Odiapua.com

ମେଡିକାଲ କଲେଜ ଆନ୍ଦୋଳନକୁ ବିଭ୍ରାନ୍ତ କରୁଛନ୍ତି ବିଧାୟକ – ଆଇଏମ୍‌ଏର ଜିଲା ସଂପାଦକ

ଭଦ୍ରକ, ୧୫ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲ୍ଲାବାସୀଙ୍କ ଦିର୍ଘ୍ୟଦିନର ଦାବୀ ମେଡିକାଲ କଲେଜ ପ୍ରତିଷ୍ଟା ଆନ୍ଦୋଳନକୁ ବିଭ୍ରାନ୍ତ କରୁଛନ୍ତି ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକ । ବିଧାୟକଙ୍କ ବରୁଦ୍ଧରେ ଏହି ଧରଣର ଅଭିଯୋଗ ଆଣିଛନ୍ତି ଭାରତୀୟ ଚିକିତ୍ସିକ ସଂଘର ଜିଲ୍ଲା ସଂପାଦକ ଡା ହରେକୃଷ୍ଣ ନାୟକ । ଏକ ପ୍ରେସ ବିଜ୍ଞପ୍ତିରେ ଶ୍ରୀ ନାୟକ କହିଛନ୍ତି ଯେ ଗତ ୩ ବର୍ଷ ତଳେ ରାଜ୍ୟ ସରକାର ରାଜ୍ୟର ଅନ୍ୟାନ୍ୟ କିଛି ଜିଲ୍ଲା ସହିତ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକତ୍ସାଳୟ(ଡିଏଚଏଚ) ପ୍ରତିଷ୍ଟା ସକାସେ ଆର୍ଥିକ ଅନୁମୋଦନ କରିଥିଲେ । ପ୍ରସ୍ତାବିତ ଡିଏଚଏଚ କୁ ୪୧୫ ଶର୍ଯ୍ୟା ବିଶିଷ୍ଟ କରାଯିବାକୁ ପ୍ରସ୍ତାବରେ ଅନୁମୋଦନ କରାଯାଇଥିଲା । ହେଲେ ପରେ ଏହାକୁ ୩ ଶହ ଶଯ୍ୟାକୁ ହ୍ରାସ କରାଯାଇ ଏଥିସକାସେ ଆର୍ଥିକ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଯାହାକି ଜିଲ୍ଲାବାସୀଙ୍କ ସକାସେ ହାସ୍ୟାସ୍ପଦ ସାବ୍ୟସ୍ତ ହୋଇଛି । ତେବେ ଜିଲ୍ଲାରେ ମେଡିକାଲ କ୍ରିୟାନୁଷ୍ଟାନ କମିଟି ପକ୍ଷରୁ ବିଧାୟକ ମାନଙ୍କ ବାସ ଭବନ ଆଗରେ ଧାରଣା ଚାଲିଥିବା ବେଳେ ବିଧାୟକ ରାଜ୍ୟ ରାଜ୍ୟ ସରକାର ଡିଏଚଏଚ ପ୍ରତିଷ୍ଠା ପାଇଁ ମଞ୍ଜୁରୀ କରିଥିବା ଅନୁଦାନକୁ ସୁପରସ୍ପେସିଆଲିଷ୍ଟ ହସପିଟାଲ ଆଖ୍ୟାଦେବା ଦୁର୍ଭାଗ୍ୟ ଜନକ ବୋଲି ସେ କହିଛନ୍ତି । ସେ ଆହୁରୀ ମଧ୍ୟ କହିଛନ୍ତି ସୁପରସ୍ପେସିଆଲିଷ୍ଟ ହସପିଟାଲ କେବଳ କର୍ପୋରେଟ ଏବଂ ମେଡିକାଲ କଲେଜ ମାନଙ୍କରେ ରହିଥାଏ । ଯେଉଁଠାରେ ବିଭିନ୍ନ ବିଭାଗର ମୁଖ୍ୟ/ପ୍ରଫେସର ମାନେ ରହୁଥିବା ବେଳେ ଏହି ହସପିଟାଲ ମାନଙ୍କରେ ବିରଳରୁ ବିରଳତର ଅସ୍ତ୍ରୋପଚାର ଏବଂ ଅତି ଅତ୍ୟାଧୁନିକ ସେବା ଯୋଗାଇ ଦିଆଯାଇଥାଏ ।

