Odiapua.com

ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି, ଡିସେମ୍ବର ୫ତାରିଖରେ କଂଗ୍ରେସର ଭଦ୍ରକ ବନ୍ଦ ଡାକରା

ଭଦ୍ରକ, ୨୮ା୧୧ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଜିଲ୍ଲା ଗଠନର ୩୦ରୁ ଉର୍ଦ୍ଧ୍ୱ ବର୍ଷ ବିତିଗଲାଣି। ସବୁ କ୍ଷେତ୍ରରେ ଭଦ୍ରକ ଜିଲ୍ଲାକୁ ଅଣଦେଖା କରାଯାଇ ଆସିଅଛି। ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ ପାଇଁ ଭଦ୍ରକ ବାସୀ ଏବେ ସେମାନଙ୍କ ହକ୍‌ରୁ ବଞ୍ଚିତ। ଦୀର୍ଘ ବର୍ଷ ହେଲା ଭଦ୍ରକରେ ଏକ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ କଂଗ୍ରେସ ଦଳ ସମେତ ଭଦ୍ରକବାସୀ, ଭଦ୍ରକର ବିଭିନ୍ନ ସାମାଜିକ ସଂଗଠନ ସରକାରଙ୍କ ନିକଟରେ ବାରମ୍ବାର ଦାବି ଉପସ୍ଥାପନ କରି ଆସୁଛନ୍ତି। ଅତୀତରେ ସରକାରୀ ମେଡିକାଲ କଲେଜ ଦାବି ନେଇ କଂଗ୍ରେସ ପକ୍ଷରୁ ଭଦ୍ରକ ବନ୍ଦ ପାଳନ କରାଯାଇଥିଲା। ଉକ୍ତ ବନ୍ଦ ଡାକରାକୁ ଅଭୂତପୂର୍ବ ସଫଳତା ମିଳିଥିଲା। ଏହାପରେ ମଧ୍ୟ କଂଗ୍ରେସ ବାରମ୍ବାର ଏହି ଦାବିକୁ ଦୋହରାଇ ଚାଲିଛି। ଭୌଗଳିକ ଦୃଷ୍ଟିକୋଣରୁ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ଅତ୍ୟନ୍ତ ଜରୁରୀ। ଗମନାଗମନ ସୁବିଧା ସହିତ ସମସ୍ତ ଆବଶ୍ୟକ ଭିତ୍ତିଭୂମୀ ଏଠାରେ ରହିଛି। କାରଣ ଜିଲ୍ଲାର ୧୫ ଲକ୍ଷ ଲୋକଙ୍କ ସମେତ ପଡ଼ୋଶୀ ଜିଳ୍‌ଳାକୁ ମିଶାଇ ପ୍ରାୟ ୨୫ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଜିଲ୍ଲା ଚିକିତ୍ସାଳୟ ଉପରେ ନିର୍ଭରଶୀଳ। କିନ୍ତୁ ଏଠାରେ ସାମାନ୍ୟତମ ଚିକିତ୍ସା ସୁବିଧା ନାହିଁ। ତେଣୁ ସମସ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଫଳରେ ଏଠାକୁ ଆସୁଥିବା ଗରୀବ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଖର୍ଚ୍ଚାନ୍ତ ହୋଇ ଚାଲିଛନ୍ତି। ନିକଟବର୍ତ୍ତୀ ସମସ୍ତ ଜିଲ୍ଲାରେ ଇତିମଧ୍ୟରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ସାରିଲାଣି। କିନ୍ତୁ ଏବେର ରାଜନୈତିକ ନେତୃମଣ୍ଡଳୀଙ୍କ ପାଇଁ ଭଦ୍ରକ ଜିଲ୍ଲା ଏଥିରୁ ବାଦ ପଡ଼ିଛି।

ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉଛି ଜିଲ୍ଲାବାସୀଙ୍କ ହକ୍। ଏହି ହକ୍ ପାଇଁ କଂଗ୍ରେସ ନିଜର ସାଲିଶ ବିହୀନ ସଂଗ୍ରାମ ଜାରୀ ରଖିବ। ଅନୁରୂପ ଡ. ହରେକୃଷ୍ଣ ମହତାବଙ୍କ ସ୍ୱପ୍ନର ପଲ୍ଲୀଭାରତୀ ବିଶ୍ୱବିଦ୍ୟାଳୟ ପ୍ରତି କାହାର ନଜର ନାହିଁ। ଦୀର୍ଘ ୨ଦଶନ୍ଧି ଧରି ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦେବା ଦାବିରେ କଂଗ୍ରେସ ସ୍ୱର ଉତ୍ତୋଳନ କରି ଆସିଛି। ଭଦ୍ରକର ସମସ୍ତ ବୁଦ୍ଧିଜୀବୀ ଓ ସାମଜିକ ସଂଗଠନ ମଧ୍ୟ ଉକ୍ତ ଦାବିରେ ଆନ୍ଦୋଳନ ଚଳାଇ ଆସିଛନ୍ତି। କିନ୍ତୁ ବିଜେଡି ସରକାର ଭଦ୍ରକବାସୀଙ୍କ ଏହି ଦାବି ପ୍ରତି ମଧ୍ୟ କର୍ଣ୍ଣପାତ କରୁ ନାହିଁ। ଜିଲ୍ଲାର ସମସ୍ତ ବିଧାୟକ ଓ ସାଂସଦ ଏଥି ନେଇ ନିରବ ରହୁଛନ୍ତି। ଗତ ସାଧାରଣ ନିର୍ବାଚନ ସମୟରେ ଭଦ୍ରକରେ ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟର ମାନ୍ୟତା ପାଇଁ ପ୍ରତିଶ୍ରୁତି ଦେଇଥିଲା ଶାସକ ବିଜେଡି। କିନ୍ତୁ ଏପର୍ଯ୍ୟନ୍ତ ତାହା ପୂରଣ ହୋଇ ପାରିଲା ନାହିଁ। ତେଣୁ ଜିଲ୍ଲାବାସୀଙ୍କ ଏହି୨ ହକ୍ ପାଇଁ କଂଗ୍ରେସ ଆସନ୍ତା ଡିସେମ୍ବର ୫ ତାରିଖ ୮ଘଣ୍ଟିଆ(ସକାଳେ ୬ରୁ ଅପରାହ୍ନ ୨ଟା))ଭଦ୍ରକ ସହର ବନ୍ଦ ଡାକରା ଦେଇଛି। ଏହି ବନ୍ଦ କରିବାକୁ ମଧ୍ୟ ଭଦ୍ରକବାସୀଙ୍କୁ ଦଳ ନିବେଦନ କରିଛି। ଏହି ମର୍ମରେ ଏକ ସ୍ମାରକପତ୍ର ଆଜି ଜିଲ୍ଲାପାଳଙ୍କୁ କଂଗ୍ରେସ ପକ୍ଷରୁ ପ୍ରଦାନ କରାଯାଇଛି। ସ୍ମାରକପତ୍ର ପ୍ରଦାନ ସମୟରେ ଭଦ୍ରକ ବିଧାନସଭା ନେତା ନଳିନୀ ମହାନ୍ତି, ନଗର ସଭାପତି ଅବଦୁଲ ମୋକିଦ ଖାଁ, ଅଶ୍ରଫ ଅଲ୍ଲୀ ଖାନ, ରାଜନ ଲାହା, ପିତବାସ ଧଳ, ତନଭିର ଖାନ, ଏନାମୁଲ ହକ୍‌, ସେକ ସାହିଲ କାଦ୍ରୀ, ସୁବ୍ରତ ବେହୁରା, ବିଜୟ ବାରିକ, ରଂଜନ ଜେନା, ଇଲ୍ଲୀୟାସ ଅଲ୍ଲୀ ଖାନ, ଟୋନୀ ଅଲ୍ଲୀ, ସୁଶାନ୍ତ ଦାସ, ଏକ୍ରାମ ମିର୍ଜା, ସେକ୍ ନୁର ମହମ୍ମଦ ପ୍ରମୁଖ ଉପସ୍ଥିତ ଥିଲେ।