Odiapua.com

ମୂଲ୍ୟବୋଧର ସଂରଚକ ହିଁ ପ୍ରକୃତ ଅର୍ଥୀଜନ ପଦବାଚ୍ୟ, ପ୍ରଫେସର ଡକ୍ଟର ସନାତନ ମହାନ୍ତି ସ୍ମୃତିନ୍ୟାସର ଦ୍ୱିତୀୟ ବାର୍ଷିକ ଶ୍ରଦ୍ଧାଞ୍ଜଳି ଉତ୍ସବ

ଭଦ୍ରକ, ୧୬ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଡକ୍ଟର ସନାତନ ମହାନ୍ତି କେବଳ ଅର୍ଥନୀତି ବିଭାଗର ପ୍ରଫେସର ନଥିଲେ, ସେ ଥିଲେ ଶିକ୍ଷା, ସାହିତ୍ୟ, ସଂସ୍କୃତି ଓ ସାମାଜିକ ମୂଲ୍ୟବୋଧର ଯଥାର୍ଥ ସଂସ୍ଥାପକ । ‘ଶିକ୍ଷାବିତର ସ୍ମୃତିଲିପି’, ‘ଫେରି ଚାହିଁବାର ବେଳ’, ‘ଆର୍ଥନୀତିକ ବିକାଶ ଓ ସାମାଜିକ ପରିବର୍ତ୍ତନ’ ପ୍ରଭୃତି ଉଚ୍ଚକୋଟୀର ଗ୍ରନ୍ଥର ସ୍ରଷ୍ଟା ପ୍ରଫେସର ସ୍ୱର୍ଗତ ମହାନ୍ତି ଥିଲେ ବହୁ ଅନୁଷ୍ଠାନର କର୍ଣ୍ଣଧାର । ସାମାଜିକ ଓ ସାଂସ୍କୃତିକ ମୂଲ୍ୟବୋଧ ପ୍ରତିଷ୍ଠା ଥିଲା ତାଙ୍କର ସଂକଳ୍ପ ଓ ଏହାହିଁ ତାଙ୍କୁ ଯଥାର୍ଥ ‘ଅର୍ଥୀଜନ’ ପଦବାଚ୍ୟ କରିଛି ବୋଲି ପ୍ରଫେସର ସନାତନ ମହାନ୍ତି ସ୍ମୃତିନ୍ୟାସ ପକ୍ଷରୁ ଆୟୋଜିତ ଦ୍ୱିତୀୟ ବାର୍ଷିକ ସ୍ମୃତି ଶ୍ରଦ୍ଧାଞ୍ଜଳି ସଭାରେ ଅତିଥିମାନେ ଯୋଗଦେଇ ମତବ୍ୟକ୍ତ କରିଛନ୍ତି । ଭଦ୍ରକ ଜାନୁଗଞ୍ଜ ସ୍ଥିତ ‘ଦିବ୍ୟମ୍‌’ ପରିସରରେ ସ୍ମୃତିନ୍ୟାସର ସଭାପତି ପ୍ରଫେସର ଶୈଳେନ୍ଦ୍ର କୁମାର ମହାପାତ୍ରଙ୍କ ପୌରୋହିତ୍ୟରେ ଓ କାର୍ଯ୍ୟକାରୀ ସଭାପତି ଅଜୟ ନାୟକଙ୍କ ସଂଚାଳନାରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟଅତିଥି ଭାବେ ବିଶିଷ୍ଟ ସ୍ତମ୍ଭକାର ସରଳ ଦାସ ଯୋଗଦେଇ ଉତ୍କଳୀୟ ଶିକ୍ଷା ଓ ସାଂସ୍କୃତିକ ପଟ୍ଟଭୂମିରେ ପ୍ରଫେସର ମହାନ୍ତିଙ୍କ ସ୍ୱତନ୍ତ୍ର ପଦାଙ୍କ ରହିଛି ବୋଲି ମତବ୍ୟକ୍ତ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଡାକ୍ତର