Odiapua.com

ମେଡିକାଲ କଲେଜ ପ୍ରତିଷ୍ଠା ନହେଲେ ବିଧାନସଭା ଘେରିବ ଭଦ୍ରକ କଂଗ୍ରେସ

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଗତ ୧୦ ତାରିଖ ଗୁରୁବାର କଂଗ୍ରେସ ଦଳ ତରଫରୁ ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ଓ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ସୁଧାର ପାଇଁ ଭଦ୍ରକ ସହର ବନ୍ଦ ଡାକରା ଦିଆଯାଇଥିଲା । ଯାହାକୁ ସମସ୍ତ ମହଲରେ ବିପୁଳ ସମର୍ଥନ ମିଳିଥିଲା । ଯାହାକୁ ଓଡ଼ିଶା ରାଜ୍ୟ ସରକାର ଭୃକ୍ଷେପ ନକରି ଯାଜପୁର ଓ ପୁରୀରେ ମେଡିକାଲ କଲେଜ ପାଇଁ କ୍ୟାବିନେଟ ମଞ୍ଜୁର ଦେଇ ଅର୍ଥ ମଞ୍ଜୁର କଲେ । ଯାହା ଭଦ୍ରକର ଜନସାଧାରଣଙ୍କ ଭାବାବେଗକୁ କୁଠାରାଘାତ କରିଛି ବୋଲି ଆଜି ଭଦ୍ରକ ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କୁହା ଯାଇଛି । ମେଡିକାଲ କଲେଜ ପ୍ରତିଷ୍ଠାକୁ ନେଇ ସ୍ଥାନୀୟ ଲୋକ ପ୍ରତିନିଧିମାନେ ଚୂପ୍ କାହିଁକି ବୋଲି ପ୍ରଶ୍ନ କରାଯାଇଛି । କଂଗ୍ରେସ ଦଳ ଏକ ଦାୟିତ୍ୱ ସମ୍ପୂର୍ଣ୍ଣ ବିରୋଧୀ ଦଳ ଭାବରେ ସାଧାରଣ ଜନତାଙ୍କ ସ୍ୱରକୁ ସରକାରଙ୍କ ପାଖରେ ପହଂଚାଇବା ପାଇଁ ଉଦ୍ୟମ ଜାରି ରଖିଛି ଏବଂ ମେଡିକାଲ କଲେଜ ପ୍ରତିଷ୍ଠା ଓ ସ୍ୱାସ୍ଥ୍ୟ ସେବାର ସୁଧାର ନହେବା ପର୍ଯ୍ୟନ୍ତ କଂଗ୍ରେସ ଆନ୍ଦୋଳନକୁ ଥମିବାକୁ ଦେବନାହିଁ । କୁଚକ୍‌୍ରି ଗୋଷ୍ଠୀମାନଙ୍କ ଚାପ, ପ୍ରଲୋଭନ ଓ ଭୟରେ ଡରି ନଯାଇ ଦଳୀୟ ନିର୍ବାଚନ ମଣ୍ଡଳୀ ନେତାମାନଙ୍କ ନେତୃତ୍ୱରେ ଜାନୁଆରୀ ମାସ ଶେଷ ସୁଦ୍ଧା ଭଦ୍ରକ ଜିଲ୍ଲାରେ ଥିବା ୫୦ଗୋଟି ପିଏଚ୍‌ସି, ୭ଗୋଟି ସିଏଚ୍‌ସି, ଗୋଟିଏ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଗୋଟିଏ ଏରିଆ ହସ୍‌ପିଟାଲ, ଗୋଟିଏ ୟୁପିଏଚ୍‌ସି ଓ ଗୋଟିଏ ପିପିସି ସର୍ବମୋଟ ୬୩ଟି ସ୍ୱାସ୍ଥ୍ୟ ସଂସ୍ଥା ଆଗରେ କଂଗ୍ରେସ ପକ୍ଷରୁ ଏକା ସାଙ୍ଗରେ ଗଣଧରଣା ଓ ପ୍ରତିବାଦ ସଭା କରାଯିବ । ସମଗ୍ର ଜିଲ୍ଲାର ୫ ଗୋଟି ବିଧାନସଭା କ୍ଷେତ୍ରରେ ମେଡିକାଲ କଲେଜ ପ୍ରତିଷ୍ଠା ଓ ସ୍ୱାସ୍ଥ୍ୟ ସେବା ସୁଧାର ପାଇଁ “ସ୍ୱାସ୍ଥ୍ୟରଥ”ପରିକ୍ରମା କରାଯିବ । ଜିଲ୍ଲାର ସମଗ୍ର ୧୩୭୦ ରାଜସ୍ୱ ଗ୍ରାମରେ କଂଗ୍ରେସ କର୍ମୀମାନଙ୍କ ଦ୍ୱାରା ଦା୍ୱର ଦ୍ୱାର ବୁଲି ସ୍ୱାକ୍ଷର ଅଭିଯାନ କରି ରାଜ୍ୟର ସମସ୍ତ ୯ ଜଣ କଂଗ୍ରେସ ବିଧାୟକ ଓ ପ୍ରଦେଶ କଂଗ୍ରେସ ସଭାପତି, ଓଡ଼ିଶା ପ୍ରଭାରୀ ଡ. ଚେଲ୍ଲା କୁମାରଙ୍କ ସହିତ ମିଶି ମହାମହିମ ରାଷ୍ଟପତି ଓ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରାଯିବ ବୋଲି ସମ୍ମିଳନୀରେ ଜିଲ୍ଲା ସଭାପତି ସୁବ୍ରତ କୁମାର ଦାସ ସୂଚନା ଦେଇଛନ୍ତି । ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି କହିଥିଲେ ଯେ ଭଦ୍ରକ ଜିଲ୍ଲା ୧୬ ନଂ ଜାତୀୟ ରାଜପଥ କଡରେ ଅବସ୍ଥିତ । ଏହାର ପାଶ୍ୱର୍ବର୍ତ୍ତୀ ଜିଲ୍ଲା କେଉଁଝର, ଯାଜପୁର, କେନ୍ଦ୍ରାପଡା ଏବଂ ବାଲେଶ୍ୱର ।

