Odiapua.com

ମେହେର ଜୟନ୍ତୀ ପାଳନ : ଗଙ୍ଗାଧର ଓଡ଼ିଶାର କାଳିଦାସ – ଉତ୍କଳ ସମ୍ମିନଳନୀ

ଭୁବନେଶ୍ୱର ୧୨ -୮ (ଓଡ଼ିଆ ପୁଅ) ଆଜି ତା ୧୨.୦୮ (ଓଡ଼ିଆ ପୁଅ) ପୂର୍ବାହ୍ନ ୮ଟା ସମୟରେ ଉତ୍କଳ ସମ୍ମିଳନୀ କେନ୍ଦ୍ରୀୟ କମିଟି ପକ୍ଷରୁ ସ୍ୱଭାବ କବି ରଙ୍ଗାଜୀବ ଗଙ୍ଗାଧର ମେହେରଙ୍କ ଶ୍ରାବଣ ପୂର୍ଣ୍ଣୀମା ପୁଣ୍ୟ ଜନ୍ମତିଥି ଉପଲକ୍ଷେ ଉତ୍କଳର ବରପୁତ୍ରଙ୍କ ସ୍ଥାନୀୟ କଳିଙ୍ଗ ଡ଼ାକ୍ତରଖାନା ନିକଟସ୍ଥ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହାପରେ ଭୁବନେଶ୍ୱର ନିକଟ ନୂଆଗାଁ ଠାରେ ସମ୍ମିଳନୀ ସଭାପତି ଶ୍ରୀ ବସନ୍ତ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତା ତଥା ସାଧାରଣ ସମ୍ପାଦକ ଡ଼ା. ରାଧାନାଥ ପ୍ରହରାଜଙ୍କ ପରିଚାଳନାରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇ କବିଙ୍କ ଅନନ୍ୟ ସାହିତ୍ୟକୃତିଗୁଡ଼ିକ ଉପରେ ବିଭିନ୍ନ ଦିଗରୁ ଆଲୋଚନା ହୋଇଥିଲା। ଏଠାରେ ବକ୍ତାମାନେ ତାଙ୍କର ଓଡ଼ିଆ ସାରସ୍ୱତ ଭଣ୍ଡାରକୁ ଋଦ୍ଧିମନ୍ତ କରିଥିବା କାବ୍ୟ ତପସ୍ୱିନୀ, ପ୍ରଣୟ ବଲ୍ଲରୀ, କୀଚକବଧ ଇତ୍ୟାଦି ବିଷୟରେ ଉଲ୍ଲେଖ କରିଥିଲେ ମଧ୍ୟ ତପସ୍ୱିନୀରେ ତାଙ୍କର ପ୍ରକୃତି ବର୍ଣ୍ଣନା ଯେ କେହି ମଣିଷକୁ ଉଦ୍‌ବୁଦ୍ଧ କରିପାରିବ ବୋଲି ମତ ପ୍ରକାଶ କରିଥିଲେ। ଏହି କାରଣ ଦୃଷ୍ଟିରୁ ତାଙ୍କୁ ଓଡ଼ିଶାର କାଳିଦାସ ବୋଲି ବିବେଚନା କରାଯିବା ଉଚିତ ବୋଲି କୁହାଯାଇଥିଲା।

ଏତଦ୍ ବ୍ୟତୀତ ସେ ମାତୃଭୂମି ଓ ମାତୃଭାଷାକୁ ପ୍ରାଧାନ୍ୟ ଦେଇ ତତ୍‌କାଳୀନ ସମାଜରେ ଜନମତ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଅତ୍ୟନ୍ତ ସରଳ ଓ ସାବଲୀଳ ଭାବରେ ଯେଉଁ ପଂକ୍ତିମାନ ଲେଖି ଯାଇଛନ୍ତି ତାହା ଏବେ ମଧ୍ୟ ମାତୃଭାଷାକୁ ସୁରକ୍ଷା ଦେବାର ପ୍ରମୁଖ ପ୍ରେରଣାଦାୟୀ ଲେଖା ଭାବରେ ପରିଗଣିତ ହେଉଅଛି ବୋଲି ଉଲ୍ଲେଖ କରାଯାଇଥିଲା। ତେଣୁ ଏହି ଯୋଗଜନ୍ମା କବିଙ୍କୁ ଭବିଷ୍ୟତ ପିଢ଼ୀଙ୍କ ମାର୍ଗଦର୍ଶକ ଭାବରେ ରଖିବା ପାଇଁ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ସରକାର ଘୋଷଣା କରିଥିବା ପ୍ରକଳ୍ପ ଗୁଡ଼ିକୁ ଯଥାଶୀଘ୍ର ସମ୍ଭବ ସଂପୂର୍ଣ୍ଣ କରିବା ଆବଶ୍ୟକ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା।
ଆଜିର ଉପରୋକ୍ତ କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ଡ଼ା. କାଶୀନାଥ ରଥ, ଡ଼ା. ବାନାମ୍ବର ପରିଡ଼ା, ଗିରିଜାଶଙ୍କର ମହାପାତ୍ର, ଗାୟକ ସୁରେନ୍ଦ୍ର ନାଥ ଛୋଟରାୟ, ପ୍ରାକ୍ତନ ଅଧ୍ୟକ୍ଷ ଡ଼କ୍ଟର ପୀତବାସ ତ୍ରିପାଠୀ, ଭରତ କୁମାର ଜେନା, ତ୍ରିନାଥ ସାମନ୍ତରାୟ, ଯୁଗଳ କିଶୋର ନାୟନ, ସନ୍ତୋଷ କୁମାର ମହାପାତ୍ର, କେଶବ ପାଇଲ, ମୃତ୍ୟୁଞ୍ଜୟ ପାଇଲ, ପ୍ରକାଶ ଚନ୍ଦ୍ର ବେହେରା ପ୍ରମୁଖ ଯୋଗ ଦେଇଥିଲେ।