Odiapua.com

ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦାବି, ଭଦ୍ରକରେ ୮ଘଣ୍ଟିଆ ବନ୍ଦକୁ ସହରବାସୀଙ୍କ ସ୍ୱତଃସ୍ପୂର୍ତ୍ତ ସମର୍ଥନ

ଭଦ୍ରକ, ୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ଓ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟର ମାନ୍ୟତା ଦାବି କରି କଂଗ୍ରେସ ପକ୍ଷରୁ ଆଜି ସୋମବାର ୮ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଇଛି। ଏହି ବନ୍ଦ ସକାଳ ୬ରୁ ଆରମ୍ଭ ହୋଇ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିବାବେଳେ, ଏହା ସମ୍ପୂର୍ଣ୍ଣ ସଫଳ ହୋଇଥିବା ଜଣାପଡ଼ିଛି। ସହରର ସମସ୍ତ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଓ ପୁରୁଣା କୋର୍ଟ ବନ୍ଦ ରହିଥିଲା। କୌଣସି ସ୍ଥାନକୁ ବସ ଚଳାଚଳ ମଧ୍ୟ କରି ନଥିଲା। ସେହିପରି ସହରର ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନ ସମ୍ମୁଖରେ ଯୁବ କଂଗ୍ରେସର କାର୍ଯ୍ୟକାରୀ ସଭାପତି ସୁବ୍ରତ ବେହେୁରାଙ୍କ ନେତୃତ୍ୱରେ ଏନାମୁଲ ହକ୍‌, ତନଭୀର ଖାନ, ସାହିଲ କାଦ୍ରୀ, ରାଜନ ଲାହା, ନବ ନିର୍ମାଣ ଯୁବ ଛାତ୍ର ସଂଗଠନର ସାବିର ଖାନ, ଜାହୀର ଖାନ, ଜାନ ଖାନ, ଫରିଆଦ ଖାନଙ୍କ ସମେତ ଶତାଧିକ କଂଗ୍ରେସ କର୍ମୀ ପିକେଟିଂ କରିବା ଫଳରେ ସେଗୁଡ଼ିକ ବନ୍ଦ ହୋଇ ଯାଇଥିଲା। ଅନୁରୂପ ୧୬ ନମ୍ବର ଜାତୀୟ ରାଜପଥକୁ ଯୁବ କଂଗ୍ରେସର ଇଲ୍ଲିୟାସ ଅଲ୍ଲୀ ଖାନ, ଟୋନୀ ଅଲ୍ଲୀ, ହେମନ୍ତ ମହାପାତ୍ର, ଦୀପକ ଦାସ, ରତି ରଂଜନ ରାଉତ୍‌, ରଂଜନ ଜେନା, ନଫିସ ଖାନ ପ୍ରମୁଖ ୨ ଙଣ୍ଟା ପାଇଁ ଅବରୋଧ କରିବା ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶହଶହ ଯାନବାହାନ ଅଟକି ରହିଥିଲା। ଅନୁରୂପ ବନ୍ତ ଛକ, ବାଇଈପାସ, ଚରମ୍ପା, ନୂଆ ବସଷ୍ଟାଣ୍ଡ ଠାରେ ମଧ୍ୟ ବହୁ ସଂଖ୍ୟକ କଂଗ୍ରେସ କର୍ମର୍ୀ ରାସ୍ତା ଉପରେ ବସି ରହିଥିଲେ। ତେବେ ବନ୍ଦକୁ ସମର୍ଥନ ତଥା ଭଦ୍ରକବାସୀଙ୍କ ଏହି ବୃହତର ସ୍ୱାର୍ଥକୁ ସମର୍ଥନ ଜଣାଇବା ପାଇଁ ଦଳ ପକ୍ଷରୁ ବିଭିନ୍ନ ସାମାଜିକ ସଂଗଠନ, ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟି ଓ ଅନ୍ୟ କେତେକ ସଂଗଠନର ସହଯୋଗ ଲୋଡ଼ିଥିଲା।