ଭଦ୍ରକ ଜିଲ୍ଲାର ୧୬ ଲକ୍ଷ ଅଧିବାସୀ ଏବଂ ପଡୋଶୀ ଜିଲ୍ଲା କେଉଁଝରର ଆନନ୍ଦପୁର ପର୍ଯ୍ୟନ୍ତ, ବାଲେଶ୍ୱର ଜିଲ୍ଲାର ସୋରୋ ପର୍ଯ୍ୟନ୍ତ, କେନ୍ଦ୍ରାପଡା ଜିଲ୍ଲାର ଆଳି ପର୍ଯ୍ୟନ୍ତ ପ୍ରାୟ ୮ଲକ୍ଷ ଅଧିବାସୀ ଭଦ୍ରକ ସଦର ମହକୁମା ଚିକିତ୍ସାଳୟ ଉପରେ ନିର୍ଭର କରନ୍ତି । ଭଦ୍ରକ ସଦର ମହକୁମା ଚିକିତ୍ସାଳୟ ୧୬ ନଂ ଜାତୀୟ ରାଜପଥ କଡରେ ଅବସ୍ଥିତ ଥିବାରୁ ଦୁର୍ଘଟଣା ଜନିତ ରୋଗୀଙ୍କ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ । ପ୍ରତିଦିନ ଭଦ୍ରକ ସଦର ମହକୁମା ଚିକିତ୍ସାଳୟରେ ପ୍ରାୟ ୧୮୦୦ ବହିର୍ବିଭାଗ ରୋଗୀ ଚିକିତ୍ସିତ ହେଉଛନ୍ତି । ପ୍ରତିଦିନ ପ୍ରାୟ ୨୦୦ ରୋଗୀ ବିଭିନ୍ନ ବିଭାଗରେ ଚିକିତ୍ସା ହେବା ପାଇଁ ଆଡମିଶନ ହେଉଛନ୍ତି । ଏହା ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠାର ଗୁରୁତ୍ୱ ବହନ କରୁଛି । ଅନ୍ୟପକ୍ଷରେ ଭଦ୍ରକ ଜିଲ୍ଲାରେ ୧୭୬ ଜଣ ଡାକ୍ତରଙ୍କର ଆବଶ୍ୟକତା ଥିବା ବେଳେ ମାତ୍ର ୭୦ ଜଣ ଡାକ୍ତର ଅଛନ୍ତି । ସେହିପରି ୫୪ଜଣ ଷ୍ଟାଫ୍ ନର୍ସଙ୍କର ଆବଶ୍ୟକତା ଥିବା ବେଳେ ମାତ୍ର ୪୦ ଜଣ ନିଯୁକ୍ତି ପାଇଛନ୍ତି । ସେହିପରି ଟେକ୍‌ନିସିଆନ୍ ଏବଂ ଫାର୍ମାସିଷ୍ଟଙ୍କ ସଂଖ୍ୟା ମଧ୍ୟ ଯଥେଷ୍ଟ କମ୍ ରହିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହୃଦ୍‌ବିଭାଗ, ସ୍ନାୟୁ ବିଭାଗ, ରେଡିଓଲୋଜି, ୟୁରୋଲୋଜି, ଏମ୍‌ଆର୍‌ଆଇ, ଗୁରୁତ୍ୱପୂର୍ଣ୍ଣ ବିଭାଗ ନଥିବା ବେଳେ ଏଠାରେ ଥିବା ପାଥୋଲୋଜି ବିଭାଗର ପରୀକ୍ଷା ଓ ଜନଔଷଧି ଅତ୍ୟନ୍ତ ନିମ୍ନମାନର । ଗେଲପୁରରେ ନୂତନ ଜିଲ୍ଲା ଚିକିତ୍ସାଳୟ ନିର୍ମାଣ ନିମନ୍ତେ ସରକାର ୧୨ ଏକର ଜମି ଅଧିଗ୍ରହଣ କରିଛନ୍ତି । ବିଡମ୍ବନା ନିର୍ଦ୍ଦିଷ୍ଟ ସମୟରେ ଆବଶ୍ୟକୀୟ ନିର୍ମାଣ ନହେବାରୁ ପ୍ରାୟ ୯୦ ଲକ୍ଷ ଟଙ୍କା ଫେରି ଯାଇଛି । ଏ ସବୁ ଘଟଣା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ସମସ୍ୟାକୁ ବେଶ୍ ପଦାରେ ପକାଉଛି । ତେଣୁ ଯଦି ଏ ସରକାର ଲୋକମାନଙ୍କ ସ୍ୱରକୁ ସମ୍ମାନ ନଦିଅନ୍ତି ତେବେ ଜିଲ୍ଲା କଂଗ୍ରେସ ପକ୍ଷରୁ ବିଧାନସଭା ଘେରାଓ କରାଯିବ ବୋଲି ଶ୍ରୀ ମହାନ୍ତି ଚେତାବନୀ ଦେଇଥିଲେ । ଏହି ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ବିଧାନସଭା ନେତା ଅଶୋକ ଦାସ, ଦିଗମ୍ବର ଦାସ, ବିଦ୍ୟାଧର ଜେନା, ବରିଷ୍ଠ ନେତା ଅବଦୁଲ ମୁକିତ୍ ଖାଁ ଉପସ୍ଥିତ ଥିଲେ ।