Odiapua.com

ମୁଖ୍ୟମନ୍ତ୍ରୀଙ୍କ ନିଷ୍ଠୁରତାକୁ ନେଇ ଉଦ୍‌ବେଗ

ବାଲେଶ୍ୱର, ୨୯ା୧୦(ଓଡ଼ିଆ ପୁଅ/ଅଭୟ ଦାସ): ବାଲେଶ୍ୱର ଉପ-ନିର୍ବାଚନ ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭର୍ଚୁଆଲ ର‌୍ୟାଲିରେ ସଦର ନିର୍ବାଚନମଣ୍ଡଳୀ ଲୋକଙ୍କୁ ଉଦବୋଧନ ଦେଇଥିଲେ ବି ପରଲୋକଗତ ବିଧାୟକ ମଦନ ମୋହନ ଦତ୍ତଙ୍କ ପ୍ରତି ଦଳୀୟ ମନ୍ତ୍ରୀ ଓ ନେତାଙ୍କ ଅମାନବୀୟ ଉଚ୍ଚରଣ ତଥା କଟୁ ମନ୍ତବ୍ୟ ବାବଦରେ ପଦେ ହେଲେ କିଛି ନ କହିବାକୁ ନେଇ ବିଜେପି ପ୍ରାର୍ଥୀ ମାନସଙ୍କ ମାଆ ପ୍ରେମଲତା ଦତ୍ତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଏନେଇ ଆଜି ସଂଧ୍ୟାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀମତୀ ଦତ୍ତ ଯୋଗଦେଇ ଦୁଃଖ ପ୍ରକାଶ କରିଥିଲେ। ନିର୍ବାଚନ ପ୍ରଚାର ବେଳେ ମଦନ ମୋହନ ଦତ୍ତଙ୍କ ମୃତ୍ୟୁ ଏକ ସୁଯୋଗ ବୋଲି ଯୋଗାଣମନ୍ତ୍ରୀ କହିଥିବା ବେଳେ ଓ କୁନା ତ୍ରିପାଠୀ ସ୍ୱର୍ଗତ ଦତ୍ତଙ୍କୁ ଅକାମୀ ଟ୍ରାନ୍ସଫର୍ମାର ବୋଲି ଉଚ୍ଚାରଣ କରିଥିଲେ। ଏହାକୁ ନେଇ ବିଭିନ୍ନ ମହଲରୁ ତୀବ୍ର ପ୍ରତିକ୍ରିୟା ବି ପ୍ରକାଶ ପାଇଥିଲା। ତେବେ ମୁଖ୍ୟମନ୍ତ୍ରୀ ଭର୍ଚୁଆଲ ରାଲି ଅବସରରେ ଏନେଇ ଦଳୀୟ ମନ୍ତ୍ରୀ ଓ ନେତାଙ୍କୁ ତାଗିଦ୍ କରି କିଛି କହିବେ ବୋଲି ଶ୍ରୀମତୀ ଦତ୍ତଙ୍କ ମାଆ ଆଶା ରଖିଥିଲେ ବୋଲି ସେ କହିଛନ୍ତି। ମାତ୍ର ମୁଖ୍ୟମନ୍ତ୍ରୀ ବିବାଦୀୟ ମନ୍ତ୍ରୀ ନେତାଙ୍କୁ ସମର୍ଥନ କରି ଚୁପ୍ ରହିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ସେ ଉଦ୍‌ବେଗର ସହ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଏଇ ନିଷ୍ଠୁରତା ସମାଜ ପାଇଁ ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ମହିଳା ମୋର୍ଚ୍ଚା ସଭାପତିସ୍ମୃତି ପଟ୍ଟନାୟକ, ପୂର୍ବତନ ମନ୍ତ୍ରରୀ ସୁରମା ପାଢ଼ୀ, ସୁନ୍ଦରଗଡ଼ ବିଧାୟିକା କୁସୁମ ଟେଟେ ପ୍ରମୁଖ ଏହି ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିଲେ।