Odiapua.com

ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ପ୍ରତିଷ୍ଠା ପ୍ରସଙ୍ଗ, ୩ୟ ଥର ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେଲେ ପୂର୍ବତନ ବିଧାୟକ

ଭଦ୍ରକ, ୧ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମେଡିକାଲ କଲେଜ ଓ ବିଶ୍ୱବିଦ୍ୟାଳୟ ଘୋଷଣା କରାଯିବାର ୫୬୫ ଦିନ ବିତିଯାଇଥିଲେ ମଧ୍ୟ ଆଜିଯାଏ ସୁଫଳ ମିଳିନାହିଁ। ଏଥିପାଇଁ ପୂର୍ବ ସୂଚନା ଅନୁଯାୟୀ ପୂର୍ବତନ ବିଧାୟକ ନରେନ ପଲେଇ ଓ ତାଙ୍କ ସମର୍ଥକମାନେ ଆଜି ଜିଲାପାଳଙ୍କ ଅନୁପସ୍ଥିତିରେ ଅତିରିକ୍ତ ଜିଲାପାଳ ରବିନାରାୟଣ ସାହୁଙ୍କୁ ଭେଟି ତୃତୀୟଥର ପାଇଁ ଏକ ଦାବିପତ୍ର ଦେଇଛନ୍ତି। ଦାବିପତ୍ର ଦେବା ସମୟରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ କହିଛନ୍ତି ବିଶ୍ୱବିଦ୍ୟାଳୟ ଓ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ମୁଁ ୩୬୫ ଦିନରେ ପ୍ରଥମ ଦାବିପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦେଇଥିଲି। ପୁଣି ୪୬୫ ଦିନ ପରେ ଆଉ ଏକ ଦାବିପତ୍ର ଦିଆଯାଇଥିଲା। ଆଜି ୫୬୫ ଦିନ ପରେ ମଧ୍ୟ ତୃତୀୟଥର ପାଇଁ ସରକାରଙ୍କୁ ମନେ ପକାଇଦେବା ପାଇଁ ଏହି ଦାବିପତ୍ର ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଉଛି ବୋଲି କହିଥିଲେ। ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ବିଧାନସଭାରେ ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ହେବ ବୋଲି ଘୋଷଣା କରିଥିଲେ। ସେହିପରି ମୟୂରଭଂଜର ଏକ ସାଧାରଣ ସଭାରେ ଭଦ୍ରକ ମେଡିକାଲ କଲେଜର ପ୍ରତିଷ୍ଠା ପାଇଁ ଏକ ନକ୍ସା ପ୍ରସ୍ତୁତି ହୋଇସାରିଛି ବୋଲି କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ କହିବା ଅନୁଯାୟୀ ପୂର୍ବତନ ବିଧାୟକ ଶ୍ରୀ ପଲେଇ ପୂର୍ତ ବିଭାଗରେ ଏ ସଂପର୍କରେ ଅନୁଧ୍ୟାନ କରିଥିଲେ। କିନ୍ତୁ ଏ ବାବଦରେ କୌଣସି ଡିପିଆର ହୋଇନାହିଁ ବୋଲି ବିଭାଗୀୟ କର୍ତୃପକ୍ଷଙ୍କ ଠାରୁ ଜାଣିଥିଲେ। ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ହୋଇ ଛାତ୍ରଛାତ୍ରୀ ଆଡମିଶନ ନହେବା ପର୍ଯ୍ୟନ୍ତ ଆମେ ସରକାରଙ୍କ ନିଦ ହଜାଇଦେବୁ। ଆମର କାର୍ଯ୍ୟକ୍ରମ ଜାରି ରଖିବୁ ବୋଲି ସେ କହିଥିଲେ।