ଭଦ୍ରକ, ୧୨ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱ ବିଦ୍ୟାଳୟ ମାନ୍ୟତା ଦାବି କରି ଆଜି ତୃତୀୟଥର ପାଇଁ ପୂର୍ବତନ ବିଧାୟକ ନରେନ ପଲେଇଙ୍କ ନେତୃତ୍ୱରେ ଜିଲାପାଳଙ୍କ ଅଫିସ୍ ଆଗରେ ଧାରଣା ଦିଆଯାଇଛି। ଭଦ୍ରକ କଲେଜରେ ମେଡିକାଲ ପ୍ରତିଷ୍ଠା ପାଇଁ ସମସ୍ତ ପ୍ରକାର ଭିତ୍ତିଭୂମି ସୁଦୃଢ ଥିବାବେଳେ କାହିଁକି ଭଦ୍ରକକୁ ଅବହେଳା ପ୍ରଦର୍ଶନ କରାଯାଇଛି ବୋଲି ସେ ପ୍ରଶ୍ନ ଉଠାଇଥିଲେ। ଭଦ୍ରକର ପଡୋଶୀ ଜିଲାମାନଙ୍କରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇଥିବାବେଳେ ଭଦ୍ରକକୁ ଅଣଦେଖା କରିବା ଅତି ଦୁର୍ଭାଗ୍ୟ ଜନକ ବୋଲି ସେ କହିଥିଲେ। ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟ ଉପରେ ଯାଜପୁର, ବାଲେଶ୍ୱର, କେନ୍ଦୁଝର, କେନ୍ଦ୍ରାପଡା ଆଦି ବିଭିନ୍ନ ଜିଲାର ଅଂଚଳବାସୀ ଭଦ୍ରକ ମେଡିକାଲ ଉପରେ ଦୀର୍ଘବର୍ଷ ଧରି ନିର୍ଭର କରିଆସୁଛନ୍ତି। ଏହାବ୍ୟତୀତ ଭଦ୍ରକ ସହର ପରିକ୍ରମା କରିଥିବା ଜାତୀୟ ରାଜପଥର ବହୁ ସଡକ ଦୁର୍ଘଟଣା ଘଟି ବିଭିନ୍ନ ଅଂଚଳର ଆହତ ବ୍ୟକ୍ତିମାନେ ଏହି ହସ୍ପିଟାଲରେ ଚିକିତ୍ସିତ ହୋଇଥାନ୍ତି।
ସହର ଠାରୁ ୧୧ କିମି ଦୂରରେ ଥିବା ପାହିମହୁରା ଠାରେ ୨୧୭ ଏକର ଜମି ଇଡ୍କୋ ଅଧୀନରେ ଅଛି। ଏହି ଜମିରେ ମେଡିକାଲ କଲେଜ ପ୍ରତିଷ୍ଠା କରାଗଲେ ସବୁ ଅଂଚଳର ଲୋକେ ସୁବିଧା ପାଇପାରିବେ। ଏହିସବୁ ଦୃଷ୍ଟିକୋଣରୁ ଭଦ୍ରକରେ ମେଡିକାଲ କଲେଜର ନିହାତି ଆବଶ୍ୟକ ଥିବାବେଳେ ସରକାରଙ୍କ ଉଦାସୀନତା ନେଇ ଭଦ୍ରକବାସୀ ମର୍ମାହିତ ହୋଇପଡିଛନ୍ତି। ସେହିପରି ବହୁ ପୁରାତନ ଭଦ୍ରକ ମହାବିଦ୍ୟାଳୟ ଠାରୁ ସବୁକ୍ଷେତ୍ରରେ ନ୍ୟୁନ ଥିବା ଅନ୍ୟ ମହାବିଦ୍ୟାଳୟଗୁଡିକୁ ବିଶ୍ୱ ବିଦ୍ୟାଳୟର ମାନ୍ୟତା ଦିଆଯାଇଥିବାବେଳେ ଭଦ୍ରକ ମହାବିଦ୍ୟାଳୟକୁ ଉପେକ୍ଷିତ କରାଯାଇଛି। ଶ୍ରୀ ପଲାଇ କହିଲେ ଯେ ୭ ମାସ ଧରି ଆନ୍ଦୋଳନ ଜାରି ରହିଛି। ଆସନ୍ତା ୨୦୨୪ ନିର୍ବାଚନର ଆଚରଣ ବିଧି ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ। ଆସନ୍ତା ଫେବୃୟାରୀ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ନିବାସକୁ ଯାଇ ଦାବିପତ୍ର ପ୍ରଦାନ କରାଯିବ ବୋଲି ସେ କହିଥିଲେ। ଗଣଧାରଣା ପରେ ନରେନ ପଲେଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ସହକାରୀ ଜିଲାପାଳ କାର୍ତ୍ତିକନାଥ ମଣ୍ଡଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅନୁଷ୍ଠିତ ଏହି ଗଣଧାରଣାରେ ନର ନାରାୟଣ ଜେନା, ଦିଗନ ରାଉଳ, ପ୍ରଦୀପ ବାରିକ, ଅଶ୍ୱିନୀ ପରିଡା, ପ୍ରମୋଦ ସ୍ୱାଇଁ, ହେମନ୍ତ ସାହୁ, ସୁଶାନ୍ତ ରାଉତ, ବଳରାମ ରାଉତ ପ୍ରମୁଖ ବହୁ ସଂଗଠନର କର୍ମକର୍ତ୍ତା ଓ ଜନସାଧାରଣ ଯୋଗ ଦେଇଥିଲେ।