Odiapua.com

ମେଡିକାଲ କଲେଜ ନହେଲେ ବିଜୁ ସ୍ମୃତି କମିଟି ନବୀନ ନିବାସ ଆଗରେ ଅନଶନ କରିବ

ଭଦ୍ରକ, ୯ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ବିଜୁ ଜୟନ୍ତୀରେ ବିଜୁ ସ୍ମୃତି କମିଟି ପକ୍ଷରୁ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, ଦରିଦ୍ର ନାରାୟଣ ସେବାରେ ଅନାଥମାନଙ୍କ ମିଷ୍ଟାନ୍ନ ବଣ୍ଟନ କରାଯାଇଥିଲା। କମିଟିର ଅଧ୍ୟକ୍ଷ ଆଡ୍‌ଭୋକେଟ ଅମିତାବାଳା ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ସନ୍ଧ୍ୟାରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ସଭାରେ କାର୍ଯ୍ୟକାରୀ ସଭାପତି ଅଶୋକ ମହାନ୍ତି, ସମ୍ପାଦକ ଆଇନଜୀବୀ କୁଳମଣି ବେହେରା, ବରିଷ୍ଠ ଆଇନଜୀବୀ ଗରିଧାରୀ ନାଥ, ଅଗଣି ଚରଣ ଜେନା, ଗୌରହରି ଦାସ, କମିଟିର ମୁଖ୍ୟ ଉପଦେଷ୍ଟା କୈଳାସ ଚନ୍ଦ୍ର ଜେନା, ଇଜ୍‌ହାସ ଖାଁ, ହାଜୀ ମୁନା ଏବଂ ବହୁ କର୍ମୀ ଉପସ୍ଥିତ ଥିଲେ। କମିଟି ପକ୍ଷରୁ ପୂର୍ବରୁ ଦାବି ହୋଇଥିବା ଡାକୋଟା ବିମାନ ଭୁବନେଶ୍ୱର ଆସି ଲୋକାର୍ପିତ ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରାଯାଇଥିଲା। ଅଧ୍ୟକ୍ଷ ଶ୍ରୀମତୀ ଆଚାର୍ଯ୍ୟ ବିଜୁ ଜନତା ଦଳକୁ ପାରିବାରିକ ରାଜନୀତି ଏବଂ ୧ ଲକ୍ଷ କୋଟି ଟଙ୍କାର ଋଣ ଭାରରେ ଓଡ଼ିଶାକୁ ବୁଡ଼େଇ ଦେବାର ଯେଉଁ ପ୍ରୟାସ କରାଯାଉଛି ସେଥିନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ। ଭଦ୍ରକରେ ଏକ ମେଡ଼ିକାଲ କଲେଜ ପ୍ରତିଷ୍ଠା ପାଇଁ ୨୧୭ ଏକର ଜାଗା ରହିଥିବା ବେଳେ ରାଜ୍ୟ ସରକାର ଏଥି ପ୍ରତି ଧ୍ୟାନ ଦେଉ ନାହାନ୍ତି। ଜିଲ୍ଳାର ଲୋକ ପ୍ରତିନିଧିମାନଙ୍କର ଅପାରଗତା ଲାଗି ଜିଲ୍ଳାବାସୀ ସେମାନଙ୍କ ହକ୍‌ରୁ ବଞ୍ଚିତ ହେଉଛନ୍ତି ବୋଲି ମତ ପ୍ରକାଶ ପାଇଥିଲା। ଭଦ୍ରକରେ ତୁରନ୍ତ ଏକ ମେଡ଼ିକାଲ କଲେଜ ଓ ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ ଦାବି ଉପସ୍ଥାପନ କରାଯାଇଥିଲା। ରାଜ୍ୟ ସରକାର ଜିଲ୍ଲାର ଏହି ଦାବିକୁ ପୂରଣ ନକରନ୍ତି ତେବେ ବିଜୁ ସ୍ମୃତି କମିଟି ନବୀନ ନିବାସ ଆଗରେ ଅନଶନ କରିବ ବୋଲି ଚେତାବନୀ ଦେଇଥିଲେ।