Odiapua.com

ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଆଇସିଆଇସିଆଇ ଫୋନ୍ ବ୍ୟାଙ୍କିଙ୍ଗ୍ କେନ୍ଦ୍ର ଉଦ୍‌ଘାଟିତ : ୧୨୦୦ ବ୍ୟକ୍ତିଙ୍କ ପାଇଁ ଚାକିରି, ୬୦ ପ୍ରତିଶତ ମହିଳା

ଭୁବନେଶ୍ୱର ୨୩.୦୮ (ଓଡ଼ିଆ ପୁଅ) ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ସହରର ମୈତ୍ରୀ ବିହାର ଠାରେ ଏକ ଅତ୍ୟାଧୁନିକ ଫୋନ୍ ବ୍ୟାଙ୍କିଙ୍ଗ୍ କେନ୍ଦ୍ରର ଉଦଘାଟନ କରିଛନ୍ତି। ଏହି କେନ୍ଦ୍ରରେ ୧୨୦୦ ଜଣ ବ୍ୟକ୍ତି ନିଯୁକ୍ତି ପାଇଛନ୍ତି ଯେଉଁଥିରୁ ୬୦ ପ୍ରତିଶତ ମହିଳା ଅଛନ୍ତି।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଏବଂ ରୋବୋଟିକ୍ସ ଦ୍ୱାରା ବ୍ୟାଙ୍କି କେନ୍ଦ୍ର ଚାଳିତ ହେବ। ଏହି କେନ୍ଦ୍ର ବ୍ୟାଙ୍କର ରିଟେଲ, କମର୍ସିଆଲ ଏବଂ କର୍ପୋରେଟ୍ ଗ୍ରାହକଙ୍କୁ ସମଗ୍ର ଦେଶରେ ସେବା ପ୍ରଦାନ କରିବା ପାଇଁ ଆରମ୍ଭ ହେଉଛି।

ବ୍ୟାଙ୍କିଙ୍ଗ ବ୍ୟବସ୍ଥାରେ ଆଧୁନିକ ଟେକ୍ନୋଲୋଜି ଆଣିବା ପାଇଁ ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସିଷ୍ଟମରେ ଦକ୍ଷତା ଆଣିପାରେ ଏବଂ ଗ୍ରାହକଙ୍କୁ ଅସୁବିଧାମୁକ୍ତ ସେବା ଯୋଗାଇପାରେ ବୋଲି ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି।

ଆଇସିଆଇସିଆଇ ବ୍ୟାଙ୍କକୁ କେନ୍ଦ୍ରକୁ ଆହୁରି ବ୍ୟାପକ କରିବା ଏବଂ ଅଧିକ ଚାକିରି ସୁଯୋଗ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ରାଜ୍ୟ ଏଥିପାଇଁ ସମସ୍ତ ପ୍ରକାରର ସହାୟତା ପ୍ରଦାନ କରିବ ବୋଲି ମୁଖ୍ୟମନ୍ତ୍ରୀ ଆଶ୍ୱସନା ପ୍ରଦାନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କର ସଚିବ ତଥା ୫-T ସଚିବ ଶ୍ରୀ ଭି କେ ପାଣ୍ଡିଆନ୍ ଉପସ୍ଥିତ ଥିଲେ।

ଆଇସିଆଇସିଆଇ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ସନ୍ଦୀପ ବାତ୍ରା ସ୍ୱାଗତ ଭାଷଣ ଦେଇଥିଲେ।