ରବୀନ୍ଦ୍ର କୁମାର ନାୟକ ଓ ସମ୍ବର୍ଦ୍ଧିତ ପ୍ରତିଭା ଭାବେ ନାଟ୍ୟକାର ପ୍ରାଧ୍ୟାପକ ରମେଶ ଚନ୍ଦ୍ର ଦାଶ ଯୋଗ ଦେଇଥିଲେ । ସଦସ୍ୟା ଡକ୍ଟର ରାଧାରାଣୀ ମହାପାତ୍ର ସମ୍ବର୍ଦ୍ଧିତ ପ୍ରତିଭା ପ୍ରାଧ୍ୟାପକ ଦାଶଙ୍କ ଉଦ୍ଦେଶ୍ୟରେ ଓ ସଦସ୍ୟ ଶାନ୍ତନୁ କୁମାର ରାଉତ ମୁଖ୍ୟ ଅତିଥି ଶ୍ରୀ ଦାସ ଉଦ୍ଦେଶ୍ୟରେ ରଚିଚ ମାନପତ୍ରପାଠ କରିଥିଲେ । ସ୍ମୃତିନ୍ୟାସ ସମ୍ପାଦକ ଡାକ୍ତର ଦୁର୍ଯ୍ୟୋଧନ ଦାସ ବିବରଣୀ ପ୍ରଦାନ କରଥିବା ବେଳେ ଅଧ୍ୟାପକ ଡକ୍ଟର ବିଶ୍ୱରଞ୍ଜନ ଦାସ ଅତିଥି ପରିଚୟ ଓ ପ୍ରାଧ୍ୟାପକ ଡକ୍ଟର କ୍ଷୀରୋଦ କୁମାର ସାମଲ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ପ୍ରଫେସର ବ୍ରଜମୋହନ ମିଶ୍ର, ପ୍ରାଧ୍ୟାପକ ଭାଗବତ ପ୍ରସାଦ ତ୍ରିପାଠୀ, ଡାକ୍ତର ପ୍ରଦୀପ କୁମାର ନାୟକ, ପଦ୍ମନ ରାୟ, ପ୍ରାଧ୍ୟାପକ ଶଶୀକାନ୍ତ ପାଢୀ, ପ୍ରଫେସର ଦେବେନ୍ଦ୍ରନାଥ ରାଉତ, ଡାକ୍ତର ପ୍ରଭାସ ମହାନ୍ତି, ଅଧିବକ୍ତା ଗଦାଧର ବଳ, ବାବୁଲାଲ୍ ଦାସ, ଅମରେନ୍ଦ୍ର ବିଶ୍ୱାଳ, ଗୌରାଙ୍ଗ ବାରିକ, ଲକ୍ଷ୍ମୀକାନ୍ତ ବାରିକ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ । ଗାନ୍ଧୀ ଓଡିଶା ବାଳାଶ୍ରମର ଛାତ୍ରୀମାନେ ପ୍ରାରମ୍ଭିକ ସଂଗୀତ ‘ବନ୍ଦେ ଉତ୍କଳ ଜନନୀ’ ଓ ଗୁରବନ୍ଦନା ଗାନ କରିଥିଲେ । ପ୍ରଫେସର ମହାନ୍ତିଙ୍କ ପୁତ୍ର ସନ୍ତୋଷ କୁମାର ମହାନ୍ତି, ପ୍ରେମାନନ୍ଦ ମହାନ୍ତି, ଅରବିନ୍ଦ ମହାନ୍ତି ଓ ନାତି ଅରୋସିସ ମହାନ୍ତି ତଥା ପରିବାରବର୍ଗ ଉତ୍ସବ ପରିଚାଳନା କରିଥିବା ବେଳେ ଜ୍ୟେଷ୍ଠପୁତ୍ର ବିଚିତ୍ରାନନ୍ଦ ମହାନ୍ତି ଶେଷସ୍ପର୍ଶ ପ୍ରଦାନ କରିଥିଲେ ।