ଏପରିସ୍ତଳେ ସରକାର ଜିଲ୍ଲା ହସପିଟାଲକୁ ସର୍ବନିମ୍ନ ୫ ଶହ ସର୍ଯ୍ୟା ବିଶିଷ୍ଟ କରିବାକୁ ପଛଘୁଂଚା ଦେଉଥିବା ଏବଂ ମେଡିକାଲ କଲେଜ ପ୍ରତିଷ୍ଟା ଆନ୍ଦୋଳନକୁ ଏଡେଇଚାଲିଥିବା ବେଳେ ଭଦ୍ରକ ବିଧାୟକ ଡିଏଚଏଚ ପାଇଁ ମିଳିଥିବା ଅନୁଦାନକୁ ସୁପରସ୍ପେସିଆଲିଷ୍ଟ ହସପିଟାଲ ଆଖ୍ୟାଦେବା ଦୁର୍ଭାଗ୍ୟଜନକ । ଏହା ଫଳରେ ବିଧାୟକ ଜିଲ୍ଲାବାସୀଙ୍କ ମେଡିକାଲ କଲେଜ ପ୍ରତିଷ୍ଟା ଆନ୍ଦୋଳନକୁ କେବଳ ନିରୁତ୍ସାହିତ କରୁ ନାହାନ୍ତି ପରନ୍ତୁ ବିଭ୍ରାନ୍ତ କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି । ଜଣେ ବିଧାୟକ ଭାବେ ହସପିଟାଲ ଏବଂ ସୁପରସ୍ପେସିଆଲିଷ୍ଟ ହସପିଟାଲ ମଧ୍ୟରେ ଫରକ ନଜାଣି ଏଦାଦୃଶ ବିବୃତି ଦେବା ଆପତିଜନକ ବୋଲି ସେ କହିଛନ୍ତି । ସେହିଭଳି ଗତ ପ୍ରାୟ ୩ ବର୍ଷ ତଳେ ଭଦ୍ରକ ରେ ଏଏନଏମ ଟ୍ରେନିଂ ସେଂଟର ଖୋଲିବାକୁ ଏପରିକି ନିଜସ୍ୱ ଗୃହ ନଥିଲେ ଭଡାଗୃହ ନେଇ ଏହି କେନ୍ଦ୍ର ଖୋଲିବାକୁ ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀଙ୍କୁ ନିର୍ଦ୍ଧେଶ ଆସିଥିଲେ ମଧ୍ୟ ଜିଲ୍ଲା ସ୍ୱାସ୍ଥ୍ର‌୍ୟ ପ୍ରଶାସନର ଅବହେଳା ଯୋଗୁ ଆଜିସୁଦ୍ଧା ତାହା କାର୍ଯ୍ୟକାରୀ ହୋଇ ପାରିନାହିଁ । ଏଥିନେଇ ଜିଲ୍ଲାର ଜନ ପ୍ରତିନିଧିଭାବେ କେହି ସ୍ୱର ନଉଠାଇବା ଏବଂ ଜିଲ୍ଲାବାସୀ ଏହି ସୁବିଧାରୁ ବଂଚିତ ହେବା ଘଟଣା ଜିଲ୍ଲାବାସୀଙ୍କ ସ୍ୱାର୍ଥ ପରିପନ୍ଥି ବୋଲି ସେ କହିଛନ୍ତି । ତେଣୁ ଜିଲ୍ଲାର ଜନ ପ୍ରତିନିଧିମାନେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବା ଉପରେ ପରଦା ନଢାଙ୍କି ଜିଲ୍ଲା ସ୍ୱାସ୍ଥ୍ୟ ସେବାର ଅସଲଚିତ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହିତ ଲୋକ ଲୋଚନକୁ ଆଣିବାକୁ ସେ ଦାବୀ କରିଛନ୍ତି ।