Odiapua.com

ମେଧାବୀ ପୁଅ ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସହାୟତା ପାଇଁ ପରିବାରର ଆକୁଳ ନିବେଦନ

ଭଦ୍ରକ, ୧୫ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବୟସ ମାତ୍ର ୨୨ ବର୍ଷ । ପଦାର୍ଥ ବିଜ୍ଞାନରେ ୯୦ ପ୍ରତିଶତ ମାର୍କ ରଖି ୨୦୨୦ ମସିହାରେ ଭଦ୍ରକ କଲେଜରୁ ସ୍ନାତକ ପାଶ କରିଛି । ଆଗକୁ ପ୍ରଫେସର ହେବାକୁ ଆଶା । ହେଲେ ଆଶାକୁ ନିରାଶ କରିଛି ଅସାଧ୍ୟ ରୋଗ । ଅର୍ଥ ଅଭାବରୁ ୬ ମାସ ହେବ ଜୀବନ ସହ ସଂଗ୍ରାମ କରୁଛି । ବାସୁଦେବପୁର ବଚ୍ଛଦା ଗ୍ରାମର ଶରତ ଓ ସଂଯୁକ୍ତା ରାଉତଙ୍କ ଏକମାତ୍ର ପୁଅ ସତ୍ୟବ୍ରତ । ପୁଅର ଏପରି ଅବସ୍ଥା ଦେଖି ଅସହାୟ ବାପା ମା’ଙ୍କ ଆଖିରୁ ଲୁହ ଶୁଖୁନାହିଁ କି ଛାତିରୁ କୋହ ଥମୁନି । ତାର ଚିକିତ୍ସା ପାଇଁ ଅଧିକ ଅର୍ଥ ଆବଶ୍ୟକ । ସହାୟତା ପାଇଁ ଆକୁଳ ନିବେଦନ କରିଛନ୍ତି ବାପା ଓ ମା’ । ବାପା ବାହାର ରାଜ୍ୟର ଦିନ ମଜୁରିଆ ଏବଂ ମା’ ଗୃହିଣୀ । ବାପାଙ୍କ ସ୍ୱଳ୍ପ ରୋଜଗାରରେ ପରିବାର ଚଳେ । ୨୦୨୦ ନଭେମ୍ବର ମାସରେ ସତ୍ୟବ୍ରତଙ୍କ ପେଟରେ ଯନ୍ତ୍ରଣା ଆରମ୍ଭ ହେବା ସହିତ ନିଶ୍ୱାସ ନେବାରେ କଷ୍ଟ ହେଲା । ବାପା ପ୍ରଥମେ ସୋର, ବାଲେଶ୍ୱର ପରେ କଟକ ନେଇ ଡାକ୍ତରଙ୍କୁ ଦେଖାଇ ଥିଲେ । ଛାତିରେ ପାଣି ଜମା ହେଉଥିବା କାରଣରୁ ପାଇପ୍ ଲଗାଇ ବାହାର କରାଯାଇଛି । ଅପରେସନ ପାଇଁ ଅଧିକ ଅର୍ତର ଆବଶ୍ୟକତା ରହିଛି । ଅର୍ଥାଭାବରୁ କଟକ ବଡ ଡାକ୍ତରଖାନାରୁ ଫେରାଇ ଆଣିଛନ୍ତି ସ୍ୱଳ୍ପ ରୋଜଗାରକ୍ଷମ ବାପା ଶରତ । ପୁଅର ଚିକିତ୍ସା ପାଇଁ ଆବଶ୍ୟକ ଅର୍ଥ ଯୋଗାଡ ପାଇଁ ଆକୁଳ ନିବେଦନ କରିଛନ୍ତି ଦୁଃଖି ଅସହାୟ ପିତାମାତା ।