ଏହିକ୍ରମରେ କ୍ରିୟାନୁଷ୍ଠାନ କମିଟି କେତେକ ସାଜିମ ସଂଗଠନ କର୍ମକର୍ତ୍ତା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକତ୍ରିତ ହୋଇଥିଲେ। ସେଠାରେ ନଗର କଂଗ୍ରେସ ସଭାପତି ଅବଦୁଲ ମୋକିତ ଖାନଙ୍କ ସଭାପତିତ୍ୱରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଉକ୍ତ ସଭାରେ ଭଦ୍ରକ ବିଧାନସଭା କଂଗ୍ରେସ ନେତା ନଳନିନୀ ମହାନ୍ତି, ଜିଲ୍ଲା ସଭାପତି ସୁବ୍ରତ ଦାସ, ପ୍ରାକ୍ତନ କାଉନସିଲର ଆଶ୍ରଫ ଅଲ୍ଲୀ ଖାନ, ପୌରାଧ୍ୟକ୍ଷା ଗୁଲମକ୍କୀ ହବିବ୍‌, ମେଡିକାଲ କଲେଜ କ୍ରିୟାନୁଷ୍ଠାନ କମିଟିର ଡାକ୍ତର ହରେକୃଷ୍ଣ ନାୟକ, ଅଭୟ ଦ୍ୱିବେଦୀ, ସଂଗ୍ରାମ ଆଚାର୍ଯ୍ୟ, ସୁଧାକର ରାଉତ, ଜାହିଦ ହବିବ୍‌, ପ୍ରଫୁଲ୍ଲ ସାମଲ, ଦିଗମ୍ବର ଦାସ, ଦେବେନ୍ଦ୍ର ମହାନ୍ତି, ବିଜୟ ବାରିକ, ପ୍ରଦ୍ୟୁମ୍ନ ଦାସ, ବିଜୟ ଶଂକର ମହାନ୍ତି, ନିଶିକାନ୍ତ ନାୟକ ପ୍ରମୁଖ ବକ୍ତବ୍ୟ ରଖି ଭଦ୍ରକବାସୀଙ୍କ ହକ୍ ମେଡିକାଲ କଲେଜ। ତେଣୁ ତୁରନ୍ତ ରାଜ୍ୟ ସରକାର ଏହାର ପ୍ରତିଷ୍ଠା ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସେମାନେ ଦାବି କରିଥିଲେ। ସ୍ଥାନୀୟ ନିର୍ବାଚିତ ଲୋକ ପ୍ରତିନିଧିଙ୍କ ଇଛାଶକ୍ତିର ଅଭାବ ପାଇଁ ଭଦ୍ରକ ବାସୀ ଏବେ ସେମାନଙ୍କ ହକ୍‌ରୁ ବଞ୍ଚିତ। ଭୌଗଳିକ ଦୃଷ୍ଟିକୋଣରୁ ଭଦ୍ରକରେ ମେଡିକାଲ କଲେଜ ସ୍ଥାପନ ଅତ୍ୟନ୍ତ ଜରୁରୀ। ଗମନାଗମନ ସୁବିଧା ସହିତ ସମସ୍ତ ଆବଶ୍ୟକ ଭିତ୍ତିଭୂମୀ ଏଠାରେ ରହିଛି। କାରଣ ଜିଲ୍ଲାର ୧୫ ଲକ୍ଷ ଲୋକଙ୍କ ସମେତ ପଡ଼ୋଶୀ ଜିଲ୍ଲାକୁ ମିଶାଇ ପ୍ରାୟ ୨୫ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ଜିଲ୍ଲା ଚିକିତ୍ସାଳୟ ଉପରେ ନିର୍ଭରଶୀଳ। କିନ୍ତୁ ଏଠାରେ ସାମାନ୍ୟତମ ଚିକିତ୍ସା ସୁବିଧା ନାହିଁ। ତେଣୁ ସମସ୍ତ ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଉଛି। ଫଳରେ ଏଠାକୁ ଆସୁଥିବା ଗରୀବ ରୋଗୀ ଓ ସେମାନଙ୍କ ସମ୍ପର୍କୀୟ ଖର୍ଚ୍ଚାନ୍ତ ହୋଇ ଚାଲିଛନ୍ତି। ନିକଟବର୍ତ୍ତୀ ସମସ୍ତ ଜିଲ୍ଲାରେ ଇତିମଧ୍ୟରେ ସରକାରୀ ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ସାରିଲାଣି। କିନ୍ତୁ ଏବେର ରାଜନୈତିକ ନେତୃମଣ୍ଡଳୀଙ୍କ ପାଇଁ ଭଦ୍ରକ ଜିଲ୍ଲା ଏଥିରୁ ବାଦ ପଡ଼ିଛି। ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉଛି ଜିଲ୍ଲାବାସୀଙ୍କ ହକ୍। ଏହି ହକ୍ ପାଇଁ କଂଗ୍ରେସ ନିଜର ସାଲିଶ ବିହୀନ ସଂଗ୍ରାମ ଜାରୀ ରଖିବ। ଅନୁରୂପ ଭଦ୍ରକ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ମଧ୍ୟ ଉପରୋକ୍ତ ନେତୃମଣ୍ଡଳୀ ଦୃଢ଼ ଦାବି କରିଥିଲେ।