଇତିମଧ୍ୟରେ ୪ ବର୍ଷ ବିତିଯାଇଥିଲେ ମଧ୍ୟ ଏହି ପ୍ରତିଶ୍ରୁତି କାର୍ଯ୍ୟକାରୀ ନ ହେବାରୁ ଚଳିତ ବର୍ଷ ଜୁଲାଇ ମାସ ୧୩ ତାରିଖ ଭଦ୍ରକ ବିଧାନସଭା କଂଗ୍ରେସ ପକ୍ଷରୁ ପୁରୁଣାବଜାର ତିନି ଛକି ଠାରେ ନଳିନୀ ମହାନ୍ତିଙ୍କ ନେତୃତ୍ୱରେ ରାସ୍ତାରୋକ ଆନ୍ଦୋଳନ କରାଯାଇଥିଲା। ଏହାକୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ସମେତ ବିଭିନ୍ନ ସ୍ଥାନୀୟ ସାମାଜିକ ସଂଗଠନ ସମର୍ଥନ କରିଥିଲେ। ପରିସ୍ଥିତିର ଗୁରୁତ୍ୱକୁ ନଜରରେ ରଖି ସ୍ଥାନୀୟ ପ୍ରଶାସନ ଉକ୍ତ ରାସ୍ତାର ଖୁବଶୀଘ୍ର ନିର୍ମାଣ ପାଇଁ ଆନ୍ଦୋଳନକାରୀଙ୍କୁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଏହା ସତ୍ତ୍ୱେ ଉକ୍ତ ପ୍ରତିଶ୍ରୁତି ପ୍ରଶାସନିକ ନାଲି ଫିତା ତଳେ ରହି ଯାଇଥିଲା। ତେବେ ଏହି ପ୍ରସଙ୍ଗକୁ ନେଇ ପୁନର୍ବାର ଆନ୍ଦୋଳନ ଦମକ ପରେ ପ୍ରଶାସନ ଚେତିଛି ଓ, ହାର ନିର୍ମାଣ ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରିଛି। ଏହି ପରିପ୍ରେକ୍ଷୀରେ ରାସ୍ତା ନିର୍ମାଣ କାର୍ଯ୍ୟ ପୂର୍ବରୁ ଉକ୍ତ ରାସ୍ତାର ଉଭୟ ପାଶ୍ୱର୍ରେ ଥିବା ସରକାରୀ ଜମିରେ ଥିବା ଜବରଦଖଲ ଉଛେଦ କରିବାକୁ କଂଗ୍ରେସ ପକ୍ଷରୁ ଦାବି ହୋଇଛି। କଂଗ୍ରେସ ପକ୍ଷରୁ ଏକ ପ୍ରତିନିଧି ଦଳ ଏହି ମର୍ମରେ ଏକ ସ୍ମାରକପତ୍ର ଆଜି ଜିଲ୍ଲାପାଳଙ୍କୁ ପ୍ରଦାନ କରିଛି। ଏହି ସ୍ମାରକପତ୍ର ପ୍ରଦାନ ସମୟରେ ନଗର କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାନ, ପ୍ରାକ୍ତନ କାଉନସିଲର ଅଶ୍ରଫ ଅଲ୍ଲୀ ଖାନ, ରାଜନ ଲାହା, ପିତବାସ ଧଳ, ବିଜୟ ବାରିକ, ଶଶିକାନ୍ତ ଜେନା, ଇଲ୍ଲିୟାସ ଅଲ୍ଲୀ ଖାନ, ରଂଜନ ଜେନା, ଟୋନୀ ଅଲ୍ଲୀ, ରେହାନା ଖାତୁନ, ସୁଶାନ୍ତ ଦାସ, ହାଡ଼ିବନ୍ଧୁ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।