ଯୋଡା, ୦୧- ୭ (ଓଡିଆ ପୁଅ / ସେକ୍ ଜାବିର ମହମ୍ମଦ) ୫୨୦ ନଂ ଜାତୀୟ ରାଜପଥ ଏବେ ମୃତ୍ୟୁ ଯନ୍ତା ପାଲଟିଛି । ଏହି ଜରାଜିର୍ଣ୍ଣ ରାଜପଥରେ ନିତି ଗଡୁଛି ମୁଣ୍ଡ । ବୁଧବାର ପୂର୍ବାହ୍ନରେ ନାରଦପୁରଠାରେ ଗୁଆଲିର ଆପଟ୍ଟ ପରିବାରଙ୍କୁ ଏକ ଘର ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ପାଇଁ ନେଇଯାଉଥିବା ଏକ ଇନୋଭା ଗାଡି ସହିତ ଏକ ୧୪ ଚକିଆ ହାଇୱା ମୁହାଁ ମୁହିଁ ଧକ୍କା ହେବା ଫଳରେ ଘଟଣା ସ୍ଥଳରେ ହିଁ ଡ୍ରାଇଭର ପେନୁ ମହାକୁଡଙ୍କର ମୃତ୍ୟୁ ଘଟିଥିବା ବେଳେ ଗାଡିରେ ବସିଥିବା ଅନ୍ୟ ୮ଜଣଙ୍କ ମଧ୍ୟରୁ ତିନି ଜଣ ଗୁରୁତର ଆହତ ହୋଇଥିବା ଖବର ହସ୍ତଗତ ହୋଇଛି । ଆହତମାନଙ୍କୁ ପ୍ରଥମେ ଯୋଡାସ୍ଥିତ ଟାଟା କମ୍ପାନୀଙ୍କ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ଖଣି ଠିକାଦାର ତ୍ରିବେଣୀ ଆର୍ଥମୁଭର୍ସରଙ୍କ ଗୋଟିଏ ହେଲିକ୍ୟାପ୍ଟର ଓ ଗୋଟିଏ ଉଡାଜାହାଜରେ ଭଦ୍ରାସାହୀସ୍ଥିତ ଟଣ୍ଟୋ ବିମାନ ବନ୍ଦରରୁ ଉତ୍ତମ ଚିକିତ୍ସା ନିମନ୍ତେ ତୁରନ୍ତ ଭୁବନେଶ୍ୱର ସ୍ଥାନାନ୍ତରିତ କରାଯାଇଛି । ଆହାତମାନେ ହେଲେ ଲକ୍ଷ୍ମଣ, ମାନସ ରଞ୍ଜନ, ମାନସି, ତପସ୍ୱିନି, ନିହାରିକା, ଇପ୍ସିତା, ଆଦିତ୍ୟ ଓ ଅର୍ଣ୍ଣପୂର୍ଣ୍ଣା । ଗୁଆଲିସ୍ଥିତ କୁଶ ଆପଟ୍ଟ ପରିବାରର ଏମାନେ ସମସ୍ତେ ସଦସ୍ୟ ବୋଲି ଜଣାପଡିଛି । ଚମ୍ପୁଆ ଥାନା ଅନ୍ତର୍ଗତ ରଜିଆ ନିକଟ ପତଳା ଗ୍ରାମରେ ଏକ ଘର ପ୍ରତିଷ୍ଠାରେ ଯୋଗ ଦେବା ପାଇଁ ଏମାନେ ଯାଉଥିବା ବେଲେ ନାରଦପୁର ନିକଟରେ ଏହି ଦୁର୍ଘଟଣା ଘଟିଥିଲା । ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଡ୍ରାଇଭରଟିକୁ ଇନୋଭା ଭିତରୁ ବାହାରକରିବା ପାଇଁ ଅଗ୍ନିଶମ ବିଭାଗକୁ ନାକେଦମ ହେବାକୁ ପଡିଥିଲା । ଡ୍ରାଇଭର ପେନୁର ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ଅନ୍ୟମାନଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ । ମୃତ ଡ୍ରାଇଭରର ଘର ଯୋଡାସ୍ଥିତ ଆଜାଦବସ୍ତିରେ ବୋଲି ଜଣାପଡିଛି । ଦୁର୍ଘଟଣା ଘଟାଇଥିବା ହାଇୱା ନଂ (ଓଡି-୩୫ଡି-୬୪୧୦)ଟି ତାଳଚେର ଅଞ୍ଚଳର ହୋଇଥିବା ବେଳେ ହାଇୱାଟି ଶୈଳବାଳା ପାଣିଙ୍କ ନାମରେ ରହିଛି । ପ୍ରତ୍ୟେକ୍ଷ ଦର୍ଶିଙ୍କ କହିବା ମୁତାବକ ହାଇୱା ଡ୍ରାଇଭରଟି ଅତ୍ୟଧିକ ମଦ୍ୟପାନ କରିଥିବା ଯୋଗୁଁ ଏହି ଦୁର୍ଘଟଣାଟି ଘଟିଛି । ଡ୍ରାଇଭରଟି ଏତେ ପରିମାଣରେ ମଦପାନ କରିଛି ଯେ ସେ ନିଜ ନାମ ମଧ୍ୟ କହିବା ପାଇଁ ଅସମର୍ଥ । ସେହିପରି ଦୁର୍ଘଟଣାଗ୍ରସ୍ଥ ଇନୋଭା ନଂ (ଓଡି୦୨ଏଫ୍-୬୬୩୫)ଟି ଯୋଡା ଅଞ୍ଚଳର ଆଲୋକ କୁମାର ଦାସଙ୍କର ବୋଲି ଜଣାପଡିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ଟ୍ରକଟିକୁ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି । ସୂଚନା ଯୋଗ୍ୟ, ଏହି ଗୋଟିଏ ମାସ ମଧ୍ୟରେ ଏହି ରାଜପଥରେ ଦୁର୍ଘଟଣାରେ ୧୦ରୁ ଉର୍ଦ୍ଧ୍ୱ ପ୍ରାଣହାନୀ ଘଟିଥିଲେ ମଧ୍ୟ ପ୍ରଶାସନ ରାଜସ୍ୱ ନିଶାରେ, ଅବ୍ୟବସ୍ଥିତ ଢଙ୍ଗରେ ଖଣିଜ ପରିବହନ କରି ନିରବଦ୍ରଷ୍ଟା ସାଜିଛି । ବାରମ୍ବାର ଦୁର୍ଘଟଣା ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦାନା ବାନ୍ଧିବାରେ ଲାଗିଛି ।