ଭଦ୍ରକ, ୧୬ା୯ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଧାମନଗର ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନ ମୁସ୍ତାଫାପୁର ପଂଚାୟତ କାର୍ଯ୍ୟାଳୟରେ ରିଲିଫ୍ ଚାଉଳ ବଣ୍ଟନକୁ ନେଇ ଅଭିଯୋଗ ଉଠିଛି। ବର୍ଷା ଓ ବନ୍ୟାରେ ଘର ଭାଙ୍ଗିଥିବା ଏବଂ ପ୍ରଭାବିତ ପରିବାରଗୁଡ଼ିକୁ ସହାୟତା ପାଇଁ ସରକାରଙ୍କ ପକ୍ଷରୁ ଆସିଥିବା ରିଲିଫ୍ ଚାଉଳ ବଣ୍ଟନ ସମୟରେ କିଛି ବିଜେପି କର୍ମୀ ଓ ସ୍ଥାନୀୟ ନେତା ଉପସ୍ଥିତ ରହି ନିଜ ପସନ୍ଦର ଲୋକଙ୍କୁ ଚାଉଳ ବଣ୍ଟନ କରୁଥିବା ଅଭିଯୋଗ ହୋଇଛି।ସ୍ଥାନୀୟ ଲୋକଙ୍କ ଅଭିଯୋଗ ଅନୁଯାୟୀ, ରିଲିଫ୍ ଚାଉଳ ପ୍ରକୃତ ବିପନ୍ନ ଓ କ୍ଷତିଗ୍ରସ୍ତ ପରିବାରଙ୍କ ପାଇଁ ଉଦ୍ଦିଷ୍ଟ ହୋଇଥିବା ବେଳେ ବଣ୍ଟନ ପ୍ରକ୍ରିୟାରେ କିଛି ଦଳୀୟ କର୍ମୀଙ୍କ ହସ୍ତକ୍ଷେପ ନେଇ ପ୍ରଶ୍ନ ଉଠିଛି। କେଉଁ ଆଧାରରେ ହିତାଧିକାରୀ ଚୟନ କରାଯାଇଛି ଏବଂ ବଣ୍ଟନ ସମୟରେ କାହାର ଅନୁମତିରେ ଦଳୀୟ କର୍ମୀମାନେ ଏଭଳି ଭୂମିକା ନେଇଥିଲେ, ତାହାର ତଦନ୍ତ ଦାବି ହେଉଛି।ରିଲିଫ୍ ସାମଗ୍ରୀ ବଣ୍ଟନରେ ସ୍ୱଚ୍ଛତା ଓ ନିରପେକ୍ଷତା ରହିବା ସହ ପ୍ରକୃତ କ୍ଷତିଗ୍ରସ୍ତଙ୍କୁ ସହାୟତା ମିଳିବା ଆବଶ୍ୟକ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଘଟଣାର ସତ୍ୟତା ଯାଞ୍ଚ କରି ଯଦି କୌଣସି ଅନିୟମିତତା ହୋଇଥାଏ, ତେବେ ଦାୟୀ ବ୍ୟକ୍ତିଙ୍କ ବିରୋଧରେ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବା ସହ ପ୍ରକୃତ ବିପନ୍ନଙ୍କୁ ରିଲିଫ୍ ଚାଉଳ ଯୋଗାଇଦେବାକୁ ଦାବି ହୋଇଛି।ତେବେ ଏହି ଅଭିଯୋଗ ସମ୍ପର୍କରେ ସମ୍ପୃକ୍ତ ବିଜେପି କର୍ମୀ, ପଞ୍ଚାୟତ କର୍ତ୍ତୃପକ୍ଷ ଓ ପ୍ରଶାସନର ପ୍ରତିକ୍ରିୟା ମିଳିପାରିନାହିଁ।