Odiapua.com

ମୁନସୀ ମେଲଣ ଉଦଯାପିତ; ୪୫ବିମାନ ବିଜେ

ଭଦ୍ରକ, ୨୨ା୩ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ପରିସରରେ ଅନୁଷ୍ଠିତ ମୁନସୀ ମେଲଣ ଶୁକ୍ରବାର ସକାଳେ ଉଦଯାପିତ ହୋଇଯାଇଛି । ବୁଧବାର ଠାରୁ ଆରମ୍ଭ ହୋଇଥିବା ଏହି ମେଲଣ ଶୁକ୍ରବାର ସକାଳ ପର୍ଯ୍ୟନ୍ତ ଉତ୍ସବ ପାଳନ ହୋଇଥିଲା । ଗୁରୁବାର ସନ୍ଧ୍ୟାରେ ମେଲଣ କମିଟି ସଭାପତି ଲକ୍ଷ୍ମୀଧର ନାୟକଙ୍କ ସଂଯୋଜନାରେ ଅନୁଷ୍ଠିତ ଉତ୍ସବରେ ବିଧାୟକ ପ୍ରଫୁଲ୍ଲ ସାମଲ ମୁଖ୍ୟଅତିଥି, ବିଜେପି ନେତା ବଦ୍ରୀନାରାୟଣ ଧଳ, ସମାଜସେବୀ ଗୋଲକ ଚନ୍ଦ୍ର ବେହେରା, ନାରୀନେତ୍ରୀ ସୁଜାତା ଜେନା, ଅଧ୍ୟାପକ ସୁଧାଂଶୁ ନାୟକ, ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତୀ ସେଠୀ, ଉପାଧ୍ୟକ୍ଷ ପ୍ରଣିତକାନ୍ତି ସାମଲ,ଏସ.ଡି.ପି.ଓ. ତ୍ରିଲୋଚନ ସେଠୀ, ଜିଲ୍ଲା ପରିଷଦ ସଦସ୍ୟ ଲକ୍ଷ୍ମୀଧର ସାହୁ, ଉତ୍କଳ କେଶରୀ ମହାନ୍ତି, ସରପଞ୍ଚ ବର୍ଷରାଣୀ ଜେନା, ସମିତି ସଭ୍ୟ ବିଷ୍ଣୁ ଚରଣ ଦାସ, ଡା.ରବିନ୍ଦ୍ର ନାୟକ, ସମ୍ମାନିତ ଅତିଥି ଭାବେ ଯୋଗଦେଇ ମୁନ୍‌ସୀ ମେଲଣ ଉତ୍ପତ୍ତିର ପୃଷ୍ଠଭୂମି, ପରମ୍ପରା ଓ ପ୍ରଭାବ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ । ଅଧ୍ୟାପକ ଭରତ ଚନ୍ଦ୍ର କରଣ ଅତିଥି ପରିଚୟ, ସତ୍ୟାନନ୍ଦ ମହାପାତ୍ର ଉଦ୍ଦେଶ୍ୟଜ୍ଞାପନ, ଅନନ୍ତ ତ୍ରିପାଠୀ ସ୍ୱାଗତ ଭାଷଣ ଓ ଥାନାଧିକାରୀ ଅଜୟ ସୁଦର୍ଶନ ବାଗେ ଧନ୍ୟବାଦ ଦେଇଥିଲେ । ସାଂସ୍କୃତିକ କାର୍ଯ୍ୟକ୍ରମରେ ଲୋକପ୍ରିୟ ଗାୟିକା ଅନ୍ତରା ଚକ୍ରବର୍ତ୍ତି, ଜ୍ରୋର୍ତିମୟୀ ନାୟକ, ଅର୍ଶିତା ଓ ଗାୟକ ତାରିକ ଅଜିଜ ସଙ୍ଗୀତ ପରିବେଷଣ କରି ଦର୍ଶକମାନଙ୍କୁ ଅଭିଭୁତ କରିଥିଲେ । ଥାନା ପରିସରରେ ଅନୁଷ୍ଠିତ ମେଲଣ ପଡିଆରେ ଆଖପାଖର ୪୫ ସୁସଜ୍ଜିତ ବିମାନରେ ପ୍ରଭୁ ଦୋଳଗୋବିନ୍ଦ ମଧ୍ୟରାତ୍ରରୁ ବିଜେ କରିଥିଲେ । ହାଟଡିହି, ଉତ୍ତରବାଡ, ଠାକୁରାଣୀସାହି, ଦକ୍ଷିଣବାଡ, ମନୋହରପୁର, ବାହାଦଲପୁର ବିମାନ ଶୋଭାଯାତ୍ରାରେ ଆସିଥିବା ବେଳେ କୋଳିପଦି, ତୁଳସୀପୁର, କହରାପୋଖରୀ, ଚନ୍ଦ୍ରଭାନୁପୁର, ମଠସାହି, ରେବୋ, କଣ୍ଟାପୋଖରୀ, ନୂଆପୋଖରୀ, କୁସୁମା ଆଦି ଗ୍ରାମର ବିମାନରେ ପ୍ରଭୁ ଦୋଳଗୋବିନ୍ଦ ଥାନା ସମ୍ମୁଖରେ ଏକତ୍ରିତ ହୋଇଥିଲେ । ମେଲଣ କମିଟି ପକ୍ଷରୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରାଯିବା ପରେ ବିମାନଗୁଡିକ ଥାନା ପରିସର ମୋଲଣ ପଡିଆକୁ ପ୍ରବେଶ କରିଥିଲେ । ବିମାନରେ ଭୋଗଲାଗି ହେବା ପରେ ପ୍ରଭୁଙ୍କ ସହ ଭକ୍ତ ଜନସାଧାରଣ ଓ ପୁଲିସ ମିଳିତ ହୋଇ ଫଗୁ ଖେଳିଥିଲେ । ମେଲଣ କମିଟି ପକ୍ଷରୁ ବିମାନଗୁଡିକୁ ବିଦାୟ ଦିଆଯାଇ ମେଲଣ ଉଦଯାପନ ହୋଇଥିଲା । ଜନସାଧାରଣଙ୍କ ସହ ସମ୍ପର୍କ ବୃଦ୍ଧିରେ ମୁନସୀ ମେଲଣ ସହାୟକ ହୋଇ ପାରିଛି ବୋଲି ମତପ୍ରକାଶ ପାଇଥିଲା । ମେଲଣ କମିଟି ଓ ଥାନା କର୍ମଚାରୀମାନେ ଉତ୍ସବ ପରିଚାଳନା କରିଥିଲେ ।