Odiapua.com

ମେଡିକାଲ କଲେଜ ଦାବି , ପାର୍କ ଓ ଖେଳପଡିଆ ନିର୍ମାଣ ଲାଗି ଶୁଭ ଦିଆଗଲା

ଭଦ୍ରକ, ୨୯ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲାବାସୀଙ୍କ ପକ୍ଷରୁ ଦାବି ହେଉଛି ମେଡିକାଲ କଲେଜ ହସ୍‌ପିଟାଲ ପ୍ରତିଷ୍ଠା, ହେଲେ ନେତା ଶୁଭ ଦେଉଛନ୍ତି ପାର୍କ, ଖେଳପଡିଆ, କଲ୍ୟାଣ ମଣ୍ଡପ ଏବଂ ରାସ୍ତାଘାଟ । ଯାହାକୁ ନେଇ ଜିଲାବାସୀଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧୁଛି । ନିକଟରେ ଭଦ୍ରକ ଜିଲାରେ ମେଡିକାଲ କଲେଜ ପ୍ରତିଷ୍ଠା ନେଇ ବିରୋଧୀ କଂଗ୍ରେସ ପକ୍ଷରୁ ଭଦ୍ରକ ବନ୍ଦ କରାଯାଇଥିବାବେଳେ ବିଜେପି ପ୍ରତି ବ୍ଲକ୍ ଗଣଧାରଣା ଏବଂ ପ୍ରତିବାଦ ଚଳାଇଛି । କେବଳ ବିରୋଧୀ କଂଗ୍ରେସ ଅଥବା ବିଜେପି ନୁହଁନ୍ତି ଜିଲାର ବିଭିନ୍ନ ସାମାଜିକ ସଂଗଠନ ଏବଂ ବୁଦ୍ଧିଜୀବୀ ମଧ୍ୟ ଏଥିନେଇ ସେମାନଙ୍କ ଅସନ୍ତୋଷ ଜାହିର କରିଆସୁଛନ୍ତି । ହେଲେ ଜିଲାବାସୀଙ୍କ ଏହି ଅସନ୍ତୋଷ ଏବଂ ପ୍ରତିବାଦ ଶାସକ ଦଳ ନେତା ଏବଂ ଜନ ପ୍ରତିନିଧିଙ୍କୁ ସାମାନ୍ୟତମ ପ୍ରଭାବିତ କରିପାରୁନାହିଁ । ରାଜନୈତିକ ବାଧ୍ୟବାଧ୍ୟକତା ହେଉ ଅଥବା ଜିଲାବାସୀଙ୍କ ସ୍ୱର ସହ ସ୍ୱର ମିଳାଇ କୁର୍ଷି ହଟିଯିବା ଭୟରେ ହେଉ ଏ ବାବଦରେ କେହି ମୁହଁ ଖୋଲୁନାହାଁନ୍ତି । ଜନ ପ୍ରତିନିଧି ମାନଙ୍କର ଏହି ନୀରବତା ଜିଲାବାସୀଙ୍କ ସ୍ୱରକୁ ଶାଣିତ କରିପାରୁନାହିଁ । ଫଳରେ ବର୍ଷବର୍ଷ ଧରି ଜିଲାବାସୀଙ୍କ ଦାବି କେବଳ ଦାବିରେ ସୀମିତ ରହିଯାଇଛି । ଗତ ୨୦ ବର୍ଷ ଧରି ଜିଲାବାସୀ ଶାସକ ବିଜେଡି ସରକାରଙ୍କ ପ୍ରତି ଅକୁଣ୍ଠ ସମର୍ଥନ ଯୋଗାଇ ଦେଇଆସୁଛନ୍ତି । ହେଲେ ସରକାର ଜିଲାବାସୀଙ୍କ ଭାବାବେଗ ପ୍ରତି ସାମାନ୍ୟତମ ଦୃଷ୍ଟି ଦେଇନାହାଁନ୍ତି । ନିକଟରେ ଶାସକ ବିଜେଡି ତାର ଦଳ ପ୍ରତିଷ୍ଠାର ୨୪ ବର୍ଷ ପୂର୍ତ୍ତି ଜିଲାବ୍ୟାପୀ ଧୁମଧାମରେ ପାଳନ କରିଛି । ହେଲେ ଜଣେ ହେଲେ ନେତା ଜିଲାବାସୀଙ୍କ ସମସ୍ୟା ଉପରେ ସାମାନ୍ୟତମ ପ୍ରତିକ୍ରିୟା ରଖିନାହାଁନ୍ତି ।

