Odiapua.com

ମେଡିକାଲ୍ କଲେଜ୍ ଖୋଲିବା ପ୍ରତିଶ୍ରୁତି ଏକ ଧୂଆଁବାଣ ନହେଉ : ସଂଘର୍ଷ ସମିତି ଆବାହକ ଶରତ ପ୍ରଧାନ

ତାଳଚେର, ୧୬/୫ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ମେଡିକାଲ୍ କଲେଜ୍ ଖୋଲିବା ପ୍ରତିଶ୍ରୁତି ଏକ ଧୂଆଁବାଣ ନହେଉ ବୋଲି ତାଳଚେର ମେଡିକାଲ୍ କଲେଜ୍ ସଂଘର୍ଷ ସମିତିର ଆବାହକ ଶରତ ଚନ୍ଦ୍ର ପ୍ରଧାନ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରକାଶ କରିଛନ୍ତି। ଆଜି ହାଟତୋଟା ସ୍ଥିତ ପ୍ରେସ୍ କ୍ଲବ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ପ୍ରଧାନ ଆହୁରି କହିଛନ୍ତି ଯେ, ଉତପ୍ତ ତାଳଚେର, ନିଜର ମାଟି, ଜଙ୍ଗଲ, ଚାଷଜମି, ପାଣି, ଖଣିଜ ସଂମ୍ପଦ ଏବଂ ନିଜର ସ୍ଥାୟିତ୍ୱକୁ, ସମାଜ, ରାଜ୍ୟ ଓ ଦେଶର କଲ୍ୟାଣ ପାଇଁ ଉତ୍ସର୍ଗ କରି ଆସୁଅଛି। କୋଇଲାଖଣି, ବିଦ୍ୟୁତ୍‌, ପ୍ରସ୍ତାବିତ ଅନେକ ଛୋଟ ବଡ ସରକାରୀ ଏବଂ ବେସରକାରୀ ଉଦ୍ୟୋଗଗୁଡିକ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କୁ ବାର୍ଷିକ ହଜାର ହଜାର କୋଟିର ଅର୍ଥ ଯୋଗାଇ ଦେଉଛି। ଏହା ତୁଳନାରେ ସରକାରଙ୍କର କୌଣସି ପ୍ରକାର ବିକାଶ ମୂଳକ ଯୋଜନା ଏ ଅଂଚଳରେ କରାଯାଇନାହିଁ। ତାଳଚେରର ବାୟୁମଣ୍ଡଳ ପ୍ରଦୂଷଣରେ ବିଷାକ୍ତ ହୋଇସାରିଛି। ସ୍ୱାସ୍ଥ୍ୟ, ଶିକ୍ଷା, ଗମନାଗମନ ଓ ପାନୀୟ ଜଳର ଉତ୍କଟ ଅଭାବ ଦେଖାଦେଇଛି। ଓଡିଶା ସରକାର ଏବଂ ମହାନଦୀ କୋଇଲା କମ୍ପାନୀର ବୁଝାମଣା ଅନୁସାରେ ଏଠାରେ ପ୍ରାୟ ୫୦୦ କୋଟି ଟଙ୍କାର ବ୍ୟୟରେ ନିର୍ମାଣ କରାଯାଇଥିବା ମେଡିକାଲ୍ କଲେଜ୍‌ଟି କାର୍ଯ୍ୟକ୍ଷମ ନହୋଇ ଆଜି ପର୍ଯ୍ୟନ୍ତ ପଡିରହିଛି। ଏହି ପ୍ରସଙ୍ଗ ନେଇ ତାଳଚେର ମେଡିକାଲ୍ କଲେଜ୍ ସଂଘର୍ଷ ସମିତି ଅନେକ ଦିନରୁ ପ୍ରଚେଷ୍ଟା କରି ଆସୁଅଛି। ବର୍ତମାନ ଏହାକୁ ବିଚାର କରି ସରକାର