Odiapua.com

ମୁମ୍ବାଇରେ ନୂଆଖାଇ ଭେଟଘାଟ ଉତ୍ସବ

ସମ୍ବଲପୁର, ୧୬/୯ – (ଓଡ଼ିଆ ପୁଅ) ପଶ୍ଚିମ ଓଡ଼ିଶା ପରିବାର ପକ୍ଷରୁ ମୁମ୍ବାଇର ସ୍ୱତନ୍ତ୍ର ବୀର ସାବରକର ପ୍ରେକ୍ଷାଗୃହରେ ଗତକାଲି ୧୩ତମ ନୂଆଖାଇ ଭେଟଘାଟ ପାଳନ କରାଯାଇଛି। ଓଡ଼ିଶା ମାଟିର ପୁଅ ଆରବିଆଇର ପୂର୍ବତନ ଡେପୁଟୀ ଗଭର୍ଣ୍ଣର ହାରୁନ ରସିଦ ଖାନ, ଷ୍ଟେଟ ବ୍ୟାଙ୍କର ଡେପୁଟୀ ମ୍ୟାନେଜିଂ ଡାଇରେକ୍ଟର ଏଚ.କେ. ଜେନା ଓ ଓଡ଼ିଶା ମାଟିର ଜ୍ୱାଇଁ ଆୟକର ନିର୍ଦ୍ଦେଶକ (ଇନ୍ ଭେଷ୍ଟିଗେସନ) ଆନନ୍ଦ କୁମାର ଅତିଥି ଭାବରେ ଯୋଗଦେଇ ପ୍ରଦୀପ ପ୍ରଜ୍ୱଳନ ସାଙ୍ଗକୁ ନବମ ସ୍ମରଣିକା ‘ଜୁହାର-୨୦୧୯’ର ଉନ୍ମୋଚନ କରିଥିଲେ। ପଣ୍ଡିତ ଚମ୍ପକ ତ୍ରିପାଠୀଙ୍କ ମନ୍ତ୍ରୋଚାରଣ ମଧ୍ୟରେ ବରିଷ୍ଠତମ ମହିଳା ସଦସ୍ୟାଙ୍କ ଦ୍ୱାରା ମା’ ସମଲେଶ୍ୱରୀଙ୍କ ପୂଜାର୍ଚ୍ଚନା ଜରିଆରେ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା। ଅତିଥିମାନଙ୍କୁ ସମ୍ବଲପୁରୀ ବସ୍ତ୍ରରେ ତିଆରି ମୋମେଣ୍ଟୋ ଏବଂ ସମ୍ବଲପୁରୀ ଅଙ୍ଗବସ୍ତ୍ର ଦ୍ୱାରା ସମ୍ମାନିତ କରାଯାଇଥିଲା। ଜୁହାର ପରିବାରର ବରିଷ୍ଠ ସଦସ୍ୟ ଅବସରପ୍ରାପ୍ତ ଇନ୍ କମ ଟ୍ୟାକ୍ସ କମିଶନର ଶ୍ରୀକାନ୍ତ ଚାଟ୍ଟାର୍ଜୀଙ୍କୁ ମଧ୍ୟ ସମ୍ମାନିତ କରଯାଇଥିଲା। ଭବାନୀପାଟଣାର ‘ପ୍ରତିଭା’ ପକ୍ଷରୁ ଲୋକପ୍ରିୟ ସମ୍ବଲପୁରୀ ସଂଗୀତ ଏବଂ ନୃତ୍ୟ ପରିବେଷଣ କରାଯାଇଥିଲା। ଏ ଅବସରରେ ପାରମ୍ପରିକ କ୍ଷୀରି, ମଣ୍ଡା ଏବଂ କାକରା ପିଠା ବଣ୍ଟନ କରାଯାଇଥିଲା। ସମ୍ବଲପୁରୀ ପୋଷାକ ପ୍ରତିଯୋଗିତ, ଫଟୋଗ୍ରାଫି ପ୍ରତିଯୋଗିତା, ଶିକ୍ଷା ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ଭଳି କାର୍ଯ୍ୟକ୍ରମ ମଧ୍ୟ ହୋଇଥିଲା।