ଯାହାକି ଜିଲାବାସୀଙ୍କୁ କେବଳ ହତାଶ କରିନାହିଁ, ମର୍ମାହତ କରିଛି । ଭଦ୍ରକକୁ ଜିଲା ମାନ୍ୟତା ମିଳିବାର ଇତିମଧ୍ୟରେ ୨୭ ବର୍ଷ ବିତିଗଲାଣି, ଜିଲାରେ ଲୋକସଂଖ୍ୟା ୨୦ ଲକ୍ଷ ଛୁଇଁଲାଣି, ହେଲେ ଜିଲାବାସୀଙ୍କୁ ଅଦ୍ୟାବଧି ଉପଯୁକ୍ତ ସ୍ୱାସ୍ଥ୍ୟ ସେବା ମିଳୁନି । ଉପଯୁକ୍ତ ସେବା ନଥିବାରୁ ପ୍ରତିଦିନ ବହୁ ରୋଗୀଙ୍କୁ କଟକ ରେଫର କରାଯାଉଛି । ସରକାରୀ ସ୍ୱାସ୍ଥ୍ୟ ସେବାରୁ ବଂଚିତ ହୋଇ ଅନେକ ମୃତ୍ୟୁ ମୁଖରେ ପଡୁଛନ୍ତି । ହେଲେ ଶାସନ, ପ୍ରଶାସନ ଏବଂ ଜନ ପ୍ରତିନିଧି ସମସ୍ତେ ନୀରବ । ସବୁଠାରୁ ବଡ କଥା ହେଲା ରାଜ୍ୟ ସରକାର ପ୍ରତିଦିନ ଅନ୍ୟାନ୍ୟ ଜିଲାକୁ ମେଡିକାଲ କଲେଜ ଠାରୁ ଆରମ୍ଭ କରି ପେଟ୍ରୋ କେମିକାଲସ୍ ଭଳି ବୃହତ୍ତ ପ୍ରକଳ୍ପ ଭେଟି ଦେଉଛନ୍ତି, ହେଲେ ଜିଲାବାସୀଙ୍କ ସମସ୍ୟା ପ୍ରତି ଆଖିବୁଜି ଦେଇଛନ୍ତି । ଜିଲାବାସୀ ମେଡିକାଲ କଲେଜ ପାଇଁ ମଥା ପିଟୁଥିବାବେଳେ ଶାସକ ଦଳର ନେତା ଏବଂ ଜନ ପ୍ରତିନିଧି ଜିଲାରେ ପାର୍କ, ମିନି ଷ୍ଟାଡିୟମ୍‌, କଲ୍ୟାଣ ମଣ୍ଡପ, ରାସ୍ତାଘାଟ ଏବଂ ଅଲୋକୀକରଣରେ ମାତିଛନ୍ତି । କୁହାଯାଉଛି ଗାଁକୁ ସହର ଭଳି ଗଢି ତୋଳିବା ଲକ୍ଷ୍ୟ ନେଇ ଏହି ଯୋଜନା କାର୍ଯ୍ୟକାରୀ ହେଉଛି । ଯାହାକି ଜିଲାବାସୀଙ୍କ ପାଇଁ ନିରର୍ଥକ ସାବ୍ୟସ୍ତ ହୋଇଛି । ଏକ ଜନକଲ୍ୟାଣକାରୀ ରାଷ୍ଟ୍ରରେ ଲୋକଙ୍କୁ ଉତ୍ତମ ସ୍ୱାସ୍ଥ୍ୟ, ବିଜୁଳି, ପାନୀୟଜଳ, ଶିକ୍ଷା ଏବଂ ରାସ୍ତାଘାଟ ଭଳି ମୌଳିକ ସୁବିଧା ଯୋଗାଇଦେବା ସରକାରଙ୍କ ଦାୟିତ୍ୱ ନୁହେଁ କର୍ତ୍ତବ୍ୟ ବିବେଚନା କରାଯାଇଥାଏ । ହେଲେ ଏହାରି ଆଢୁଆଳରେ ଜିଲାବାସୀଙ୍କ ମୁଖ୍ୟ ସମସ୍ୟା ପ୍ରତି ଆଖି ବୁଜିଦେବା ଗଣତନ୍ତ୍ର ବିରୋଧୀ ବୋଲି ଅଭିଯୋଗ ହେଉଛି । ଜିଲାର ଜନ ପ୍ରତିନିଧିମାନେ ଜନତାଙ୍କ ଦ୍ୱାରା ନିର୍ବାଚିତ ହୋଇଛନ୍ତି । ତେଣୁ ଜନତାଙ୍କ ସ୍ୱର ସହ ସ୍ୱର ମିଶାଇ ଜନପ୍ରତିନିଧିମାନକୁ ଆଗେଇବାକୁ ପଡିବ । ଅନ୍ୟଥା ଭୋଟର ତାତିଲେ ସେମାନଙ୍କ କୁର୍ଷି ଯେ ସଂକଟରେ ପଡିନଯିବ, ତାହା କହିହେବ ନାହିଁ ।