Odiapua.com

ମେଡିକାଲ୍ କଲେଜକୁ ସରକାର ଚଳାଇବା ପ୍ରସଙ୍ଗରେ ଆଗାମୀ ୨୩ରେ ମିଳିତ ସମାବେଶ

ତାଳଚେର, ୧୩/୪ (ଓଡ଼ିଆ ପୁଅ/ଅଜିତ ବେହେରା) : ତାଳଚେର ମେଡିକାଲ୍ କଲେଜ ସରକାର ଚଳାନ୍ତୁ ପ୍ରସଙ୍ଗରେ ଏକତ୍ର ତାଳଚେର ମିଳିତ ସମାବେଶ ଆୟୋଜନ କରିବା ଆହ୍ୱାନ ନେଇ ଏକ ବୈଠକ ସ୍ଥାନୀୟ ଘଣ୍ଟପଡା ୱାସେରୀ ସ୍ଥିତ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି। ସୂଚନାନୁସାରେ, ଅନୁଗୋଳ ଜିଲ୍ଲା ତଥା ତାଳଚେରବାସୀଙ୍କର ଦୀର୍ଘ ଦିନର ସଂଘର୍ଷକୁ ସମ୍ମାନ ଦେଇ ରାଜ୍ୟ ସରକାର ତାଳଚେରରେ ଏକ ଅତ୍ୟାଧୁନିକ ମେଡିକାଲ୍ କଲେଜ୍ କରିବା ପାଇଁ ଏମ୍‌.ସି.ଏଲ୍‌. କର୍ତ୍ତୃପକ୍ଷଙ୍କ ସହ ଚୁକ୍ତି କରିଥିଲେ। ଚୁକ୍ତି ଅନୁଯାୟୀ ସିଏସଆର ବିନିଯୋଗରେ ଏମସିଏଲ ତତ୍ୱାବଧାନରେ ସଠିକ୍ ସମୟ ନେଇ ମେଡିକାଲ୍ କଲେଜର କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲା। କିନ୍ତୁ ଅଦ୍ୟାବଧି ସରକାର ଏହାକୁ ପରିଚାଳନା କରିନାହାଁନ୍ତି। ଓଡିଶାର ଅନ୍ୟ ଜିଲ୍ଲା ଗୁଡିକରେ ସରକାର ବଜେଟ୍ ଆଗତ କରି ନିଜସ୍ୱ ଯୋଜନାରେ ମେଡିକାଲ କଲେଜ କାର୍ଯ୍ୟକ୍ଷମ କରୁଥିବା ବେଳେ ସବୁଠାରୁ ଅଧିକ ରାଜସ୍ୱ ଦେଉଥିବା ଅନୁଗୋଳ ଜିଲ୍ଲାକୁ ବୈମାତୃକ ମନୋଭାବ ପୋଷଣ କରୁଛନ୍ତି। ବିଗତ ଦିନରେ ଏହି ରାଜସ୍ୱ ଆଦାୟ ଏମ୍‌.ସି.ଏଲ୍‌. ସୂଚନା ଅନୁଯାୟୀ ବଢ଼ିବା ଅନୁରୂପ ସ୍ଥାନୀୟ ଜନସାଧାରଣ ମାତ୍ରାଧିକ ଜଳବାୟୁ ପ୍ରଭାବରେ ନାନାଦି ରୋଗାକ୍ରାନ୍ତ ହେଉଛନ୍ତି। ଚିକିତ୍ସାଳୟ ଗୁଡିକରେ ଆବଶ୍ୟକ ଡାକ୍ତର ଓ ବହୁ ପ୍ରତୀକ୍ଷିତ ମେଡିକାଲ କଲେଜକୁ ସରକାର ନଚଳାଇବାରୁ ଜିଲ୍ଲା ତଥା ତାଳଚେର ସହିତ ସଲଗ୍ନ କେନ୍ଦ୍ର ଓଡଶାବାସୀ ସ୍ୱାସ୍ଥ୍ୟସେବା ନପାଇ ବିଭିନ୍ନ ମାରାତ୍ମକ ରୋଗରେ ମୃତ୍ୟୁବରଣ କରିବା ସହିତ ଅସୁସ୍ଥ ବାତାବରଣରେ ବଂଚୁଥିବା ଦେଖି ବିଗତ ଦିନରେ କେନ୍ଦ୍ରମନ୍ତ୍ରୀ, ସାଂସଦ, ବିଧାୟକ ସମେତ ଜିଲ୍ଲା ମଧ୍ୟରେ ଥିବା ସମସ୍ତ ବିଧାୟକଙ୍କୁ ଉକ୍ତ ସମସ୍ୟା ନେଇ ମେଡିକାଲ୍ କଲେଜ୍ ସରକାର