Odiapua.com

ମୁଣ୍ଡଫଟା ଖରାରେ ସ୍କୁଲ ଛୁଟି ଅଙ୍ଗନବାଡ଼ି କେନ୍ଦ୍ର ଖୋଲା

ନୟାଗଡ଼, ୨୭ା୪ (ଓଡ଼ିଆ ପୁଅ/ସୁରେନ୍ଦ୍ରନାଥ ପ୍ରଧାନ) : ପ୍ରବଳ ଖରାରେ ଜନଜୀବନ ଅସ୍ତ ବ୍ୟସ୍ତ ହୋଇପଡ଼ିଛି। ସାରା ଓଡ଼ିଶା ଖରାରେ ଆଉଟୁ ପାଉଟୁ ହେଉଥିବାବେଳେ ନୟାଗଡ଼ ଜିଲ୍ଲା ବି ସେଥିରୁ ବାଦ ପଡ଼ିନି। ଲୋକମାନେ ସକାଳ ୮ଟାରୁ ବାହାରକୁ ବାହାରିପାରୁନାହାନ୍ତି। ଖରା ଛୁଟି ସରକାର ସ୍କୁଲକୁ ମେ ୬ରୁ ଛୁଟି କରିବାକୁ ଥିବାବେଳେ ଖରାର ଅତ୍ୟଧିକ ଖରାର ପ୍ରକୋପ ଯୋଗୁଁ ଆଗୁଆ ୧୮ ତାରିଖରୁ ଛୁଟି କରିଦେଇଛନ୍ତି। ମାତ୍ର କୋମଳମତି ଶିଶୁମାନଙ୍କ ପାଇଁ ଉଦ୍ଦିଷ୍ଟ ଅଙ୍ଗନବାଡ଼ି କେନ୍ଦ୍ର ପ୍ରତି ସରକାର ଅଣଦେଖା କରିଥିବା ଅଭିଯୋଗ ହେଉଛି। ଖରାର ପ୍ରକୋପରେ ସାଧାରଣ ଲୋକମାନେ ସକାଳ ୮ଟାରୁ ମଧ୍ୟ ବେହୋସ ହୋଇପଡ଼ୁଥିବା ଦେଖିବାକୁ ମିଳୁଥିବାବେଳେ ଶିଶୁମାନଙ୍କ ପାଇଁ କାହିଁକି ଏପରି କଠୋର ନିୟମ କରାଯାଉଛି ବୋଲି ବହୁ ଶିଶୁମାନଙ୍କ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଶିଶୁମାନେ ସକାଳୁ ସକାଳୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଯାଉଥିବାବେଳେ ଘରକୁ ଫେରିଲାବେଳକୁ ଖରାର ତାତି ବଢିଯାଉଛି। ଯାହାକି କୋମଳମତି ଶିଶୁମାନଙ୍କ ପାଇଁ ଏ ଖରା ତାତି ଅସହ୍ୟ ହୋଇପଡ଼ିଛି। କେତେକ ଅଭିଭାବକ ମଧ୍ୟ ଶିଶୁମାନଙ୍କୁ ଖରାରେ ଅଙ୍ଗନବାଡ଼ି କେନ୍ଦ୍ରକୁ ଛାଡ଼ିବାକୁ ଉଚିତ୍ ମଣୁନାହାନ୍ତି। କେତେକ ସ୍ଥାନରେ ଶିଶୁମାନେ ଖରାରେ ଅଚେତ ହୋଇପଡ଼ୁଥିବା ଜଣାପଡ଼ିଛି। ପ୍ରବଳ ଖରାକୁ ଆଖି ଆଗରେ ରଖି ତଥା କୋମଳମତି ଶିଶୁମାନଙ୍କ ସୁରକ୍ଷା ଦୃଷ୍ଟିରୁ ଅଙ୍ଗନବାଡ଼ି କେନ୍ଦ୍ରକୁ ଖରାଛୁଟି କରିବାକୁ ଦାବି ହେଉଛି।