Odiapua.com

ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ: ଅଭିନେତା ଅକ୍ଷୟ କୁମାର ୧ କୋଟି, ଫାଲକନ୍‌ ମେରାଇନ ୧ କୋଟି, ସୁବ୍ରତୋ ବାଗ୍‌ଚୀ ୨୫ ଲକ୍ଷ

ଭୁବନେଶ୍ବର,୮.୫ (ଓଡ଼ିଆ ପୁଅ) ଫନି ବାତ୍ୟା ଦୁର୍ଗତଙ୍କ ସହାୟତା ଓ ପୁନରୁଦ୍ଧାର ପାଇଁ ଆଜି ଅନେକ ସଂସ୍ଥା ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ଦାନ ଦିଆଯାଇଛି। ବଲିଉଡ ଅଭିନେତା ଶ୍ରୀ ଅକ୍ଷୟ କୁମାର ଭାଟିଆ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି। ଅକ୍ଷୟ କୁମାରଙ୍କ ପକ୍ଷରୁ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଶ୍ରୀ ଅରୁପ ପଟ୍ଟନାୟକ ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଏହି ପରିମାଣର ଚେକ୍ ପ୍ରଦାନ କରିଥିଲେ। ସେହିପରି ଫାଲକନ୍‌ ମେରାଇନ ଏକ୍ସପୋର୍ଟସ ଲିମିଟେଡ଼ର ନିର୍ଦ୍ଦେଶକ ମାନଙ୍କ ପକ୍ଷରୁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୧ କୋଟି ଟଙ୍କା ପ୍ରଦାନ କରାଯାଇଛି। ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ପୂର୍ବତନ ଅଧ୍ୟକ୍ଷ ଶ୍ରୀ ସୁବ୍ରତୋ ବାଗଚି ଆଜି ସଚିବାଳୟରେ ମୁଖ୍ୟମନ୍ତ୍ରୀଙ୍କ ଭେଟି ୨୫ ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରିଛନ୍ତି। କବିସୂର୍ଯ୍ୟନଗର ବିଧାୟିକା ଶ୍ରୀମତୀ ଭି. ସୁଜ୍ଞାନ କୁମାରୀ ଦେଓ ୧ ଲକ୍ଷ ଟଙ୍କା, ଶେରଗଡ ପଞ୍ଚାୟତ ସମିତି ୨ ଲକ୍ଷ ୨୦ ହଜାର ଟଙ୍କା, ଗଞ୍ଜାମ ଜିଲ୍ଲା ପ୍ରଶାସନ କର୍ମଚାରୀ ମାନଙ୍କ ପକ୍ଷରୁ ୩୧ ଲକ୍ଷ ୨ ହଜାର, କେନ୍ଦ୍ରାପଡା କ୍ରେଡିଟ କୋଅପରେଟିଭ ସୋସାଇଟି ୧ ଲକ୍ଷ ଟଙ୍କା, ଏସ.ଏସ. ଗ୍ରୀନଟେଜ୍ ୨୧ ହଜାର ଟଙ୍କା ଏବଂ ଶେରଗଡର ଶ୍ରୀ ଶରତ ଚନ୍ଦ୍ର ପାତ୍ର ୪୨ ହଜାର ଟଙ୍କା ପ୍ରଦାନ କରିଛନ୍ତି।

ଓଡ଼ିଶାବାସୀଙ୍କ ବିପଦ ସମୟରେ ସେମାନଙ୍କୁ ସହାୟତା କରିବା ପାଇଁ ଏହି ସଂସ୍ଥାମାନେ ସହୃଦୟତାର ସହ ଆଗେଇ ଆସିଥିବାରୁ ମୁଖ୍ୟମନ୍ତ୍ରୀ ସେମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।