Odiapua.com

ମୁଣ୍ଡ ଉପରେ ସଦର ବିଧାନସଭା ଆସନ ଉପ-ନିର୍ବାଚନ ବିଜେଡିର ଚିନ୍ତା ବଢ଼ାଉଛି ଫେରାର ଅପରାଧୀ କୁନୁ ପଣ୍ଡା

ବାଲେଶ୍ୱର, ୧୨ା୮(ଓଡ଼ିଆ ପୁଅ/ଅଭୟ ଦାସ): ବିଜେପି ବିଧାୟକ ମଦନ ମୋହନ ଦତ୍ତଙ୍କ ଦେହାନ୍ତ ପରେ ଖାଲି ପଡ଼ିଥିବା ବାଲେଶ୍ୱର ସଦର ବିଧାନ ବିଧାନସଭା ଆସନର ଉପ-ନିର୍ବାଚନ ପାଇଁ ସରକାରୀ ସ୍ତରରେ ଉପକ୍ରମ ଆରମ୍ଭ ହୋଇଛି। କରୋନା ସ୍ଥିତି ଆୟତ୍ତାଧୀନ ପରେ ଆସନ୍ତା ଡିସେମ୍ବର ମାସ ଶେଷ ସୁଦ୍ଧା ଏହି ଆସନ ସମେତ ରାଜ୍ୟର ଖାଲି ପଡ଼ିଥିବା ବିଧାନସଭା କ୍ଷେତ୍ରରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ହେବା ନେଇ ରାଜ୍ୟ ନିର୍ବାଚନ କମିଶନର ଇତିମଧ୍ୟରେ ସୂଚନା ମଧ୍ୟ ଦେଇସାରିଲେଣି। ତେବେ ଏହି ଉପ-ନିର୍ବାଚନରେ ପ୍ରାର୍ଥୀ ହେବା ପାଇଁ ବିଭିନ୍ନ ରାଜନୈତିକ ଦଳର ଆଶାୟୀଙ୍କୁ ନେଇ ଲବି ଆରମ୍ଭ ହୋଇଯାଇଛି। ଏହି କ୍ରମରେ ଗତ୨୦୧୯ ସାଧାରଣ ନିର୍ବାଚନରେ ଭାଜପାଠାରୁ୧୩ ହଜାରରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ ହୋଇଥିବା ବିଜୁ ଜନତା ଦଳ ପାଇଁ ଆସନ୍ତା ଉପ-ନିର୍ବାଚନର ଗୁରୁତ୍ୱ ସବୁଠାରୁ ଅଧିକ ଥିବା ବେଳେ ଟିକେଟ୍ ପାଇଁ ଏବେ ଦଳୀୟ ନେତାଙ୍କ ମଧ୍ୟରେ ଛକାପଞ୍ଝା ଆରମ୍ଭ ହୋଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ଆସନ୍ତା ଉପ-ନିର୍ବାଚନରେ ବିଜେଡିର ସମ୍ଭାବ୍ୟ ସ୍ଥିତିକୁ ନେଇ ଦଳୀୟ କର୍ମକର୍ତ୍ତା ଏବେ ଚିନ୍ତିତ ହୋଇପଡ଼ିଛନ୍ତି। ଦଳ ପାଇଁ ଏବେ ସଦର ବ୍ଲକ ବିଜେଡି ସଭାପତି ତଥା ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ବସନ୍ତ ପଣ୍ଡା ଓରଫ୍ (କୁନୁ) ଘାତକ ହୋଇଥିବା କର୍ମୀ ମହଲରେ ଆଲୋଚନା ହେଉଛି। ଶ୍ରୀ ପଣ୍ଡାଙ୍କ ଅପରାଧିକ କାର୍ଯ୍ୟକଳାପର ପ୍ରଭାବ ଯୋଗୁଁ ଗତ ନିର୍ବାଚନରେ ୨୫ ନଂର ଜିଲ୍ଲାର ପରିଷଦ ଜୋନ ସମେତ ଆଖପାଖ ଅଞ୍ଚଳର ଏକାଧିକ ପଞ୍ଚାୟତରେ ବିଜେଡିକୁ ବିଶେଷ ସମର୍ଥନ ମିଳିନଥିଲା। ଚୋରା ମଦ ବ୍ୟବସାୟଠାରୁ ବାଲି ଚୋରା ଚାଲାଣ ପର୍ଯ୍ୟନ୍ତ ସବୁଥିରେ ସମ୍ପୃକ୍ତ ରହିଥିବା ଶ୍ରୀ ପଣ୍ଡା ବିଭିନ୍ନ ପ୍ରକାର ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ରହୁଥିବା ନେଇ ଅଭିିଯୋଗ ହୋଇଆସୁଛି। ସବୁଠାରୁ ବଡ଼କଥା ହେଲା କିଛି ସହଯୋଗୀ ଯୁବକ ଦ୍ୱାରା ବିଭିନ୍ନ ସମୟରେ ସାଧାରଣ ଲୋକଙ୍କୁ ମାଡ଼ ମାରିବା, ଧମକାଇବା ଭଳି ଘଟଣା ସେ ଜାରି ରଖିଛନ୍ତି। ୨୫ ନଂ ଜୋନର ବିଭିନ୍ନ ପଞ୍ଚାୟତରେ ଯୁବ ଗୋଷ୍ଠୀଙ୍କ ସାହାଯ୍ୟରେ ସେ କରୁଥିବା ଗଣ୍ଡୋଗଳ, ଆକ୍ରମଣ ଯୋଗୁଁ ଗତ ପଞ୍ଚାୟତ ନିର୍ବାଚନରେ ବୁଆଁଳ ପଞ୍ଚାୟତର ସମିତି ସଭ୍ୟ ପାଇଁ ପ୍ରତିଦ୍ୱନ୍ଦିତା କରି ୫ଶହରୁ ଅଧିକ ଭୋଟରେ ତାଙ୍କୁ ହାରିବାକୁ ପଡ଼ିଥିଲା। ପରେ ସାଧାରଣ ନିର୍ବାଚନରେ ବି ଅନୁରୂପ ସ୍ଥିତି ଦେଖିବାକୁ ମିଳିଥଲା। ଶ୍ରୀ ପଣ୍ଡା ସମର୍ଥନ କରୁଥିବା ବିଜେଡି ପ୍ରାର୍ଥୀଙ୍କୁ ନଈ ଆରପାରିର ପଞ୍ଚାୟତବାସୀମାନେ ନିରାଶ କରିଥିଲେ। ସଦର ବ୍ଲକର ଜେଇଙ୍କ ସମେତ ସରକାରୀ କର୍ମଚାରୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ଓ ମାଡ଼ ମାରିବା, ବ୍ଲକ ପରିସରରେ ମହିଳା ସରପଞ୍ଚଙ୍କୁ ମାଡ଼ ମାରିବା ଭଳି କାଣ୍ଡ କରି ଶ୍ରୀ ପଣ୍ଡା ବହୁବାର ପୁଲିସଠାରୁ ନିଜକୁ ଲୁଚାଇ ରଖିବାରେ ସକ୍ଷମ ହୋଇଛନ୍ତି। ତାଙ୍କ ନାମରେ ୫୦ରୁ ଊର୍ଦ୍ଧ୍ୱ ଏଫଆଇଆର ହୋଇଥିଲେ ବି ରାଜନୈତିକ ଚାପ ଯୋଗୁଁ ସବୁ ମାମଲା ରଫାଦଫା ହୋଇଛି ସତ, ମାତ୍ର ଏହା ଶ୍ରୀ ପଣ୍ଡାଙ୍କ ବିରୋଧରେ ଜନ ଅସନ୍ତୋଷ ବୃଦ୍ଧି କରିଛି। ଗୋଳିଆ ପାଣିରୁ ମାଛ ଧରିବା ଭଳି ବିଜେପି ଏହାର ଫାଇଦା ନେଇ ଚାଲିଛିି। ସେହିିଭଳି ଗତ ୩ ତାରିଖ ରାତିରେ ପାରିକୁଳ ଗ୍ରାମର ଦୁଇଜଣ ଯୁବକଙ୍କୁ ଆକ୍ରମଣ କରିବା ଫଳରେ ଜଣକର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଏବେ ଜିଲ୍ଲା ପୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି। ଏନେଇ ସଦର ଥାନାରେ ହୋଇଥିବା ମାମଲାରେ ପୁଲିସ ଏବେ ଅଭିଯୁକ୍ତ ଶ୍ରୀ ପଣ୍ଡା ଓ ତାଙ୍କ ସହଯୋଗୀଙ୍କୁ ଗିରଫ କରିବାକୁ ତନାଘନା ଜାରି ରଖିଛି। ମାତ୍ର ସେ ଫେରାର ହୋଇ ଜିଲ୍ଲା ବାହାରକୁ ଚାଲି ଯାଇଥିବା ସ୍ଥାନୀୟ ଲୋକେ ପୁଲିସକୁ ସୂଚନା ଦେଇଛନ୍ତି। ତେବେ ସମ୍ପ୍ରତି ସଦର ବ୍ଲକ ବିଜେଡିର ସଭାପତି ଥାଇ ଯାବତୀୟ ଅପରାଧିକ କାର୍ଯ୍ୟକଳାପ କରି ଚାଲିଥିବା ଶ୍ରୀ ପଣ୍ଡା ଆସନ୍ତା ଉପ-ନିର୍ବାଚନରେ ଦଳୀୟ ପ୍ରାର୍ଥୀଙ୍କ ପାଇଁ ଘାତକ ହୋଇପାରେ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି। ଏମିତିକି ବିଜେଡି ପ୍ରାର୍ଥୀଙ୍କୁ ପୁଣି ଥରେ ପରାଜୟର ସାମ୍ନା କରିବାକୁ ପଡ଼ିପାରେ ବୋଲି ଏବେ ବିଭିନ୍ନ ମହଲରେ ଆଲୋଚନା ଜୋର ଧରିଛି।