ଚଳାନ୍ତୁ ବୋଲି ତାଳଚେର ଜନ ବିକାଶ କଲ୍ୟାଣ ସଂଘ ଅବଗତ କରାଇଥିଲା। ତେବେ ତା’ର କୌଣସି ସୁଫଳ ଜନସାଧାରଣ ଏଯାଏଁ ନପାଇବା ହେତୁ ପଂଚାୟତ ନିର୍ବାଚନ ୨୦୨୨ ସମୟରେ ତାଳଚେର ମେଡିକାଲ୍ କଲେଜକୁ ସରକାର ଚଳାନ୍ତୁ ବାର୍ତ୍ତାକୁ ନେଇ କଣିହାଁ ଓ ତାଳଚେରର ସମସ୍ତ ସରପଂଚ ଓ ସମିତିସଭ୍ୟ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମହୋଦୟଙ୍କ ପ୍ରତ୍ୟକ୍ଷ ଭାବେ ସାକ୍ଷାତ କରି ଅବଗତ କରିଥିଲେ। ତାଳଚେର ପ୍ରତି ସରକାରଙ୍କ ବୈମାତୃକ ମନୋଭାବ ବିରୋଧରେ ତୃଣମୂଳ ସ୍ତରରେ ଜନଜାଗରଣ ଭିତିକ ଏକ ଜନଆନ୍ଦୋଳନ ଉଦ୍ଦେଶ୍ୟରେ ସମସ୍ତ ପ୍ରାର୍ଥୀ ଓ ପ୍ରାର୍ଥୀନୀ ମହୋଦୟଙ୍କ ଦେଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ ୨୩ ତାରିଖରେ ଘଣ୍ଟପଡା ଅନନ୍ତ ବିହାର ଦୁର୍ଗାମଣ୍ଡପ ପଡିଆ ପ୍ରାଙ୍ଗଣରେ ସକାଳ ୧୦ ଘଟିକା ସମୟରେ ଏକତ୍ର ତାଳଚେର ମିଳିତ ସମାବେଶ ଆୟୋଜନ କରାଯିବାକୁ ନିଷ୍ପତି ହୋଇଛି। ଉକ୍ତ ବୈଠକରେ ତାଳଚେର ଜନସାଧାରଣବାସୀଙ୍କୁ ଉତମ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ନିମନ୍ତେ ତାଳଚେର ଠାରେ ନବନିର୍ମିତ ମେଡିକାଲ୍ କଲେଜ୍ (ମିମ୍‌ସାର) କୁ ତୁରନ୍ତ ସରକାରୀ ସ୍ତରରେ କାର୍ଯ୍ୟକ୍ଷମ କରାଇବା ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରାଯିବ। ଭୂପେନ୍ ଥମ୍ବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଅନୁଷ୍ଠାନର ସଭାପତି ସାଧାରଣ ସମ୍ପାଦକ ଦ୍ରୁମଦ ପ୍ରଧାନ, ସରୋଜ ଧର, କଳାକାର ନାଏକ, ମହେଶ୍ୱର ସାହୁ, ଜିତେନ୍ ମହାପାତ୍ର, ପୁରନ୍ଦର ସାହୁ, କ୍ଷିରୋଦ ସାହୁ, ନିରଞ୍ଜନ ରାଉତ, ମୁରଲୀ ବେହେରା, ସଞ୍ଜୟ ବେହେରା, ରଞ୍ଜନ ବେହେରା, ବିଶ୍ୱନାଥ ନାଏକ, ବାଉରୀବନ୍ଧୁ ପ୍ରଧାନ, ସନାତନ ମହାପାତ୍ର, ସଞ୍ଜୟ କୁମାର ମିଶ୍ର, ଟିକମ ସାହୁ, ପବିତ୍ର ନାଏକ, ପିତାମ୍ବର ସାହୁ, କ୍ଷିରୋଦ ଚନ୍ଦ୍ର ସାହୁ, ନିରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।