Odiapua.com

ମେଧା ସମ୍ମାନ-୨୦୨୦: ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକ ଏହି ତିନୋଟି ବିନ୍ଦୁ ହିଁ ସିନ୍ଧୁର ସନ୍ଧାନ ଦିଏ

ନୟାଗଡ଼, ୨୧ା୮(ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ):ନୟାଗଡ଼ ଜିଲାରେ ମାଟ୍ରିକ ପରୀକ୍ଷାରେ ୬୦%ରୁ ଉର୍ଦ୍ଧ୍ୱ ନମ୍ବର ରଖି କୃତୀତ୍ୱ ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଶୁକ୍ରବାର ମେଧାବୃତ୍ତି ପ୍ରଦାନ କରାଯାଇଛି। ଜୁମ୍ ଆପ୍ ମାଧ୍ୟମରେ ନୟାଗଡ଼ର ଶିକ୍ଷା ସମୂହ ସଂଗଠନ ଦ୍ୱାରା ଶିକ୍ଷକ ନୀରଞ୍ଜନ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟଅତିଥିଭାବେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ, ମୁଖ୍ୟବକ୍ତାଭାବେ ଶକ୍ତି ଓ ଗୃହ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଛାତ୍ରଛାତ୍ରୀମାନଙ୍କର ବାଗ୍ମୀତା, ଶୈକ୍ଷିକ ବାତାବରଣ ଓ ନୈତିକ ମୂଲ୍ୟବୋଧ ଏବଂ ଶିକ୍ଷକ ଓ ଅଭିଭାବକମାନଙ୍କ ପ୍ରତି ଛାତ୍ରଛାତ୍ରୀମାନଙ୍କର ଆନୁଗତ୍ୟ ର ଫଳହିଁ ଏହି ସଫଳତାର ମୂଳମନ୍ତ୍ର ବୋଲି ଉଭୟେ ବକ୍ତବ୍ୟ ରଖିଥିଲେ। ଭିଡିଓ କନଫେରେନ୍ସି ମାଧ୍ୟମରେ ଆୟୋଜିତ ଉତ୍ସବରେ ପ୍ରାୟ ଏକ ହଜାରରୁ ଉର୍ଦ୍ଧ୍ୱ ଛାତ୍ରଛାତ୍ରୀ, ଅଭିାଭାବକ, ଶିକ୍ଷକ, ଶିକ୍ଷୟତ୍ରୀ, ସାମ୍ବାଦିକ ଓ ଶୁଭେଚ୍ଛୁ ଯୋଗଦେଇଥିଲେ। ଛାତ୍ରଛାତ୍ରୀମାନଙ୍କୁ ମୁଖ୍ୟଅତିଥି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ଦାସ ସେମାନଙ୍କର ଲକ୍ଷ୍ୟ ଓ ସାଧନା ଉପରେ ପଚାରି ବୁଝିଥିଲାବେଳେ ଏପରି ଏକ ମେଧା ସମ୍ମାନ ନୟାଗଡ଼ ଜିଲାରେ ପ୍ରଥମ ହୋଇଥିବାରୁ ଏପରି ଏକ ନୂଆ ପ୍ରୟାସ ପାଇଁ ଊଚ୍ଚଶିକ୍ଷା ମନ୍ତ୍ରୀ ଡ-ସାହୁଙ୍କୁ ଭୂରିଭୂରି ପ୍ରଶଂସା କରିବା ସହିତ ଏପରି ମେଧା ସମ୍ମାନ ଭଳି ଏକ ଅଭିନବ ପ୍ରୟାସକୁ ଅନ୍ୟ ଜିଲାବାସୀ ଅନୁକରଣ ସହ ଅନୁଶରଣ କରିବେ ବୋଲି ଉଭୟେ ମନ୍ତ୍ରୀ କହିଥିଲେ। ମୂଳଭାବର ବକ୍ତା ଉଚ୍ଚଶିକ୍ଷା ତଥା କୃଷି ମନ୍ତ୍ରୀ ଡ-ଅରୁଣ କୁମାର ସାହୁ ଛାତ୍ରଛାତ୍ରୀମାନଙ୍କର ଜ୍ଞାନ ଆହରଣର ପାରିପାଶ୍ୱିର୍କ ଅବସ୍ଥା, ଲକ୍ଷ୍ୟ ସ୍ଥଳରେ ପହଂଚିବା ପାଇଁ ଏକାଗ୍ରତା, ନିଷ୍ଠା ଓ କର୍ତ୍ତବ୍ୟ ପରାୟଣତା ବିଷୟରେ ଚୁମ୍ବକୀୟ ବକ୍ତବ୍ୟ ରଖିଥିବାବେଳେ ବିଦ୍ୟାର୍ଥୀ, ଅଭିଭାବକ ଓ ଶିକ୍ଷକ ଏହି ତିନୋଟି ବିନ୍ଦୁ ଯେତେବେଳେ ଏକାକାର ହୋଇଯାଆନ୍ତି ସେତେବେଳେ ସିନ୍ଧୁର ସନ୍ଧାନ ମିଳେ। ଯାହାକି ଲକ୍ଷ୍ୟରୁ ବିଚ୍ୟୁତି ଘଟୁନଥିବା ଛାତ୍ରଛାତ୍ରୀଙ୍କର ଉଜ୍ଜଳ ଭବିଷ୍ୟତ ପାଇଁ ପଥ ସୁଗମ ହୋଇଥାଏ। ଏଥିସହିତ ନବମରୁ ଯେଉଁମାନେ ଦଶମକୁ ଗଲେ ସେମାନଙ୍କୁ ପାଠପଢାରେ ଉତ୍ସାହିତ କରି ସେମାନଙ୍କ ସଫଳତାର ବାଟ ଏବେଠାରୁ ଖୋଜିବା ଆବଶ୍ୟକ ବୋଲି କହିବା ସହିତ ସମୟ ସାଥିରେ ନଯାଇ ସମୟକୁ ନିଜ ସାଥିରେ ନେବା ପାଇଁ ପରାମର୍ଶ ଦେଇଥିଲେ ା ଓଡ଼ଗାଁ ଆର ସି ଉଚ୍ଚ ବିଦ୍ୟାଳୟର କୃତି ଛାତ୍ରୀ ପ୍ରଜ୍ଞାରାଣୀ ମହାପାତ୍ର, ଇଟାମାଟି ଶ୍ରୀ ଅରବିନ୍ଦ ଇଂଟିଗ୍ରାଲର କୃତି ଛାତ୍ର ଦୀପକ କୁମାର ସ୍ୱାଇଁ ନିଜ ନିଜ ସଫଳତାର ପୃଷ୍ଠଭୂମୀ ତଥା ଶ୍ରମ ସାର୍ଥକତାର କଥା କହିଥିବାବେଳେ ଲକ୍ଷ୍ୟ ଓ ମନ ଯଦି ଠିକ୍ ଅଛି ତା’ହେଲେ ଅଣଚାଷ ପବନ ଲକ୍ଷ୍ୟସ୍ଥଳକୁ ଦୋହଲେଇ ପାରିବ ନାହିଁ ବୋଲି କହିଥିଲେ। ନୟାଗଡ଼ ସମବାୟ ବ୍ୟାଙ୍କର ସଭାପତି ଲୋକନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।