Odiapua.com

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା, ବୈଧ ତାଲିକା ପ୍ରକାଶନ ପରେ ଦକ୍ଷତା ପରୀକ୍ଷା ପାଇଁ ପ୍ରଶାସନିକ ସଜବାଜ

ଭଦ୍ରକ, ୧୫ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ୨୦୧୮ ବର୍ଷ ପାଇଁ ପ୍ରକାଶିତ ବିଜ୍ଞାପନ ଅନୁଯାଇ ଶେଷ ତାରିଖ ତା ୩୦-୧୦-୨୦୨୧ରିଖ ସୁଦ୍ଧା ଭଦ୍ରକ ଜିଲ୍ଲାର ବିଭିନ୍ନ ବ୍ଲକ ଓ ପୌରାଞ୍ଚଳରୁ ସମୁଦାୟ ୩୩୮୧ ଟି ଦରଖାସ୍ତ ମିଳିଥିଲା । ଚୟନ ପ୍ରକ୍ରିୟାରେ ସରକାରୀ ମାର୍ଗଦର୍ଶିକା ଅନୁଯାୟୀ ଦରଖାସ୍ତ ସବୁର ପ୍ରାଥମିକ ଯାଞ୍ଚ ପରେ ୪୬୩ଟି ଦରଖାସ୍ତକୁ ବାଦ୍ ଦିଆ ଯାଇଛି । ଚୟନ ପ୍ରକ୍ରିୟାରେ ପରବର୍ତ୍ତୀ ପ୍ରକ୍ରିୟା ଦକ୍ଷତା ପରୀକ୍ଷା ପାଇଁ ସମୁଦାୟ ୨୯୧୮ଜଣ ହିତାଧିକାରୀଙ୍କ ନାମ ସମ୍ବଳିତ ବ୍ଲକ ଓ ପୌରାଞ୍ଚଳ ଅନୁଯାଇ ବୈଧ ଚିଠା ତାଲିକା ପ୍ରକାଶ କରାଯାଇଛି । ଏହି ତାଲିକାକୁ ପ୍ରକାଶ କରାଯିବ ଉଦ୍ଦେଶ୍ୟରେ ପ୍ରତି ବ୍ଲକ ଓ ସମ୍ପୃକ୍ତ ପୌରାଞ୍ଚଳକୁ ପଠାଇ ଦିଆଯାଇଛି । ସେଥି ନେଇ କୌଣସି ଆପତ୍ତି ଅଭିଯୋଗ ଥିଲେ ତା ୧୭-୧୨-୨୦୨୧ରିଖ ସୁଦ୍ଧା ପ୍ରଦାନ କରାଯାଇ ପାରିବ ବୋଲି କୁହାଯାଇଛି । ଏହି ଚୟନର ପରବର୍ତ୍ତୀ ପ୍ରକ୍ରିୟା ଦକ୍ଷତା ପରୀକ୍ଷା ପାଇଁ ଜିଲ୍ଲା ପ୍ରଶାସନର ପ୍ରତ୍ୟକ୍ଷ ତତ୍ୱାବଧାନରେ ପ୍ରତି ବ୍ଲକରେ ସ୍ଥାନ ନିରୂପଣ କରାଯାଇଛି । ଆସନ୍ତା ତା ୧୮-୧୨-୨୦୨୧ରିଖ ରୁ ଆରମ୍ଭ କରାଯାଇ ତା ୨୦-୧୨-୨୦୨୧ରିଖ ମଧ୍ୟରେ ଏହି ଦକ୍ଷତା ପରୀକ୍ଷା ଶେଷ କରାଯିବା ପାଇଁ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ଚାନ୍ଦବାଲି ବ୍ଲକ ବ୍ୟତୀତ ଅନ୍ୟ ସବୁ ବ୍ଲକ ର ୩୦୦ ରୁ ୫୦୦ ଭିତରେ ହିତାଧିକାରୀ ପରୀକ୍ଷା ଦେବା ପାଇଁ ଥିବାରୁ କେଉଁଠି ୨ ଦିନ କେଉଁଠି ୩ ଦିନ ଲାଗିପାରେ । ବାସୁଦେବପୁର ବ୍ଲକ ପାଇଁ ୨ଟି କେନ୍ଦ୍ର ଟାଉନ୍ ହଲ ଏବଂ ବ୍ଲକ ସମ୍ମିଳନୀ କକ୍ଷରେ, ଭଦ୍ରକ ବ୍ଲକ ଓ ମ୍ୟୁନିସିପାଲିଟି ପାଇଁ ଭଦ୍ରକ ଟାଉନ୍‌ହଲ, ଭଣ୍ଡାରିପୋଖରୀ ପାଇଁ ସେଠାକାର କଲ୍ୟାଣ ମଣ୍ଡପ, ବନ୍ତର ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ, ଚାନ୍ଦବାଲିର ବିଜୁ ସ୍ମୃତୀ ଭବନ, ଧାମନଗର ର କଲ୍ୟାଣ ମଣ୍ଡପ ଓ ତିହିଡ଼ି ର ଟାଉନହଲ ଠାରେ ଦକ୍ଷତା ପରୀକ୍ଷା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଦକ୍ଷତା ପରୀକ୍ଷା ଦେବାକୁ ଥିବା ହିତାଧିକାରୀମାନେ ଫର୍ମ ଦାଖଲ ବେଳେ ଜିଲ୍ଲା ସଂସ୍କୃତି କାର୍ଯ୍ୟାଳୟରୁ ଯେଉଁ ରସିଦ ନେଇଥିଲେ ତାହାକୁ ପ୍ରବେଶ ପତ୍ର ଭାବେ ଦେଖାଇପାରିବେ ଏବଂ ସେଥିରେ ଥିବା ନମ୍ବର ଆଧାରରେ ନିଜର କ୍ରମାଙ୍କ ନମ୍ବର ର ଟୋକନ ପାଇ ପାରିବେ । ଏହି ପରୀକ୍ଷା ସକାଳ ୯ ରୁ ସନ୍ଧ୍ୟା ୫ ପର୍ଯ୍ୟନ୍ତ ଚାଲୁ ରହିବ ।