Odiapua.com

ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିର ଉନ୍ନୟନ କାର୍ଯ୍ୟରେ ଦୁର୍ନୀତିର ଗନ୍ଧ, ରାମେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପୁନରୁଦ୍ଧାର ଓ ଉନ୍ନତି କରଣରେ ଘୋଟାଲା

ଭଦ୍ରକ, ୧୭ା୧୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିର ଅନୁଦାନ ଏବେ ରାଜ୍ୟର ଅନେକ ସ୍କୁଲ ଓ କଲେଜକୁ ପ୍ରଦାନ କରାଯାଉଛି । କିନ୍ତୁ ଭଦ୍ରକ ବ୍ଲକ୍ ଅଧୀନସ୍ଥ ରାନ୍ଦିଆ ରମେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମରାମତି ଜନିତ ପୁନରୁଦ୍ଧାର ଓ ଉନ୍ନତିକରଣ ନିମନ୍ତେ ଆସିଥିବା ଏହି ଅର୍ଥ ଏବେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ରାଧେ ରାଧେ ଅଧେ ଅଧେ ରେ ପରିଣତ ହୋଇଛି । ବିଶେଷକରି ଏହି କାର୍ଯ୍ୟରେ ଏବେ ଦୁର୍ନୀତିର ଦାଗ ଲାଗିଥିବା ବିଷୟ ସ୍ଥାନୀୟ ବିଧାୟକଙ୍କ ସମ୍ମୁଖରେ ଅଭିଯୋଗ କରିଛନ୍ତି ସରପଞ୍ଚ ସ୍ୱପ୍ନାରାଣୀ ରାଉତରାୟ । ତେବେ ଶ୍ରୀମତୀ ରାଉତରାୟଙ୍କ ଏଭଳି ଅଭିଯୋଗକୁ ପ୍ରଶଂସା କରିବା ସହ ଏ ଦିଗରେ ବିଡିଓ, ଜେଇ ଓ ଠିକାଦାରଙ୍କ କାର୍ଯ୍ୟକୁ ନେଇ ସେ ଆଲୋଚନା କରିବେ ବୋଲି ପ୍ରତିଶ୍ରୁତି ଦେବା ସହ ଉଚିତ୍ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି । ଏ ସଂପର୍କରେ ମିଳିଥିବା ତଥ୍ୟ ଅନୁସାରେ ଆଜି ଏହି ଶିକ୍ଷାନୁଷ୍ଠାନରେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲିଥିବା ସମୟରେ ସ୍ଥାନୀୟ ରାନ୍ଦିଆ ପଂଚାୟତର ସ୍ୱାଧୀନ ମହିଳା ସରପଞ୍ଚ ଶ୍ରୀମତୀ ରାଉତରାୟ ଭଦ୍ରକ ବିଧାୟକ ଓ ସାଂସଦଙ୍କ ପ୍ରତିନିଧିଙ୍କ ସମ୍ମୁଖରେ ଉନ୍ନୟନ କାର୍ଯ୍ୟ ନାଁରେ ଚାଲିଥିବା ଦୁର୍ନୀତିକୁ ନେଇ ମୁହଁ ଖୋଲିଥିଲେ ।

ତାଙ୍କ କହିବା ମୂଳେ ରାମେଶ୍ୱର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ମରାମତି, ପୁନରୁଦ୍ଧାର ଓ ଉନ୍ନତିକରଣ ନିମନ୍ତେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସହାୟତା ପାଣ୍ଠିରୁ ୫୦ ଲକ୍ଷ ଟଙ୍କାର ଅନୁଦାନ ଦିଆଯାଇଛି । ମାତ୍ର ବିଭାଗୀୟ ଅଧିକାରୀ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ଏହି କାର୍ଯ୍ୟ ଅତ୍ୟନ୍ତ ନିମ୍ନମାନର ହୋଇଛି । ଏହି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପୁରୁଣା କବାଟରେ ନୂଆ ରଙ୍ଗ ଲଗାଯାଇଥିବାବେଳେ କେଉଁଠି କାନ୍ଥ ଫାଟିଲାଣି ତ କେଉଁଠି ପୁରୁଣା ଫ୍ୟାନ୍ ଲାଗିଛି । ଯାହାକୁ ନେଇ ଏବେ ସଂପୃକ୍ତ ଠିକାଦାର, ଜେଇ ଓ ବିଡିଓ ବିବାଦ ଜାଲରେ ଛନ୍ଦି ହୋଇପଡିଛନ୍ତି । ନିମ୍ନମାନର କାର୍ଯ୍ୟ ହେଉଥିବାର ସୂଚନା ପାଇବା ପରେ ସରପଞ୍ଚ ଶ୍ରୀମତୀ ରାଉତରାୟ ଉକ୍ତ ଶିକ୍ଷାନୁଷ୍ଠାନରେ ପହଞ୍ôଚ ଚାଲିଥିବା କାର୍ଯ୍ୟର ମାନ ଯାଞ୍ଚ କରିବା ପରେ ନିମ୍ନମାନର କାର୍ଯ୍ୟ ହେଉଥିବାର ଅଭିଯୋଗ ଆଣି ତାହାକୁ ବନ୍ଦ କରିଥିଲେ । ତେବେ ଯୁବ ଓଡ଼ିଶା ନବୀନ ଓଡ଼ିଶା କାର୍ଯ୍ୟକ୍ରମ ଚାଲୁଥିବାବେଳେ ସଂପୃକ୍ତ ସରପଞ୍ଚ ସଭା ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଉନ୍ନୟନ କାର୍ଯ୍ୟରେ ଯେଉଁ ବାଟମାରଣା ହୋଇଛି, ତାହାର ପଦ୍ଦାଫାସ କରିଥିଲେ ଖୋଦ୍ ବିଧାୟକ ଓ ସାଂସଦଙ୍କ ପ୍ରତିନିଧିଙ୍କ ସମ୍ମୁଖରେ । ତେବେ ଯାହା ହେଉନା କାହିଁକି ବିଧାୟକ ସଂଜୀବ ମଲ୍ଲିକ ଶ୍ରୀମତୀ ରାଉତରାୟଙ୍କ ଅଭିଯୋଗର ସତ୍ୟତା ଉପଲବ୍ôଧ କରି ତୁରନ୍ତ ସମସ୍ତ କାର୍ଯ୍ୟର ତଦାରଖ କରାଯାଇ ବିଭାଗୀୟ ଅଧିକାରୀଙ୍କ ସମେତ ଜେଇ ଓ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶ୍ରୁତି ଦେବା ସ୍ଥାନୀୟ ଅଂଚଳବାସୀଙ୍କ ମଧ୍ୟରେ ଆଶ୍ୱାସନା ଆଣିଦେଇଛି ।