Odiapua.com

ମୁଖ୍ୟମନ୍ତ୍ରୀ ୫ଟି କଥା କହୁଥିଲା ବେଳେ ତାଙ୍କ ସାଂସଦଙ୍କ ଏପରି ‘ଟେରର’ କେଉଁ ‘ଟି’ରେ ଆସୁଛି : ବିଜେପି

ବ୍ରହ୍ମପୁର ସାଂସଦ ସର୍ବସାଧାରଣରେ ମାଡ ମାରିବା ପ୍ରସଙ୍ଗ
ଭୁବନେଶ୍ୱର, ତା.୨୫/୦୯ (ଓଡ଼ିଆ ପୁଅ) : ବ୍ରହ୍ମପୁରର ସାଂସଦ ଚନ୍ଦ୍ରଶେଖର ସାହୁ ଗତକାଲି ଏକ ସର୍ବସାଧାରଣ ସ୍ଥାନରେ ତାଙ୍କର ଜଣେ କର୍ମୀଙ୍କୁ ଚାପୁଡା ମାରିଛନ୍ତି। ମୁଖ୍ୟମନ୍ତ୍ରୀ ସବୁ ବେଳେ ତାଙ୍କ ସାଂସଦ ବିଧାୟକ ମାନଙ୍କୁ ସରଳ ହୁଅ, ଲୋକଙ୍କ ପାଖକୁ ଯାଅ ବୋଲି ଉପଦେଶ ଦେଉଛନ୍ତି ବୋଲି କହୁଛନ୍ତି। ହେଲେ ତାଙ୍କ ସାଂସଦଙ୍କର ସାଧାରଣ ସ୍ଥାନରେ ଏପରି ଆଚରଣ କଣ ମୁଖ୍ୟମନ୍ତ୍ରୀ ଦେଖିପାରୁନାହାନ୍ତି। ମୁଖ୍ୟମନ୍ତ୍ରୀଙ୍କ କଥାକୁ ତାଙ୍କ ସାଂସଦମାନେ ମାନୁ ନାହାଁନ୍ତି। ସର୍ବସାଧାରଣରେ ମାଡ ମାରିଲା ପରେ ସାଂସଦ ସଫେଇ ଦେଉଛନ୍ତି କି ସେ ଗାଲକୁ ଆଉଁସି ଦେଲେ ବୋଲି। ଗଣତନ୍ତ୍ରରେ ଏପରି ଔଦ୍ଧତାମି ଆଦୌ ଗ୍ରହଣୀୟ ନୁହେଁ। ମୁଖ୍ୟମନ୍ତ୍ରୀ ରାଜ୍ୟ ଶାସନରେ ‘୫ଟି’ କଥା କହୁଥିଲା ବେଳେ ତାଙ୍କ ସାଂସଦ ଏବେ ସାଧାରଣରେ ଟେରର (ଭୟ) ତିଆରି କରୁଛନ୍ତି। ଏହା ମୁଖ୍ୟମନ୍ତ୍ରୀଙ୍କର କେଉଁ ‘ଟି’ରେ ଆସୁଛି ବୋଲି ବିଜେପି ସାଧାରଣ ସମ୍ପାଦକ ଭୃଗୁ୍ୟ ବକ୍ସିପାତ୍ର ପ୍ରଶ୍ନ କରିଛନ୍ତି।

ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ଗଣତନ୍ତ୍ରରେ ନିର୍ବାଚନ ଜିତିବାର ଅର୍ଥ ନୁହେଁ ସାଧାରଣ ଭୋଟରଙ୍କୁ ଯାହା ପାରିବା କହିବା। ରାଜନୀତିରେ ଦ୍ୱିମତ ଥାଇପାରେ କିନ୍ତୁ ସାଧାରଣରେ ମାଡ ମାରି ଏପରି ଭୟର ବାତାବରଣ ତିଆରି କରିବା ଆଦୌ ଗ୍ରହଣୀୟ ନୁହେଁ। ନିର୍ବାଚନ ପୂର୍ବରୁ ଲୋକମାନଙ୍କୁ ଗୋଡ ହାତ ଧରି ଭୋଟ ମାଗୁଛନ୍ତି ଏବଂ ଜିତିଲା ପରେ ସର୍ବସାଧାରଣରେ ଚାପୁଡା ମାରୁଛନ୍ତି। ଏହା ଅତ୍ୟନ୍ତ ନିନ୍ଦନୀୟ ଏବଂ ଏହାଦ୍ୱାରା ଓଡିଶାର ଛବି ଦେଶରେ ଖରାପ ହେଉଛି।