ନିଜେ ହାତକୁ ନେଇ ଚଳାଇବା ପାଇଁ ନିଷ୍ପତି ନେଇଅଛନ୍ତି। ଏହା ଏକ ସ୍ୱାଗତଯୋଗ୍ୟ ପଦକ୍ଷେପ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ତତ୍ ସହିତ ଶ୍ରୀ ପ୍ରଧାନ, ଓଡିଶା ସରକାର, ତାଳଚେରବାସୀ ଓ ଅନୁଗୋଳ ଜିଲ୍ଲାବାସୀ ଏବଂ ଅନ୍ୟାନ୍ୟ ସଂସ୍ଥା ଗୁଡିକର ସାହାଯ୍ୟ ପାଇଁ ଧନ୍ୟବାଦ ଅର୍ପଣ କରିଛନ୍ତି। ସରକାର ତାଙ୍କର ପ୍ରତିଶ୍ରୁତିକୁ ଯଥାଶୀଘ୍ର ସରକାରୀ ଗେଜେଟରେ ଛାପି ଅଥବା ପ୍ରକାଶ କରି କଲେଜର ପ୍ରାରମ୍ଭିକ କାର୍ଯ୍ୟକଳାପ ଆରମ୍ଭ କରନ୍ତୁ ବୋଲି ଶ୍ରୀ ପ୍ରଧାନ କହିଛନ୍ତି। ସରକାରଙ୍କର ଏ ପ୍ରତିଶ୍ରୁତି ଯେପରି ଏକ ଧୂଆଁବାଣ ନହେଉ, ସେଥିପାଇଁ ସେ ସରକାରଙ୍କୁ ବିନମ୍ର ଅନୁରୋଧ କରିଛନ୍ତି। ମେଡିକାଲ୍ କଲେଜ୍ ତାଳଚେରବାସୀଙ୍କ ଅନେକ ସମସ୍ୟାର ସମାଧାନର ଉତ୍ସ ଅଟେ। ଏଥିସହିତ ତାଳଚେର ମେଡିକାଲ୍ କଲେଜକୁ ଏକ ବିଶ୍ୱବିଦ୍ୟାଳୟରେ ପରିଣତ କରିବା, ତାଳଚେରକୁ ସମସ୍ତ ଟ୍ରେନ୍ ଆସିବା, ବିମଳାଗଡ ରେଳ ଲାଇନ୍‌କୁ ଶୀଘ୍ର ସଂପୂର୍ଣ୍ଣ କରିବା, ଏକ ନୂଆ ସ୍କିଲ୍ ଡେଭେଲପ୍‌ମେଣ୍ଟ ସେଣ୍ଟର ଖୋଲିବା, ଟିଟିପିଏସ୍ ଉଚ୍ଛେଦରେ ୩ଟି ଡିଏଭି ସ୍କୁଲକୁ ବନ୍ଦ ନକରିବା ଏବଂ ତାଳଚେର ଜମିହରା ପ୍ରଜାଙ୍କର ଥଇଥାନ ଇତ୍ୟାଦି କିଭଳି କାର୍ଯ୍ୟକାରୀ ହେବ ସେ ବିଷୟରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିବା ପାଇଁ ଶ୍ରୀ ପ୍ରଧାନ ଜୋର ଦେଇଛନ୍ତି। ଏହି ସବୁ କାର୍ଯ୍ୟରେ ସେ ପ୍ରତ୍ୟେକ ତାଳଚେରବାସୀଙ୍କର ସହଯୋଗ ଲୋଡିଛନ୍ତି। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ବ୍ଲକ କଂଗ୍ରେସ୍ ସଭାପତି ତଥା ବରିଷ୍ଠ ଆଇନ୍‌ଜୀବୀ ଜ୍ଞାନରଞ୍ଜନ ପାଣି, ବୀରବର ସାହୁ, ଶ୍ରୀନିବାସ ସାହୁ, ଦୁର୍ଗାଚରଣ ସାହୁ ଓ ଡାକ୍ତର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।